କଟକ: ରାଜ୍ୟ ଅଲିମ୍ପିକ ସଂଘର ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଗତବର୍ଷର ଅଡିଟ ରିପୋର୍ଟ ଓ ୨୦୨୬-୨୭ ବର୍ଷ ପାଇଁ ବଜେଟ ଓ ଆସନ୍ତା ୪ ବର୍ଷ ପାଇଁ ରାଜ୍ୟରେ ଅଲମ୍ପିକ କ୍ରୀଡ଼ାର ଆୟୋଜନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏନେଇ ରାଜ୍ୟ ସଂଘ ସମ୍ପାଦକ ଅଭିଜିତ ପାଲଙ୍କ କହିଛନ୍ତି ୨୦୨୬ରେ ଭାରତରେ ହେବାକୁ ଥିବା ଅଲମ୍ପିକ ଗେମ ଓ ୨୦୩୦ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମଧ୍ୟ ଆୟୋଜନ ହେବାର ସମ୍ଭାବନା ରହିଛି।

ସେ ଆହୁରି କହିଛନ୍ତି, ଏହି ମେଗା ଇଭେଣ୍ଟରେ କିପରି ଅଧିକରୁ ଅଧିକ ଓଡ଼ିଆ ଖେଳାଳି ସାମିଲ ହେବେ ସେନେଇ ବୈଠକରେ ଆଲୋଚନା ହୋଇଛି। ଆଗମୀ ଦିନରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବିଭିନ୍ନ କ୍ରୀଡ଼ାର ପ୍ରସାର ହେବ ଓ ତୃଣମୂଳ ସ୍ତରରୁ ଖେଳାଳି ଚୟନ ହେବେ ତାହା ଉପରେ ଅଧିକ ଗୁରୁତ୍ଵ ଆରୋପ କରାଯାଇଥିଲା।

ଏହାବ୍ୟତୀତ ସ୍ପୋର୍ଟସ ଗଭର୍ଣ୍ଣାସ ଆକ୍ଟ ୨୦୨୫ ନିୟମ ଅନୁଯାୟୀ ରାଜ୍ୟରେ ଯେଉଁ ସଂଘର ନିର୍ବାଚନ ହୋଇନାହିଁ, ତାହା ଚଳିତବର୍ଷ ଶେଷ ସୁଦ୍ଧା ଶେଷ କରିବାକୁ ନିର୍ଦେଶ ଦେଇଛି ରାଜ୍ୟ ସଂଘ। ୨୦୨୮ ମାର୍ଚ୍ଚ ମାସରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ ବିଶ୍ୱ ଆଥଲେଟିକ ମିଟ୍। ଅଲିମ୍ପିକ ପରେ ଏହି ମେଗା ସ୍ପୋର୍ଟସ ଇଭେଣ୍ଟରେ ୧୩୦ରୁ ଉର୍ଦ୍ଧ୍ବ ଦେଶର ଖେଳାଳି ଭାଗନେବେ।

Also Read: ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ: ସନ୍ଦୀପ, ସମୀକ୍ଷା, ତପନଙ୍କୁ ଓସ୍ଜା ଦାୟିତ୍ବ

ଭାରତ ବର୍ଷରେ ଏତେବଡ଼ କ୍ରୀଡା ଆୟୋଜନ କେବେ ହୋଇନାହିଁ। ତେବେ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ ଏହି ଆୟୋଜନ ସମ୍ଭବ ହେବାକୁ ଯାଉଛି। ଏହିଭଳି ଆୟୋଜନ ଓଡ଼ିଆ ଖେଳାଳିଙ୍କୁ ପ୍ରୋତ୍ସାହନ ଯୋଗାଇବ ବୋଲି କହିଛନ୍ତି ଅଲମ୍ପିକ ସଂଘ ସମ୍ପାଦକ। ବୈଠକରେ ରାଜ୍ୟର ଅନୁବନ୍ଧିତ ସମସ୍ତ କ୍ରୀଡା ସଂଘ ଯୋଗଦେଇଥିଲେ ।