ପୁରୀ, ୨୭। ୦୭ : ୨୭ ଦିନ ଶୂନ୍ୟ ପଡ଼ିଲାଣି ଶ୍ରୀମନ୍ଦିର ରତ୍ନବେଦି। ଶ୍ରୀବିଗ୍ରହଙ୍କ ସ୍ନାନ ଯାତ୍ରା ପରେ ଅଣସର ଘରେ ଗୁପ୍ତ ନୀତି ପରକୁ କଳିଆସାଆନ୍ତଙ୍କ ଜନ୍ମବେଦି ଲୀଳାଖେଳା ମଧ୍ୟ ଶେଷ ହେଲା। ଏଣିକି ନୀଳକନ୍ଦରକୁ ଫେରିଯିବେ ନୀଳାଦ୍ରିନାଥ। ସୋମବାର ରଥଯାତ୍ରାର ଶେଷ ପର୍ବ ‘ନୀଳାଦ୍ରି ବିଜେ’। ଏହି ଅବସରରେ ରତ୍ନସିଂହାସନରେ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ଅସଂଖ୍ୟ ଭକ୍ତଙ୍କୁ ଛାଡ଼ି ଭଗବାନ ବଡ଼ଦେଉଳକୁ ଫେରିଯିବେ। ସିଂହଦ୍ବାରେରେ ଭାବବିହ୍ବଳ ପରିବେଶ ସୃଷ୍ଟି ହେବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଧାର୍ଯ୍ୟ ନୀତି ନିର୍ଘଣ୍ଟ ଅନୁସାରେ ଅପରାହ୍ଣ ୪ଟାରୁ ଠାକୁରଙ୍କ ନୀଳାଦ୍ରି ବିଜେ ପହଣ୍ଡି ଆରମ୍ଭ ହେବ। ସପ୍ତମୂର୍ତି ଗୋଟି ପହଣ୍ଡିରେ ଯାଇ ନିଜ ନିଜ ଆସ୍ଥାନରେ ବିଜେ ହେବେ।

Also Read :- ଆଜି ଫାଟିବ ବାଦଲ, ୨୭ ଜିଲ୍ଲାରେ ହଠାତ ମାଡ଼ି ଆସିବ ବନ୍ୟା ! ଜାରି ହେଲା ରେଡ୍ ଓ୍ୱାର୍ଣ୍ଣିଂ

ଠାକୁରଙ୍କ ବିଜେ ପୂର୍ବରୁ ରତ୍ନସିଂହାସନ ତ୍ରିମୁଣ୍ଡିରେ ଚାନ୍ଦୁଆ ବନ୍ଧା ସରି ଅଖଣ୍ଡ ବଇଠା ବସିଥିବ। ଏପଟେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥ ଉପରେ ଠାକୁରଙ୍କ ସନ୍ଧ୍ୟାଧୂପ ନୀତି ଚଢ଼ିବା ପରେ ପହଣ୍ଡି ପ୍ରସ୍ତୁତି ହେବ। ରଥରେ ଚାରମାଳ ବନ୍ଧା ହେବ ।ସିଂହାସନ ମାଜଣା ହେବ । ପୁଷ୍ପାଞ୍ଜଳି ଅର୍ପଣ ହୋଇ ବିଜେ କାହାଳି ବାଜିବ । ପରେ ଠାକୁରଙ୍କ ପହଣ୍ଡି ଆରମ୍ଭ ହେବ। ପୁଷ୍ପାଳକ ସେବକମାନେ ପ୍ରଥମେ ଶ୍ରୀମଦନମୋହନ ଓ ଶ୍ରୀରାମକୃଷ୍ଣଙ୍କୁ ଦକ୍ଷିଣଘରେ ବିଜେ କରାଇବେ।

ପରେ ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପହଣ୍ଡି ହେବ। ଶେଷରେ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ହେବ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଜେ ରାସ୍ତାରେ ବାଟ ଓଗାଳିବେ ମା’ଲକ୍ଷ୍ମୀ ସାଆନ୍ତାଣୀ। ପହଣ୍ଡି ସମୟରେ ସମ୍ପନ୍ନ ହେବ ନୀଳାଦ୍ରି ବିଜେର ବିଶେଷ ପର୍ବ ‘ଲକ୍ଷ୍ମୀ-ନାରାୟଣ କଳି’ । ଶ୍ରୀଜଗନ୍ନାଥ ରସଗୋଲା ଦେଇ ଧର୍ମପତ୍ନୀଙ୍କ ମନ ତୋଷିବେ। ନୀଳାଦ୍ରି ବିଜେରେ ଠାକୁରଙ୍କ ଏସବୁ ମାନବୀୟ ଲୀଳାଖେଳା ଦେଖି ଧନ୍ୟ ହେବେ ହଜାର ହଜାର ଭକ୍ତ ।