ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ଇରାନର ସଂସଦୀୟ ଉପ-ବାଚସ୍ପତି (Deputy Parliament Speaker) ଅଲି ନିକଜାଦ୍ ଏକ ବଡ଼ ବୟାନ ଦେଇଛନ୍ତି। ସେ ହର୍ମୁଜ ପ୍ରଣାଳୀ (Strait of Hormuz) ଉପରେ ଇରାନର ନିୟନ୍ତ୍ରଣକୁ ଏକ ପରମାଣୁ ବୋମା ସହିତ ତୁଳନା କରିଛନ୍ତି। ଏକ ସାକ୍ଷାତକାରରେ ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ହର୍ମୁଜ ପ୍ରଣାଳୀ ହିଁ ଇରାନ ପାଇଁ ପରମାଣୁ ବୋମା ଭଳି।ଉଭୟ ଦେଶ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହୋଇଥିଲେ ମଧ୍ୟ ପରଷ୍ପରକୁ ଧମକ ଦେବା ବନ୍ଦ ହୋଇନାହିଁ। ଇରାନର ଆଣବିକ କାର୍ଯ୍ୟକ୍ରମ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ସହମତି ନହେବା କାରଣରୁ ଦୁଇ ଦେଶ ମଧ୍ୟରେ ଆଲୋଚନା ସମ୍ପୂର୍ଣ୍ଣ ଭାବେ ଅଟକି ରହିଛି।

ଆମେରିକା ଉପରେ ବର୍ଷିଲେ ଉପ-ବାଚସ୍ପତି

ଗତ ଫେବୃଆରୀ ୨୮ ତାରିଖରୁ ଆରମ୍ଭ ହୋଇଥିବା ଏହି ସଂଘର୍ଷ ପରଠାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଭିନ୍ନ ବିରୋଧାଭାଷୀ ବୟାନକୁ ନେଇ ନିକଜାଦ୍ କଡ଼ା ସମାଲୋଚନା କରିଛନ୍ତି। ତାଙ୍କ କହିବା ଅନୁସାରେ, ଆମେରିକାର କଥାରେ କୌଣସି ବିଶ୍ୱସନୀୟତା ନାହିଁ। ଅନ୍ୟପଟେ, ଯୁଦ୍ଧକୁ ନେଇ ଇରାନର ଏକ ସ୍ପଷ୍ଟ ଏବଂ ଦୃଢ଼ ବୈଚାରିକ ଆଧାର ରହିଛି।

ସେ କହିଛନ୍ତି, ‘ମୋ ପାଇଁ ଏକ ପରମାଣୁ ବୋମା ଅପେକ୍ଷା ହର୍ମୁଜ ପ୍ରଣାଳୀର ଗୁରୁତ୍ୱ ବହୁତ ଅଧିକ। ସହଜ ଭାଷାରେ କହିଲେ, ହର୍ମୁଜ ପ୍ରଣାଳୀ ହିଁ ଆମର ପରମାଣୁ ବୋମା। ଆମେରିକା ପାଖରେ ନିଜର ୫,୦୦୦ରୁ ଅଧିକ ପରମାଣୁ ବୋମା ଅଛି, କିନ୍ତୁ ଯଦି ଆମ ପାଖରେ କେବେ ପରମାଣୁ ବୋମା ଥାନ୍ତା, ତେବେ ବି ଆମେ ତାହାର ବ୍ୟବହାର କେବେହେଲେ କରିନଥାନ୍ତୁ।’ ସେ ଆହୁରି ମଧ୍ୟ କହିଛନ୍ତି ଯେ, ହର୍ମୁଜ ପ୍ରଣାଳୀର ସ୍ଥିତି ଏବେ ପୂର୍ବଭଳି ରହିବ ନାହିଁ। ଏହାକୁ ନେଇ ଇରାନ ସଂସଦରେ ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ କରାଯିବ ଏବଂ ଏଥିପାଇଁ ଆବଶ୍ୟକୀୟ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଛି।

ପୁଣି ବଢ଼ିଲା ଯୁଦ୍ଧ ସ୍ଥିତି

ଆମେରିକା ସେନା ଦାବି କରିଛି ଯେ, ହର୍ମୁଜ ପ୍ରଣାଳୀ ଦେଇ ଗତି କରୁଥିବା ଅନ୍ତର୍ଜାତୀୟ ବାଣିଜ୍ୟିକ ଜାହାଜଗୁଡ଼ିକ ପ୍ରତି ବିପଦ ସୃଷ୍ଟି କରୁଥିବା ଦୁଇଟି ଇରାନୀୟ 'ୱାନ୍-ୱେ ଆଟାକ୍ ଡ୍ରୋନ୍' (ଆତ୍ମଘାତୀ ଡ୍ରୋନ୍) କୁ ସେମାନେ ଗୁଳି କରି ଖସାଇ ଦେଇଛନ୍ତି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ (CENTCOM) ସୋସିଆଲ ମିଡିଆ ଏକ୍ସ (X) ମାଧ୍ୟମରେ ଜଣାଇଛି ଯେ, ମଧ୍ୟପ୍ରାଚ୍ୟରେ ମୁତୟନ ଥିବା ଆମେରିକୀୟ ସେନା ଇରାନର ଆକ୍ରମଣାତ୍ମକ ମନୋଭାବ ବିରୋଧରେ ସଦାସର୍ବଦା ପ୍ରସ୍ତୁତ ରହିଛି। ଏହା ପୂର୍ବରୁ ଶୁକ୍ରବାର (ଜୁନ୍ ୫) ଦିନ ମଧ୍ୟ ଆମେରିକା ଇରାନର ଚାରୋଟି ଡ୍ରୋନକୁ ନଷ୍ଟ କରିବା ସହ ଇରାନର ଉପକୂଳବର୍ତ୍ତୀ ସାମରିକ ରାଡାର କେନ୍ଦ୍ରଗୁଡ଼ିକୁ ଟାର୍ଗେଟ କରିଥିଲା।

ଆମେରିକା ପକ୍ଷରୁ ସିରିକ୍ ଏବଂ କ୍ୟୁସମ ଦ୍ୱୀପ (Sirik and Qeshm Island) ଉପରେ ହୋଇଥିବା ଆକ୍ରମଣର ଜବାବରେ ଇରାନର ସେନା 'ରିଭୋଲ୍ୟୁସନାରୀ ଗାର୍ଡସ' ଆମେରିକାର ସାମରିକ ଘାଟିଗୁଡ଼ିକ ଉପରେ ପାଲଟା ଆକ୍ରମଣ କରିଥିବା ଦାବି କରିଛି। ଏହି ସାମରିକ ସଂଘର୍ଷ ଯୋଗୁଁ ଆଖପାଖର ଅନ୍ୟ ଦେଶଗୁଡ଼ିକ ମଧ୍ୟ ଆତଙ୍କିତ ହୋଇପଡ଼ିଛନ୍ତି। କୁଏତ ଆନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ପ୍ରବଳ ବିସ୍ଫୋରଣର ଶବ୍ଦ ଶୁଣାଯାଇଛି। କୁଏତ ସେନା ପକ୍ଷରୁ କୁହାଯାଇଛି ଯେ, ସେମାନଙ୍କ ଆଡ଼କୁ ଆସୁଥିବା ଶତ୍ରୁପକ୍ଷର ମିସାଇଲ ଏବଂ ଡ୍ରୋନ ଆକ୍ରମଣର ସେମାନେ ଜବାବ ଦେଉଛନ୍ତି। ଏହା ସହିତ ପଡ଼ୋଶୀ ଦେଶ ବାହାରିନର ରାଜଧାନୀ ମାନାମାରେ ମଧ୍ୟ ବିସ୍ଫୋରଣର ଶବ୍ଦ ସହ ଏୟାର ରେଡ୍ ସାଇରନ୍ (ବିପଦ ସଙ୍କେତ) ବାଜିବାରୁ ସେଠାକାର ସ୍ଥିତି ଗମ୍ଭୀର ହୋଇପଡ଼ିଛି।