ପୁରୀ ୨୮।୯: ଭକ୍ତଙ୍କ ଦୀର୍ଘଦିନର ପ୍ରତିକ୍ଷାର ଅନ୍ତହେବ। ଆସନ୍ତା ୩୦ ତାରିଖରୁ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର। ପ୍ରଥମ ତିନିଦିନ ସମ୍ପୂର୍ଣ୍ଣ ମାଗଣାରେ ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିପାରିବେ। ଏହାପରେ ବ୍ୟକ୍ତି ପିଛା ୧୦ ଟଙ୍କା ପ୍ରବେଶ ଶୁଳ୍କ ନିଆଯିବ। ୮୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକ, ଛୋଟପିଲା ଓ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ପ୍ରବେଶ ଶୁଳ୍କ ଲାଗୁ ହେବ ନାହିଁ। ଦିବ୍ୟାଙ୍ଗ ବ୍ୟକ୍ତି ଯେଭଳି ସୁରୁଖୁରୁରେ ଦର୍ଶନ କରିବେ ସେଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିବ।

ଭକ୍ତମାନେ ମାଗଣାରେ ନିଜର ଜୋତା ଏବଂ ମୋବାଇଲ୍ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜୋତା ଏବଂ ମୋବାଇଲ ଷ୍ଟାଣ୍ଡ କରାଯାଇଛି। ଶ୍ରୀଗୁଣ୍ଡିଚା ମନ୍ଦିର ଭିତରେ ପାନୀୟ ଜଳ ବ୍ୟବସ୍ଥା, ସିସିଟିଭି ବ୍ୟବସ୍ଥା ସହିତ ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପକୁ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା କରାଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏଁ ପ୍ରତିଦିନ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲା ରହିବ।୨୦୨୦ରେ କୋଭିଡ୍ ସଂକ୍ରମଣ ବ୍ୟାପିବା ଯୋଗୁଁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା। କୋଭିଡ୍ ପରେ ଶ୍ରୀଗୁଣ୍ଡିଚା ମନ୍ଦିର ଭିତରେ ବିଭିନ୍ନ ଉନ୍ନତିମୂଳକ ଏବଂ ସଂରକ୍ଷଣ କାର୍ଯ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିଲା। ଭକ୍ତଙ୍କ ବାରମ୍ବାର ଦାବି ପରେ ଶ୍ରୀଗୁଣ୍ଡିଚା ମନ୍ଦିର ଆସନ୍ତା ୩୦ ତାରିଖରୁ ଖୋଲିବା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି।

Also Read:- କେନ୍ଦୁଝର ଷ୍ଟ୍ରିଟ୍ ଲାଇଟ୍ ମାମଲାରେ ଟ୍ବିଷ୍ଟ୍, ଭିଜିଲାନ୍ସ କୋର୍ଟରେ ୩ ଯନ୍ତ୍ରୀଙ୍କ ଆତ୍ମସମର୍ପଣ

ଦୀର୍ଘ ୬ ବର୍ଷରୁ ଅଧିକ ହେବ ଶ୍ରୀଗୁଣ୍ଡିଚା ମନ୍ଦିର ଭକ୍ତଙ୍କ ପ୍ରବେଶ ପାଇଁ କଟକଣା ରହିଥିଲା। ଏହାକୁ ନେଇ ଭକ୍ତ ଏବଂ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲା। ତେବେ ଶ୍ରୀଗୁଣ୍ଡିଚା ମନ୍ଦିରର ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ କରିବାକୁ ଜଗନ୍ନାଥ ପ୍ରେମୀ ମାନେ କହିଛନ୍ତି।