ଆଠମଲ୍ଲିକ, ୦୪/୦୯: ତୁମ ପରି ଛୋଟ ପିଲାଟିଏ, ଗାଁ ଚାହାଳିର ଚାଟ ସିଏ...ଏହି ଲୋକପ୍ରିୟ କବିତା ସମସ୍ତେ ଜାଣିଛନ୍ତି । କିପରି ଛୋଟ ପିଲା ଥିବା ବେଳେ ମଧୁ ବାବୁ ସ୍କୁଲ ଯାଉଥିଲେ ଏବଂ ବର୍ଷା ଦିନେ ରାସ୍ତାରେ ଥିବା ଏକ ଖାଲରେ ପଡିଯାଇଥିଲେ । ଏହାପରେ ଛୁଟି ସମୟରେ ସେ ସହପାଠୀଙ୍କ ସହ ମିଶି ରାସ୍ତା ମରାମତି କରିଥିଲେ । ଏହା ଅନେକଙ୍କ ପାଇଁ ପ୍ରେରଣା ପାଲଟିଥିଲା । ଆଜିର ସମୟରେ ଏପରି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଆଠମଲ୍ଲିକରେ । ଏଠାରେ ଛାତ୍ରମାନେ ନିଜେ ରାସ୍ତା ମରାମତି କରିବା ସହ ପରୀକ୍ଷା ଦେବାକୁ ଯାଇଛନ୍ତି ।

ଆଠମଲ୍ଲିକ ଅଞ୍ଚଳରେ ଦେଖିବାକୁ ମିଳିଛି ଛାତ୍ରଛାତ୍ରୀଙ୍କ ଦୃଢ଼ ଇଚ୍ଛାଶକ୍ତିର ଏକ ନିଆରା ଉଦାହରଣ। ରାସ୍ତା ଖରାପ ଯୋଗୁଁ ବସ୍ ଯିବାକୁ ମନା କରିଦେବାରୁ, କଲେଜରେ ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀମାନେ ନିଜେ କୋଦାଳ ଧରି ରାସ୍ତା ମରାମତି କରିଛନ୍ତି। ଏହି ଘଟଣାର ଭିଡିଓ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି।

Also Read :- ସୋର ପୋଲିସର ଏନ୍‌କାଉଣ୍ଟର : ଲୋକେଶଙ୍କ ଗୋଡ଼ରେ ବାଜିଲା ଗୁଳି, ସହଯୋଗୀ ଫେରାର

ସୂଚନାନୁସାରେ, ଆଠମଲ୍ଲିକ ବ୍ଲକ୍ ଠାକୁରଗଡ଼ଠାରୁ ପୋଡ଼ାପଦର ପର୍ଯ୍ୟନ୍ତ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର କାମ ଅଧାପନ୍ତରିଆ ହୋଇ ପଡ଼ିରହିଛି। ରାସ୍ତାର ଅବସ୍ଥା ଏତେ ଶୋଚନୀୟ ଯେ ସେଠାରେ ବସ୍ ଚଳାଚଳ ସମ୍ଭବ ହେଉନାହିଁ। ଅନେକ ଅଭିଯୋଗ ପରେ ବି ରାସ୍ତା କାମ ହେଉନଥିଲା । ତେଣୁ କଲେଜରେ ପରୀକ୍ଷା ଥିବାରୁ ଛାତ୍ରଛାତ୍ରୀମାନେ ବାଧ୍ୟ ହୋଇ ନିଜେ ମାଟି ଓ ପଥର ଆଣି ରାସ୍ତା ସମତୁଲ କରିଥିଲେ ଏବଂ ପରେ ପରୀକ୍ଷା ଦେବାକୁ ଯାଇଥିଲେ।

ଏହି ଘଟଣାକୁ ନେଇ ପୂର୍ତ୍ତ ବିଭାଗର ବିଭାଗର ଅଧିକାରୀଙ୍କୁ ପଚାରିବାରୁ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି। ପ୍ରଶାସନର ଅବହେଳା ସତ୍ତ୍ୱେ ପିଲାମାନଙ୍କର ଏହି ପ୍ରୟାସକୁ ସବୁଠି ପ୍ରଶଂସା କରାଯାଉଛି।