ବଲାଙ୍ଗିର: ବଲାଙ୍ଗିରରେ ଜଣେ ସରକାରୀ ସ୍କୁଲ ଶିକ୍ଷକଙ୍କ ବିରୋଧରେ ନବମ ଶ୍ରେଣୀର ଜଣେ ଛାତ୍ରଙ୍କୁ ମାଡ଼ ମାରିଥିବା ଅଭିଯୋଗ ଆସିଛି । ସଦର ଥାନା ଅନ୍ତର୍ଗତ ଉପରବାହାଲ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଘଟିଥିବା ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳ ସହ ସମଗ୍ର ବଲାଙ୍ଗିର ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି । ଅଭିଭାବକମାନେ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ କଠୋର ପଦକ୍ଷେପ ଓ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ।

ଅଭିଯୋଗ ଅନୁଯାୟୀ, ଉପରବାହାଲ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଗଣିତ ଶିକ୍ଷକ ପ୍ରଶାନ୍ତ ନାଗ ପ୍ରତିଦିନ ଭଳି ସ୍କୁଲକୁ ପାଠ ପଢ଼ାଇବା ପାଇଁ ଆସିଥିଲେ  ତେବେ କୌଣସି ଏକ କାରଣକୁ ନେଇ ସେ ନବମ ଶ୍ରେଣୀର ଜଣେ ଛାତ୍ରଙ୍କୁ ଅତ୍ୟଧିକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଛାତ୍ରଙ୍କୁ ବିଧା- ଗୋଇଠା ମାରିଥିବା ପରିବାର ପକ୍ଷରୁ କୁହାଯାଇଛି।

ତେବେ ଘଟଣା ପରେ ସ୍ଥାନୀୟ ଲୋକେ ଛାତ୍ରଙ୍କ ପରିବାରକୁ ସୂଚନା ଦେଇଥିଲେ। ପରିବାର ସଦସ୍ୟ ଓ ଗ୍ରାମବାସୀ ସ୍କୁଲରେ ପହଞ୍ଚି ଶିକ୍ଷକଙ୍କୁ ଘେରାଉ କରି ଛାତ୍ରଙ୍କୁ କାହିଁକି ମାଡ଼ ମରାଗଲା ବୋଲି ପ୍ରଶ୍ନ କରିଥିଲେ। ଖବର ପାଇ ବଲାଙ୍ଗିର ସଦର ଥାନା ପୋଲିସ ସ୍କୁଲରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ସମ୍ପୃକ୍ତ ଶିକ୍ଷକଙ୍କୁ ସେଠାରୁ ଥାନାକୁ ନେଇଥିଲା ।

Also Read: ଜ୍ଞାନର ମନ୍ଦିରରେ ଗୁଣ୍ଡାଗର୍ଦ୍ଦି ! ଶିକ୍ଷକଙ୍କୁ ହତ୍ୟା ଧମକ, ଦୋଷୀଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ

ଅଭିଯୋଗ ଅନୁସାରେ, ସ୍କୁଲ କମିଟିର ବୈଠକ ସମୟରେ ଶିକ୍ଷକ ଛାତ୍ରଙ୍କୁ ମାଡ଼ ମାରିଥିବା କଥା ସ୍ୱୀକାର କରିବା ସହ କିଛି ଉତ୍ତେଜନାମୂଳକ ମନ୍ତବ୍ୟ ମଧ୍ୟ ଦେଇଥିବା କୁହାଯାଇଛି। ପରେ ଗ୍ରାମବାସୀଙ୍କ ଉପସ୍ଥିତିରେ ଏଭଳି ଘଟଣା ଆଗକୁ ପୁନରାବୃତ୍ତି ହେବ ନାହିଁ ବୋଲି ଲିଖିତ ଭାବେ ଦେଇଥିବା ସୂଚନା ମିଳିଛି । ଏପଟେ ଉକ୍ତ ଛାତ୍ରଙ୍କ ବାପା ଭୋଜରାଜ ବିଶ୍ୱାଳ କହିଛନ୍ତି, ଯେପର୍ଯ୍ୟନ୍ତ ସମ୍ପୃକ୍ତ ଶିକ୍ଷକ ଏହି ବିଦ୍ୟାଳୟରେ ରହିବେ, ସେପର୍ଯ୍ୟନ୍ତ ସେ ନିଜ ପୁଅକୁ ସ୍କୁଲକୁ ପଠାଇବେ ନାହିଁ। ଏଥିସହ ଘଟଣାର ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି ।

 ଏହି ଘଟଣା ପରେ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି । ଯେଉଁ ବିଦ୍ୟାଳୟକୁ ପିଲାମାନଙ୍କ ଭବିଷ୍ୟତ ଗଢ଼ିବାର ପବିତ୍ର ସ୍ଥାନ ବୋଲି ଅଭିଭାବକମାନେ ବିଶ୍ୱାସ କରନ୍ତି, ସେଠାରେ ଏପରି ଘଟଣା ସେମାନଙ୍କ ବିଶ୍ୱାସକୁ ଆଘାତ ଦେଇଥିବା ସେମାନେ କହିଛନ୍ତି । ସମ୍ପୃକ୍ତ ଶିକ୍ଷକଙ୍କୁ ତୁରନ୍ତ ବହିଷ୍କାର କରିବା ସହ ଆଇନଗତ ଓ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି ।