ନୂଆଦିଲ୍ଲୀ: ମିଳିତ ଜାତିସଂଘ ସାଧାରଣ ସଭା (UNGA) ର ୮୧ତମ ଅଧିବେଶନରେ ଅଭିଭାଷଣ ଦେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ନିଜର ପୁରୁଣା ଦାବି ଦୋହରାଇଛନ୍ତି। ମେ ୨୦୨୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧକୁ ସେ ସ୍ଥଗିତ କରିଥିଲେ ବୋଲି ଦାବି କରିଛନ୍ତି।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ଜଣେ "ଚମତ୍କାର ବ୍ୟକ୍ତି" ବୋଲି ଅଭିହିତ କରି ଟ୍ରମ୍ପ କହିଛନ୍ତି ଯେ, ଯୁଦ୍ଧ ରୋକିବା ଏବଂ ପ୍ରାୟ ୩୦ ମିଲିୟନ୍ (୩ କୋଟି) ଜୀବନ ବଞ୍ଚାଇଥିବାରୁ ଶାହବାଜ ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ଯେଉଁ ସବୁ ଦେଶର ସଂଘର୍ଷରେ ସେ ମଧ୍ୟସ୍ଥତା କରିଛନ୍ତି, ସେହି ଦେଶଗୁଡ଼ିକର ନେତାମାନେ ତାଙ୍କୁ କୃତଜ୍ଞତା ପତ୍ର ଲେଖିଛନ୍ତି ବୋଲି ଟ୍ରମ୍ପ ପ୍ରକାଶ କରିଛନ୍ତି।

ମେ ୨୦୨୫ରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନାଗରିକଙ୍କ ମୃତ୍ୟୁ ପରେ ଭାରତ 'ଅପରେସନ୍ ସିନ୍ଦୂର'ମାଧ୍ୟମରେ କଠୋର ଜବାବ ଦେଇଥିଲା। ଏହାପରେ ଦୁଇ ଦେଶ ମଧ୍ୟରେ ସାମରିକ ଉତ୍ତେଜନା ବୃଦ୍ଧି ପାଇଥିଲା। ଟ୍ରମ୍ପ ଦାବି କରିଛନ୍ତି ଯେ, ତାଙ୍କ ହସ୍ତକ୍ଷେପ ଯୋଗୁଁ ହିଁ ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରାମ ସମ୍ଭବ ହୋଇପାରିଥିଲା।

ସେ କହିଛନ୍ତି ଯେ, ଏହି ବିବାଦ ପରମାଣୁ ଯୁଦ୍ଧର ରୂପ ନେଇପାରିଥାନ୍ତା ଏବଂ କୋଟି କୋଟି ଲୋକ ଜୀବନ ହରାଇଥାନ୍ତେ। ଏହି ଶାନ୍ତି ପ୍ରକ୍ରିୟା ପାଇଁ ସେ ନିଜକୁ ନୋବେଲ ଶାନ୍ତି ପୁରସ୍କାରର ହକଦାର ବୋଲି ମଧ୍ୟ ପୂର୍ବରୁ କହିସାରିଛନ୍ତି।

ଭାରତ ସରକାର ଟ୍ରମ୍ପଙ୍କ ଏହି ଦାବିକୁ ଲଗାତାର  ପ୍ରତ୍ୟାଖ୍ୟାନ କରିଆସୁଛନ୍ତି। ଭାରତ ସ୍ପଷ୍ଟ କରିଛି ଯେ, ମେ ୧୦, ୨୦୨୫ରେ ହୋଇଥିବା ଯୁଦ୍ଧବିରାମ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ହୋଇଥିଲା ଏବଂ ଏଥିରେ କୌଣସି ତୃତୀୟ ପକ୍ଷର ମଧ୍ୟସ୍ଥତା ନଥିଲା। ଅନ୍ୟପଟେ ପାକିସ୍ତାନ ଟ୍ରମ୍ପଙ୍କ ଦାବିକୁ ସମର୍ଥନ କରିଛି। ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଟ୍ରମ୍ପଙ୍କୁ ‘ଶାନ୍ତିର ଦୂତ’ ବୋଲି କହିବା ସହ ସମୟୋପଯୋଗୀ ହସ୍ତକ୍ଷେପ ପାଇଁ ପାକିସ୍ତାନ ସଦାସର୍ବଦା କୃତଜ୍ଞ ରହିବ ବୋଲି କହିଥିଲେ।