ନୂଆଦିଲ୍ଲୀ ୦୬। ୦୮: ୨୦୨୫ର ସବୁଠୁ ମହଙ୍ଗା ଭାରତୀୟ ସେଲିବ୍ରିଟି ହୋଇଛନ୍ତି କିଙ୍ଗ୍ ଖାନ । କ୍ରଲ୍ର ନୂଆ ରିପୋର୍ଟ ଏବେ ସାମ୍ନାକୁ ଆସିଛି । ୧୭.୭୯ କୋଟି ଡଲାର ବ୍ରାଣ୍ଡ ଭାଲ୍ୟୁ ସହିତ ସେ ତାଲିକାର ଶୀର୍ଷରେ ଅଛନ୍ତି । ଗତ ବର୍ଷ ସେ ୩ୟ ସ୍ଥାନରେ ଥିଲେ । ୧୬.୨୯ କୋଟି ଡଲାର ସହିତ ୨ୟ ସ୍ଥାନରେ ଅଛନ୍ତି ରଣବୀର ସିଂହ । ୨୦୨୫ରେ ଭାରତର ଶୀର୍ଷ ୨୫ ସେଲିବ୍ରିଟି ବ୍ରାଣ୍ଡର ମିଳିତ ମୂଲ୍ୟ ୨୦୦ କୋଟି ଆମେରିକୀୟ ଡଲାର ଆକଳନ କରାଯାଇଛି । ପୂର୍ବ ବର୍ଷଠାରୁ ଏହା ୩.୭ ପ୍ରତିଶତ ଖସିଛି ।

ବ୍ରାଣ୍ଡ ସହ ଭାଗିଦାରୀ ଓ ସୋସିଆଲ ମିଡିଆରେ ଉପସ୍ଥିତି ଉପରେ ସେଲିବ୍ରିଟିଙ୍କ ବ୍ରାଣ୍ଡ ଭାଲ୍ୟୁ ତାଲିକା ଆଧାରିତ । ସେଲିବ୍ରିଟି-ବ୍ରାଣ୍ଡ ଭାଗିଦାରୀରେ ଡିଜିଟାଲ ପ୍ଲାଟ୍ଫର୍ମଗୁଡ଼ିକର ବୃଦ୍ଧି ପାଉଥିବା ଭୂମିକା ଉପରେ ମଧ୍ୟ ଏହି ରିପୋର୍ଟ ଆଲୋକପାତ କରିଛି । ୨୦୨୪ରେ ବିରାଟ କୋହଲି ବ୍ରାଣ୍ଡ ଭାଲ୍ୟୁ ମାମଲାରେ ଶୀର୍ଷରେ ଥିଲେ । ଏଥର ସେ ୩ୟ ସ୍ଥାନକୁ ଖସିଛନ୍ତି । ତାଙ୍କ ବ୍ରାଣ୍ଡ ଭାଲ୍ୟୁ ୧୫.୮୪ କୋଟି ଡଲାର ଆକଳନ କରାଯାଇଛି । ସଚିନ ତେନ୍ଦୁଲକର ୧୨.୫୯ କୋଟି ଡଲାର ବ୍ରାଣ୍ଡ ଭାଲ୍ୟୁ ସହିତ ୪ର୍ଥ ସ୍ଥାନରେ ଅଛନ୍ତି ।

ଅନ୍ୟପକ୍ଷେ, ୧୧.୫୩ କୋଟି ଡଲାର ବ୍ରାଣ୍ଡ ଭାଲ୍ୟୁ ସହିତ ୫ମକୁ ଉଠିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନି । ବ୍ରାଣ୍ଡ ସହଭାଗିତାରେ ବ୍ୟାପକ ବୃଦ୍ଧି ଯୋଗୁ ତାଙ୍କ ବ୍ରାଣ୍ଡ ଭାଲ୍ୟୁ ବଢ଼ିଥିବା କ୍ରଲ୍ ସ୍ପଷ୍ଟ କରିଛି । ତାଲିକାରେ ସାମିଲ ମହିଳା ସେଲିବ୍ରିଟିଙ୍କ ମଧ୍ୟରେ ୬ଷ୍ଠ ସ୍ଥାନରେ ଅଛନ୍ତି ଆଲିୟା ଭଟ୍ଟ । ତାଙ୍କ ବ୍ରାଣ୍ଡ ଭାଲ୍ୟୁ ୯.୩୯ କୋଟି ଡଲାର । ତାଙ୍କ ପରେ ୮.୯୨ କୋଟି ଡଲାର ସହିତ ୭ମରେ ଅଛନ୍ତି ଦୀପିକା ପାଦୁକୋନ । ୮.୮୯ କୋଟି ଡଲାର ବ୍ରାଣ୍ଡ ଭାଲ୍ୟୁ ସହିତ ୮ମରେ ଅଛନ୍ତି ଋତ୍ୱିକ ରୋଶନ । ଅମିତାଭ ବଚ୍ଚନ ଓ ଅକ୍ଷୟ କୁମାର ଯଥାକ୍ରମେ ୯ମ ଓ ୧୦ ସ୍ଥାନରେ ଅଛନ୍ତି ।