ଦାରିଙ୍ଗବାଡ଼ି: ପ୍ରତି ଘରେ ବିଶୁଦ୍ଧ ପିଇବା ପାଣି ପହଞ୍ଚାଇବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଗ୍ରାଉଣ୍ଡ ଜିରୋରେ ଏହାର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା। ଗାଁର ସବୁ ପରିବାର ନିକଟରେ ଆଜି ଯାଏଁ ପାଇପ୍ ମାଧ୍ୟମରେ ପିଇବା ପାଣି ପହଞ୍ଚିପାରିନାହିଁ। ଯେଉଁ କେତୋଟି ଜାଗାରେ ସଂଯୋଗ ହୋଇଛି, ସେଠାରେ ବି ନିୟମିତ ପାଣି ମିଳୁନାହିଁ। ଏଭଳି ଅଭିଯୋଗ ଆସିଛି ଦାରିଙ୍ଗବାଡ଼ି ବ୍ଲକ ବୁଡ଼ାଗୁଡ଼ା ପଞ୍ଚାୟତରୁ କେଉଁଦିନ ପାଣି ଆସୁଛି ତ’ ପୁଣି କେଉଁଦିନ ପାଇପ୍ ଶୁଖିଲା ପଡ଼ୁଛି। ଅନ୍ୟପଟେ ମୁଖ୍ୟ ରାସ୍ତା କଡ଼ରେ ଲୋକଙ୍କ ଭରସା ଥିବା ପାନୀୟ ଜଳ ସଂଯୋଗ ଖରାପ ହେବା ପରେ ତାହାକୁ ମରାମତି କରିବା ବଦଳରେ ସମ୍ପୂର୍ଣ୍ଣ କାଟି ଦିଆଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।

ମିଳିଥବା ସୂଚନା ଅନୁସାରେ, ବୁଡ଼ାଗୁଡ଼ାଠାରେ ପାନୀୟ ଜଳ ଯୋଗାଣ ଯୋଜନା ଆରମ୍ଭ ହେବା ବେଳେ ପ୍ରତେକ ସାହିର ପ୍ରତି ଘରକୁ ପାଇପ୍ ସଂଯୋଗ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା। କିନ୍ତୁ ଠିକାଦାର ଓ ସମ୍ପୃକ୍ତ ବିଭାଗ କାମକୁ ଅଧାରେ ଛାଡ଼ି ଦେଇଥିବା ଯୋଗୁଁ ଅନେକ ଘରକୁ ଆଜି ଯାଏଁ ପାଇପ୍ ଯାଇପାରି ନାହିଁ। ଫଳରେ ସେହି ପରିବାରଗୁଡ଼ିକ ଏବେ ବି ଦୂରଦୂରାନ୍ତରୁ ପାଣି ବୋହି ଆଣିବାକୁ ବାଧ୍ୟ ହେଉଛନ୍ତି। ଯେଉଁ ଅଞ୍ଚଳରେ ପାଇପ୍ ସଂଯୋଗ ହୋଇଛି, ସେଠାରେ ବି ସମସ୍ୟାର ସମାଧାନ ହୋଇପାରିନି। କେଉଁଦିନ ସକାଳେ ଅଳ୍ପ ସମୟ ପାଇଁ ପାଣି ଆସୁଛି ତ ପରବର୍ତ୍ତୀ ଦୁଇ-ତିନି ଦିନ ଧରି ମୋଟେ ପାଣି ଆସୁନାହିଁ।

ବଡ଼ କଥା ହେଲା ଗ୍ରାମର ମୁଖ୍ୟ ରାସ୍ତା ନିକଟରେ ଦୁଇଟି ସଂଯୋଗ ଦିଆଯାଇଥିଲା । ଏହା ଉପରେ ଗ୍ରାମର ଅନେକ ଲୋକ ନିର୍ଭର କରୁଥିଲେ । ହେଲେ ନିକଟରେ ଏହାର ମରାମତି ପାଇଁ ଗ୍ରାମବାସୀ କହିଥିବା ବେଳେ, ବିଭାଗ ତ୍ରୁଟି ସୁଧାରିବା ବଦଳରେ ସଂଯୋଗକୁ ସମ୍ପୂର୍ଣ୍ଣ ଭାବେ କାଟି ଦେଇଛି। ଫଳରେ ଅଞ୍ଚଳରେ ପାନୀୟ ଜଳ ସଙ୍କଟ ଆହୁରି ଗମ୍ଭୀର ରୂପ ନେଇଛି।

Also Read: ଟ୍ରେନରୁ ଶରଣକୂଳ କଲେଜ ଅଧ୍ୟକ୍ଷଙ୍କ ମୃତଦେହ ଉଦ୍ଧାର, କେମିତି ହେଲା ମୃତ୍ୟୁ ? ବଢ଼ିଲା ସସପେନ୍ସ

ପିଇବା ପାଣି ପରି ମୌଳିକ ସୁବିଧାରୁ ଆମକୁ ବଞ୍ଚିତ କରାଯାଉଛି । ରାସ୍ତା କଡ଼ ସଂଯୋଗକୁ ମରାମତି ନକରି କାଟି ଦେବା ଅତ୍ୟନ୍ତ ନିନ୍ଦନୀୟ। ଯଦି ତୁରନ୍ତ ଗାଁର ସବୁ ଘରକୁ ପାଇପ୍ ସଂଯୋଗ ସହ ନିୟମିତ ପାଣି ଯୋଗାଣ ନହୁଏ ଏବଂ କଟାଯାଇଥିବା ସଂଯୋଗକୁ ପୁନଃ କାର୍ଯ୍ୟକ୍ଷମ ନକରାଯାଏ, ତେବେ ଆଗାମୀ ଦିନରେ ବ୍ଲକ୍ କାର୍ଯ୍ୟାଳୟ ଘେରାଉ ସହ ରାସ୍ତାରୋକ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ। ସେପଟେ ଏହି ଘଟଣା ଉପରେ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ରାଉତ କନିଷ୍ଠ ଯନ୍ତ୍ରୀ ଉମା ଚରଣ ପରିଡା ତୁରନ୍ତ ଦୃଷ୍ଟି ଦେଇ ଗ୍ରାମବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ସାଧାରଣରେ ଜୋରଦାର ଦାବି ହେଉଛି।