ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାରରେ ବଡ଼ଧରଣର ବିପର୍ଯ୍ୟୟ । ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟଦିବସ ଅର୍ଥାତ ସୋମବାର ବଜାର ଖୋଲୁଖୋଲୁ ନିବେଶକଙ୍କୁ ଲାଗିଛି ବଡ଼ ଝଟକା । ଆମେରିକା ଏବଂ ଇରାନ ମଧ୍ୟରେ ବଢୁଥିବା ଯୁଦ୍ଧ ପରିସ୍ଥିତି ଏବଂ ବିଶ୍ୱ ବଜାରରୁ ମିଳିଥିବା ଖରାପ ସଂକେତ ଯୋଗୁ ଘରୋଇ ସେୟାର ବଜାର ଧରାଶାୟୀ ହୋଇଛି ।

ସୋମବାର କାରବାର ଶେଷ ସୁଦ୍ଧା, ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୂଚକାଙ୍କ ସେନସେକ୍ସ (BSE Sensex) ୧,୧୨୪ ପଏଣ୍ଟ (୧.୫୨%) ହ୍ରାସ ପାଇ ୭୨,୭୭୨ ସ୍ତରରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ସୂଚକାଙ୍କ ନିଫ୍ଟି-୫୦ (Nifty50) ୩୬୦ ପଏଣ୍ଟ (୧.୫୬%) କ୍ରାସ୍ ହୋଇ ୨୨,୭୮୦.୨୫ ପଏଣ୍ଟକୁ ଖସି ଆସିଛି । ବଜାରର ଏହି ବଡ଼ ପତ୍ତନ ଯୋଗୁ ମାତ୍ର କେଇଟା ଘଣ୍ଟା ମଧ୍ୟରେ ନିବେଶକମାନଙ୍କର ପ୍ରାୟ ୮.୯୨ ଲକ୍ଷ କୋଟି ଟଙ୍କା ବୁଡ଼ିଯାଇଛି ।

ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ସେୟାର:

ସୋମବାର ମାର୍କେଟ କ୍ରାସ୍ ଯୋଗୁ ସେନସେକ୍ସର ସମସ୍ତ ୩୦ଟି ପ୍ରମୁଖ ସେୟାର ଲାଲ୍ ସଙ୍କେତରେ ବନ୍ଦ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ବଜାଜ୍ ଫାଇନାନ୍ସ, କୋଟାକ ମହିନ୍ଦ୍ରା ବ୍ୟାଙ୍କ ଏବଂ ଏଚଡିଏଫସି ବ୍ୟାଙ୍କର ସେୟାର ସବୁଠୁ ଅଧିକ ହ୍ରାସ ପାଇଛି । କେବଳ ବଡ଼ କମ୍ପାନୀ ନୁହେଁ, ବରଂ ମିଡ୍କ୍ୟାପ୍ ଏବଂ ସ୍ମଲ୍କ୍ୟାପ୍ ସେୟାରଗୁଡ଼ିକ ମଧ୍ୟ ୧%ରୁ ଅଧିକ ହ୍ରାସ ହୋଇଛି ।

ସେୟାର ବଜାର କ୍ରାସର ୫ ବଡ଼ କାରଣ:

ସୂଚନାଥାଉକି, ମଧ୍ୟପ୍ରାଚ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସାତ ଦିନିଆ ଅସ୍ତ୍ରବିରତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଅନ୍ୟପଟେ ଇରାନ ରାଷ୍ଟ୍ରପତି ମଧ୍ୟ ଆମେରିକା ଓ ଇସ୍ରାଏଲ୍ ଆଗରେ ମୁଣ୍ଡ ନୁଆଁଇବେ ନାହିଁ ବୋଲି ସ୍ପଷ୍ଟ ଚେତାବନୀ ଦେଇଛନ୍ତି । ଏହି ଭୂ-ରାଜନୈତିକ ସଙ୍କଟ ବିଶ୍ୱ ବଜାରକୁ ଆନ୍ଦୋଳିତ କରିଛି ।

ସେପଟେ ଯୁଦ୍ଧ ଆଶଙ୍କା ଭିତରେ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ୨% ବୃଦ୍ଧି ଘଟିଛି । ବ୍ୟାରେଲ ମୂଲ୍ୟ ଏବେ ୧୦୭ ଡଲାର ପାଖାପାଖି ପହଞ୍ଚିଯାଇଛି । ଯାହାକି ଭାରତ ଭଳି ଆମଦାନୀକାରୀ ଦେଶ ପାଇଁ ଏକ ବଡ଼ ଚିନ୍ତାର ବିଷୟ ।

ତୃତୀୟରେ ଆମେରିକାରେ ୧୦ ବର୍ଷିଆ ଟ୍ରେଜେରୀ ବଣ୍ଡ୍ ୟିଲ୍ଡ ବୃଦ୍ଧି ପାଇ ୫.୨% ଅତିକ୍ରମ କରିଛି, ଯାହାକି ୨୦୦୪ ମସିହା ପରଠାରୁ ସର୍ବୋଚ୍ଚ ସ୍ତର । ବଣ୍ଡ୍ ମାର୍କେଟରେ ଅଧିକ ରିଟର୍ଣ୍ଣ ମିଳୁଥିବାରୁ ନିବେଶକମାନେ ସେୟାର ବଜାର ଭଳି ବିପଦପୂର୍ଣ୍ଣ ଆସେଟରୁ ପଇସା କାଢି ବଣ୍ଡ୍‌ରେ ନିବେଶ କରୁଛନ୍ତି ।

Also Read: ସୁନା ୪୦୦୦, ରୁପା ୯୦୦୦ ଶସ୍ତା, କମୋଡିଟି ବଜାରରେ ହଠାତ୍ ବଡ଼ ଧରଣ ହ୍ରାସ

ସେହିଭଳି ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ପ୍ରାୟ ୧୪ ପଇସା ଦୁର୍ବଳ ହୋଇ ୯୫.୮୯ର ସର୍ବନିମ୍ନ ସ୍ତରକୁ ଖସି ଆସିଛି । ଟଙ୍କାର ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପାଇବା ଫଳରେ ବିଦେଶୀ ନିବେଶକମାନେ ଭାରତୀୟ ବଜାର ପ୍ରତି ଆସ୍ଥା ହରାଉଛନ୍ତି ।

ପଞ୍ଚମରେ ବିଦେଶୀ ନିବେଶକମାନେ କ୍ରମାଗତ ଭାବେ ଭାରତୀୟ ବଜାରରୁ ନିଜର ପୁଞ୍ଜି ପ୍ରତ୍ୟାହାର କରିନେଉଛନ୍ତି । କେବଳ ଚଳିତ ମାସରେ ହିଁ ସେମାନେ ପ୍ରାୟ ୨୫,୬୮୨ କୋଟି ଟଙ୍କାର ସେୟାର ବିକ୍ରି କରିସାରିଲେଣି । ଯାହା ବଜାରକୁ ସମ୍ପୂର୍ଣ୍ଣ ରୂପେ ଦୋହଲାଇ ଦେଇଛି ।