ଚେନ୍ନାଇ, ୦୫/୦୫: ତାମିଲନାଡୁରେ ଇତିହାସ ରଚିଛନ୍ତି ଅଭିନେତା ଟର୍ଣ୍ଣଡ୍ ପଲିଟିସିଆନ୍ ବିଜୟ । ତାଙ୍କ ଦଳ ଟିଭିକେ ମାତ୍ର ଗୋଟିଏ ବର୍ଷରେ ସଫଳତା ପାଇଛି । ନୂଆ ଦଳ ହୋଇ ମଧ୍ୟ ତାମିଲନାଡୁ ବିଧାନସଭା ନିର୍ବାଚନରେ ୧୦୬ ଆସନ ଜିତିଛି । ଏହାସହ ବିଜୟ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଅନେକ ବଡ ଦଳ ଏବଂ ଭେଟେରାନ ନେତାଙ୍କୁ ମାତ୍ ଦେଇଛନ୍ତି ବିଜୟ ଏବଂ ତାଙ୍କର ଦଳର ପ୍ରାର୍ଥୀ ।

ତେବେ ବିଜୟଙ୍କ ବିଜୟ ପରେ ଶୁଭେଚ୍ଛା ଜଣାଇଛନ୍ତି ଜୋହୋର ସଂସ୍ଥାପକ ତଥା ବୈଜ୍ଞାନିକ ଶ୍ରୀଧର ଭେମ୍ବୁ । ସେ କହିଛନ୍ତି ଯେ, ତାମିଲନାଡୁରେ ବିଜୟଙ୍କ ଐତିହାସିକ ବିଜୟ ହୋଇଛି । ଏଥିପାଇଁ ତାଙ୍କୁ ଶୁଭେଚ୍ଛା । ଏଥର ତାମିଲନାଡୁରେ ଟଙ୍କା ବଦଳରେ ଭୋଟ୍ ରାଜନୀତି ଦେଖିବାକୁ ମିଳିନାହିଁ । ଡିଏମକେ ଏବଂ ଏଆଇଏଡିଏମକେ ନିଜର ସଙ୍ଗଠନ ଏବଂ ଟଙ୍କା ପାଇଁ ନିର୍ବାଚନରେ ବାଜି ମାରୁଥିଲେ ।

ଭେମ୍ବୁ କହିଛନ୍ତି ଯେ, ବିଜୟଙ୍କ ଯେଉଁ ବିଚାରଧାରା ଏବଂ ଭିଜନ ଅଛି ତାହା ଜୋହୋର କାର୍ଯ୍ୟାଳୟରେ ମଧ୍ୟ ଦେଖିବାକୁ ମିଳିଛି । ଅନେକ ଯୁବକ-ଯୁବତୀ ବିଜୟଙ୍କୁ ପସନ୍ଦ କରୁଛନ୍ତି । ଏହାସହ ସେ ରାଜ୍ୟରେ ଭୋଟ୍ ପାଇଁ ଟଙ୍କା ରାଜନୀତିର ଅନ୍ତ ଘଟାଇଛନ୍ତି । ବର୍ତ୍ତମାନ ଜୋହୋ ରାଜ୍ୟରେ ନୂଆ ଉର୍ଜାର ସହ କାମ କରିବ । ପ୍ରଥମେ ସେ ନିଜେ ବିଜୟଙ୍କ ଦବଦବାକୁ ଗୁରୁତର ସହ ନେଇନଥିଲେ । ଏବେ କିନ୍ତୁ ସବୁଠି ବିଜୟଙ୍କୁ ନେଇ ଚର୍ଚ୍ଚା । ଦିଲ୍ଲୀ ବିମାନ ବନ୍ଦରରେ କାର୍ଯ୍ୟ କରୁଥିବା ସିକ୍ୟୁରିଟି ଗାର୍ଡଠୁ ଆରମ୍ଭ କରି ତାମିଲନାଡୁର କୌଣସି ଗାଁର ଏକ ଚାଷୀର ପୁଅ ବିଜୟଙ୍କ ଫ୍ୟାନ୍ସ ଅଟନ୍ତି ।

ଆହୁରି ମଧ୍ୟ ଭେମ୍ବୁ କହିଛନ୍ତି ଯେ, ଦିଲ୍ଲୀ ବିମାନବନ୍ଦରରେ ସେ ଜଣେ ସିକ୍ୟୁରିଟି ଗାର୍ଡଙ୍କ ସହ କଥା ହୋଇଥିଲେ । ସିକ୍ୟୁରିଟି ଗାର୍ଡ ଭେମ୍ବୁଙ୍କୁ ଦେଖି ସେ ତାମିଲନାଡୁର ବୋଲି ଜାଣିପାରିଥିଲେ । ଏପରିକି ତାଙ୍କୁ ଏଥର ବିଜୟ ଥଲ୍ଲାପତି ଜିତିବେ କି ବୋଲି ପଚାରିଥିଲେ । ଏହାର କିଛି ଦିନ ପରେ ଜଣେ କୃଷକଙ୍କ ପୁଅ ବିଜୟ ଏଥର ବୁଥରେ ଟିଭିକେ ସମସ୍ତଙ୍କୁ ଚକିତ କରିବେ ବୋଲି କହିଥିଲେ । କୃଷକଙ୍କ ପୁଅ ପୂର୍ବରୁ ବିଜେପିର କର୍ମୀ ଥିଲେ ଏବଂ କେ ଆନ୍ନାମଲ୍ଲାଇଙ୍କ ପ୍ରଶଂସକ ଥିଲେ ।​​​​​​​

ଜୋହୋ ପ୍ରତିଷ୍ଠାତା ଆହୁରି କହିଛନ୍ତି ଯେ, ବିଜୟଙ୍କ ଉପରେ ତାମିଲନାଡୁର ସାଧାରଣ ଜନତାଙ୍କ ଆଶା, ଭରସା ଏବଂ ବିଶ୍ୱାସ ରହିଛି । ସେ ରାଜନୀତିକୁ ଫିଲ୍ମ ଭାବେ ନେବେନି ବୋଲି ଆଶା କରାଯାଉଛି । ଏହାସହ ଏଗଜିଟ୍ ପୋଲ ସଦାବେଳେ ସତ ନୁହେଁ । ଯେଉଁଠି ତିନୋଟି ଦଳ ମଇଦାନରେ ଥାନ୍ତି ସେଠାରେ କିଛି ବି ଘଟିପାରେ । କୌଣସି ନୂଆ ପାର୍ଟି ନିର୍ବାଚନ ଲଢିଲେ କିଏ ଜିତିବ ତାହା କହିବା ସହଜ କଥା ନୁହେଁ ।​​​​​​​