ନୂଆଦିଲ୍ଲୀ, ସୁନା-ରୁପା ଦାମରେ ବଡ଼ ହ୍ରାସ ଘଟିଛି । ସପ୍ତାହର ପ୍ରଥମ କାରୋବାର ଦିନରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରୁ ଆରମ୍ଭ କରି ଘରୋଇ ବଜାର ପର୍ଯ୍ୟନ୍ତ ଗୋଲ୍ଡ-ସିଲଭର ରେଟ୍ ଖୋଲୁ ଖୋଲୁ ତଳ ମୁହାଁ ହୋଇଛି । ଗୋଟିଏ ପଟେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୪୦୦୦ ଟଙ୍କାରୁ ଅଧିକ ହ୍ରାସ ପାଇଥିବା ବେଳେ, ୧ କିଲୋ ରୁପା ମୂଲ୍ୟରେ ୯୦୦୦ ଟଙ୍କାରୁ ଅଧିକ ହ୍ରାସ ପାଇଛି । ଉଲ୍ଲେଖ ଯୋଗ୍ୟ ଯେ, ବିଗତ ସପ୍ତାହରେ ମଧ୍ୟ ସୁନା-ରୁପା ଦରରେ ବଡ଼ ଅସ୍ଥିରତା ଦେଖିବାକୁ ମିଳିଥିଲା, ଯାହା ଚଳିତ ସପ୍ତାହ ଆରମ୍ଭରେ ମଧ୍ୟ ଜାରି ରହିଛି ।

ସୋମବାର କମୋଡିଟି ମାର୍କେଟରେ ଏମସିଏକ୍ସରୁ ଆରମ୍ଭ କରି ଘରୋଇ ବଜାର ପର୍ଯ୍ୟନ୍ତ ରୁପା ମୂଲ୍ୟ ତଳମୁହାଁ ହୋଇଛି । ଏମସିଏକ୍ସ ସିଲଭର୍ ପ୍ରାଇସ୍ ଉପରେ ନଜର ପକାଇଲେ, ଡିସେମ୍ବର ୪ ଏକ୍ସପାଇରୀ ଥିବା ଫ୍ୟୁଚର ରୁପା ତା'ର ପୂର୍ବ କାରବାର ତୁଳନାରେ ୨,୩୪,୬୯୬ ଟଙ୍କା କିଲୋଗ୍ରାମରୁ ଖସି ୨,୨୭,୧୯୭ ଟଙ୍କା ହୋଇଛି । ଅର୍ଥାତ୍ ଗୋଟିଏ ଝଟକାରେ ରୁପାର ଫ୍ୟୁଚର ଦର ୭,୪୯୯ ଟଙ୍କା କମିଯାଇଛି ।

ଘରୋଇ ବଜାରରେ ରୁପା ଏତିକି ଶସ୍ତା

ଜାତୀୟ ସ୍ତରର ଏମସିଏକ୍ସରେ ରୁପା ଦର କିଲୋପ୍ରତି ୭,୪୯୯ ଟଙ୍କା କମିଥିବା ବେଳେ, ଘରୋଇ ବଜାରରେ ସିଲଭର୍ କ୍ରାସ୍ ହୋଇଛି । ଇଣ୍ଡିଆନ୍ ବୁଲିୟନ୍ ଜୁଏଲର୍ସ ଆସୋସିଏସନ୍ ଅନୁସାରେ, ୧ କିଲୋଗ୍ରାମ ରୁପା ମୂଲ୍ୟ ପୂର୍ବ ବନ୍ଦ ମୂଲ୍ୟ ୨,୩୨,୩୫୦ ଟଙ୍କା ତୁଳନାରେ ଖସି ୨,୨୩,୧୯୨ ଟଙ୍କାରେ ପହଞ୍ଚିଛି । ଏହି ହିସାବରେ ରୁପା କିଲୋପ୍ରତି ୯,୧୫୮ ଟଙ୍କା ଶସ୍ତା ହୋଇଛି ।

କେବଳ ରୁପା ନୁହେଁ, ସୁନା ଦାମ୍ ମଧ୍ୟ ସୋମବାର ଶସ୍ତା ହୋଇଛି । ଏମସିଏକ୍ସ ଗୋଲ୍ଡ ରେଟ୍ ଦେଖିଲେ, ଏଠାରେ ଫ୍ୟୁଚର କାରବାରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧,୪୭,୩୪୩ ଟଙ୍କାକୁ ଖସି ଆସିଛି, ପୂର୍ବ କାରୋବାର ଦିନରେ ୧,୫୦,୮୮୧ ଟଙ୍କା (ପ୍ରତି ୧୦ ଗ୍ରାମ)ରେ ବନ୍ଦ ହୋଇଥିଲା । ଅର୍ଥାତ୍ ଏମସିଏକ୍ସରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ଦର ୩,୫୩୮ ଟଙ୍କା କମିଛି ।

ଘରୋଇ ବଜାରରେ ମଧ୍ୟ ସୁନା ଖସିଲା

ଇଣ୍ଡିଆନ୍ ବୁଲିୟନ୍ ଜୁଏଲର୍ସ ଆସୋସିଏସନ୍ ରେଟକୁ ଦେଖିଲେ, ଏଠାରେ ସୁନା ମୂଲ୍ୟରେ ଫ୍ୟୁଚର କାରବାରଠାରୁ ଅଧିକ ହ୍ରାସ ଦେଖିବାକୁ ମିଳିଛି । ଗତ ଶୁକ୍ରବାର ଘରୋଇ ବଜାରରେ ୨୪ କ୍ୟାରେଟ୍ ସୁନା ରେଟ୍ ୧,୫୨,୧୧୩ ଟଙ୍କାରେ ବନ୍ଦ ହୋଇଥିଲା । ସୋମବାର ଏହା ୧,୪୮,୦୪୦ ଟଙ୍କାକୁ ଖସିଆସିଛି । ଅର୍ଥାତ୍ ଘରୋଇ ବଜାରରେ ସୁନା ୪,୦୭୩ ଟଙ୍କା ଶସ୍ତା ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ ଇଣ୍ଡିଆନ୍ ବୁଲିୟନ୍ ଜୁଏଲର୍ସ ଆସୋସିଏସନ୍ ଦ୍ୱାରା ଅପଡେଟ୍ କରାଯାଉଥିବା ସୁନା-ରୁପା ଦର ସାରା ଦେଶରେ ସମାନ ଥାଏ । କିନ୍ତୁ ସୁନା ଦୋକାନଗୁଡ଼ିକରେ ଗହଣା କିଣିବା ସମୟରେ ଏହା ଉପରେ ୩% ଜିଏସଟି ସହିତ ମେକିଂ ଚାର୍ଜ ମଧ୍ୟ ଦେବାକୁ ପଡ଼ିଥାଏ, ଯାହା ଦ୍ୱାରା ଏହାର ମୂଲ୍ୟ ବୃଦ୍ଧି ପାଇଥାଏ ।