ନୂଆଦିଲ୍ଲୀ, ୨୧|୦୭: ପିଭି ସିନ୍ଧୁଙ୍କ କମବ୍ୟାକ୍ । ଭାରତୀୟ ଦଳର ଷ୍ଟାର୍ ବ୍ୟାଡମିଣ୍ଟନ୍ ଖେଳାଳି ତଥା ଦୁଇ ଥର ଅଲମ୍ପିକ ପଦକ ବିଜେତା ପିଭି ସିନ୍ଧୁ ଦୀର୍ଘ ଦିନ ପରେ ବଡ ଟୁର୍ଣ୍ଣାମେଣ୍ଟରେ ବିଜୟ ହୋଇଛନ୍ତି । ଟୋକିଓରେ ଖେଳାଯାଉଥିବା ଜାପାନ୍ ଓପନ୍ ସୁପର ୭୫୦ର ଫାଇନାଲରେ ସେ ଜାପାନ୍ ଖେଳାଳି ଅକାନେ ୟାମାଗୁଚିଙ୍କୁ ପରାସ୍ତ କରିଛନ୍ତି । ସିନ୍ଧୁ ୨୧-୧୭, ୨୧-୧୭ ସେଟରେ ଅକାନେଙ୍କୁ ମାତ୍ ଦେଇ ଇତିହାସ ରଚିଛନ୍ତି ।

ପ୍ରଥମ ଭାରତୀୟ ଭାବେ ବିଜେତା

ପି. ଭି. ସିନ୍ଧୁ ପ୍ରଥମ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ଭାବରେ ପ୍ରତିଷ୍ଠିତ ଜାପାନ ଓପନ ଟ୍ରଫି ନିଜ ନାମରେ କରି ଇତିହାସ ପୃଷ୍ଠାରେ ନିଜ ନାମ ଲିପିବଦ୍ଧ କରିଛନ୍ତି। ଏହା ସହିତ ଏହା ତାଙ୍କ କ୍ୟାରିୟରର ପ୍ରଥମ 'ସୁପର ୭୫୦' (Super 750) ମୁକୁଟ। ପ୍ରଥମ ଗେମରେ ସିନ୍ଧୁ ଆରମ୍ଭରୁ ୩-୦ରେ ଅଗ୍ରଣୀ ହାସଲ କରିଥିଲେ ମଧ୍ୟ ୟାମାଗୁଚି କମବ୍ୟାକ୍ କରି ମଧ୍ୟାନ୍ତର ସୁଦ୍ଧା ୧୧-୯ରେ ଆଗୁଆ ଥିଲେ। ହେଲେ ବ୍ରେକ୍ ପରେ ସିନ୍ଧୁ ଏକ ରୋମାଞ୍ଚକର ୩୬-ସଟ୍ ବିଶିଷ୍ଟ ର୍ୟାଲି ଜିତି ସ୍କୋର ସମାନ କରିଥିଲେ ଏବଂ ଶେଷରେ ଗେମକୁ ୨୧-୧୭ରେ ଜିତି ନେଇଥିଲେ।

ଦ୍ୱିତୀୟ ଗେମରେ ସିନ୍ଧୁ ଆହୁରି ଆକ୍ରମଣାତ୍ମକ ରୂପ ଧାରଣ କରିଥିଲେ। ଏକ ୪୪-ସଟ୍ ବିଶିଷ୍ଟ ର୍ୟାଲିରେ ବିଜୟୀ ହୋଇ ସେ ମଧ୍ୟାନ୍ତର ସୁଦ୍ଧା ୧୧-୭ରେ ଆଗୁଆ ରହିଥିଲେ। ୟାମାଗୁଚି ସ୍କୋରକୁ ୧୯-୧୭ ପର୍ଯ୍ୟନ୍ତ ଆଣି ଲଢ଼େଇ କରିବାକୁ ଚେଷ୍ଟା କରିଥିଲେ ହେଁ ସିନ୍ଧୁ ନିଜର ଧୈର୍ଯ୍ୟ ହରାଇ ନଥିଲେ। ଶେଷ ସଟଟି କୋର୍ଟ ବାହାରକୁ ଯିବା ପରେ ସିନ୍ଧୁ ୨୧-୧୭ରେ ଗେମ୍ ସହ ମ୍ୟାଚ୍ ଜିତି ଚାମ୍ପିଅନ ହୋଇଥିଲେ।

ବିରାଟଙ୍କ ପରାମର୍ଶ ବଢାଇଲା ଆତ୍ମବିଶ୍ୱାସ

ସିନ୍ଧୁଙ୍କ ବିଜୟ ପଛରେ ବିରାଟ କୋହଲିଙ୍କ ହାତ ଥିବା ସେ ପ୍ରକାଶ କରିଛନ୍ତି । କାରଣ ବିରାଟଙ୍କ ଟିପ୍ସ ବହୁତ କାମ ଦେଇଥିଲା । ଯାହାକୁ ନେଇ ସେ ଏକ୍ସରେ ଲେଖିଛନ୍ତି ଯେ, ସେ ବିରାଟଙ୍କ ପ୍ରତି ଚିରକୃତଜ୍ଞ ରହିବେ । ଲଗାତାର ଖରାପ ପ୍ରଦର୍ଶନ ଏବଂ ଆହତ ସମସ୍ୟା ତାଙ୍କୁ ମାନସିକ ସ୍ତରରେ ଦୁର୍ବଳ କରିଦେଇଥିଲା । ଏହି ସମୟରେ ସେ କୋହଲିଙ୍କ ସହ କଥା ହୋଇଥିଲେ । ବିରାଟ ତାଙ୍କୁ ବୁଝିପାରିବା ସହ ଅନେକ ପରାମର୍ଶ ଦେଇଥିଲେ । ଟ୍ରଫି ପଛରେ ଧାଇଁବା ଛାଡିଦିଅ ଏବଂ ଖେଳକୁ ଉପଭୋଗ କର ବୋଲି ବିରାଟ କହିଥିଲେ । ଏହି କଥା ହିଁ କ୍ୟାରିଅରର ସବୁଠୁ ବଡ ଟର୍ଣ୍ଣିଂ ପଏଣ୍ଟ ଥିଲା । ଏବେ ସେ ଟ୍ରଫି ଜିତିବାକୁ ନୁହେଁ ବରଂ ଖେଳକୁ ଉପଭୋଗ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ପରାମର୍ଶ ପରେ ସେ ନିଜକୁ ବଦଳାଇଥିଲେ । ଓଜନ କମାଇଥିଲେ । ଯାହା ତାଙ୍କୁ ଅଧିକ ଶୃଙ୍ଖଳ କରିଥିଲା । ଆତ୍ମବିଶ୍ୱାସ ବଢାଇଥିଲା ।

ସୂଚନାଯୋଗ୍ୟ, ଗତବର୍ଷ ସିନ୍ଧୁଙ୍କ କ୍ୟାରିଅର ସବୁଠୁ ଖରାପ ଦିଗରେ ଯାଇଥିଲା । ଆହତ ସମସ୍ୟାରୁ ସେ ବାହାରି ପାରୁନଥିଲେ । ପ୍ୟାରିସ ଅଲମ୍ପିକ ପୂର୍ବରୁ ତାଙ୍କୁ ଝଟକା ଲାଗିଥିଲା । ସୁସ୍ଥ ହେବାକୁ ସମୟ ଲାଗିଥିଲା । ସେ ୨୦୨୪ ସେୟଦ ମୋଦୀ ଇଣ୍ଟରନ୍ୟାଶନାଲ ପରେ କୌଣସି ବଡ଼ ଟୁର୍ଣ୍ଣାମେଣ୍ଟ ଜିତିନଥିଲେ । ଫଳରେ ତାଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡିଥିଲା ।