ନୂଆଦିଲ୍ଲୀ: ପୂଜାର୍ଚ୍ଚନା, ତନ୍ତ୍ର- ମନ୍ତ୍ର ମାଧ୍ୟମରେ ଧନ ଲାଭ ହେବ ବୋଲି ପ୍ରତିଶ୍ରୁତି ଦେଉଥିଲେ। ପୁଣି ଭବିଷ୍ୟ ବଦଳାଇଦେବା ଭବିଷ୍ୟବାଣୀ କରୁଥିଲେ। ଖାଲି ସେତିକି ନୁହେଁ ନାମୀ ଲୋକ ବି ତାଙ୍କର ଅନୁଗାମୀ ବୋଲି କହୁଥିଲେ ବାବା। ହେଲେ ଏସବୁକୁ ଆଳ କରି ଲୋକଙ୍କ ଠକିବା ଥିଲା ମୁଖ୍ୟ ଉଦ୍ଦେଶ୍ୟ । କିନ୍ତୁ ଏବେ ହୋଇଛି ଏଭଳି ଜଣେ ଭଣ୍ଡ ବାବାର ପର୍ଦ୍ଦାଫାଶ। ପୋଲିସ ଏହି ଭଣ୍ଡ ବାବାଙ୍କୁ ତାଙ୍କ ଆଶ୍ରମରୁ ଉଠାଇ ନେଇଛି। ଏଭଳି ଘଟଣା ଘଟିଛି ମହାରାଷ୍ଟ୍ର ପଣ୍ଢରପୁରରେ। ଏଠାରେ ନନ୍ନା ବିରକର ଓରଫ୍ ଗୁରୁମୌଲି ବାବାଙ୍କୁ ଗିରଫ କରିଛି ପୋଲିସ।

ସୂଚନା ଅନୁସାରେ, କିଛି ଦିନ ତଳେ ସୋଲାପୁର ଜିଲ୍ଲାରେ ଏକ ଘୋଟାଲା ସାମ୍‌ନାକୁ ଆସିଥିଲା। ଯେଉଁଥିରେ ଲୋକଙ୍କ ଜୀବନ ବଦଳାଇବା ଭଳି ଭବିଷ୍ୟବାଣୀ ଏବଂ ଧନ ଲାଭର ପ୍ରତିଶ୍ରୁତି ଦିଆଯାଇଥିଲା। ସେହି ମାମଲାରେ ପୋଲିସ ମନୋହର ଭୌସଲେଙ୍କୁ ଗିରଫ କରିଛି। ସେ ନିଜକୁ ବାବା ବୋଲି କହୁଥିଲା। ତେବେ ସେହି ମାମଲାରେ ସମାଧାନ ପୂର୍ବରୁ, ସୋଲାପୁରରେ ଟଙ୍କା ଠକେଇ ଏବଂ ଗୁଣିଗାରେଡ଼ି ସହ ଜଡ଼ିତ ଏକ ମାମଲା ସାମ୍ନାକୁ ଆସିଥିଲା। ଯାହାକୁ ନେଇ ମରଧା ତାଲୁକାର ଅନ୍ଦେଗାଁଓ ନିବାସୀ ନନ୍ନା ବିର୍କରଙ୍କ ବିରୋଧରେ ତେମ୍ଭୁର୍ନୀ ଥାନାରେ ମାମଲା ରୁଜୁ ହୋଇଥିଲା।

ରିପୋର୍ଟ ଅନୁସାରେ, ନନ୍ନା ବିର୍କର ଛନ୍ଦ କପଟ ମାଧ୍ୟମରେ ଅନେକ ଲୋକଙ୍କୁ ଫସାଇଥିଲା । ନନ୍ନା ବିର୍କର ଠକାମୀର ଶିକାର ହୋଇଥିବା ପଣ୍ଢରପୁରର ଯଶବନ୍ତ ଯାଧବ ଏବଂ ନୀଲେଶ ଭୋଈଟେ ତେମ୍ଭୁର୍ନୀ ଥାନାରେ ଅଭିଯୋଗ କରିଥିଲେ। ସେମାନେ ଏତଲାରେ ଲେଖିଛନ୍ତି ଯେ, ଧନ ଲାଭର ପ୍ରତିଶ୍ରୁତି ଦେଇ ଜଣେ ବାବା ତାଙ୍କୁ ଏକ କଇଁଛ ଦେଇଥିଲେ ଏବଂ ଏଥିପାଇଁ ତିନି ଲକ୍ଷ ଟଙ୍କା ନେଇଥିଲେ। ଏହା ବ୍ୟତୀତ ସେ ଅନେକ ପ୍ରକାରର ତନ୍ତ୍ରମନ୍ତ୍ର ଏବଂ ପୂଜାର୍ଚ୍ଚନା ମାଧ୍ୟମରେ ନିଜ ଅନୁଗାମୀଙ୍କ ଆସ୍ଥାର ମଧ୍ୟ ଫାଇଦା ଉଠାଇ ଠକିଥିବା ଜଣାପଡ଼ିଛି।

Also Read: ହ୍ଵାଟ୍ସଆପ୍‌ ଗ୍ରୁପରେ ସାମିଲ ହେବା ପଡିଲା ମହଙ୍ଗା, '୧୧ ଦିନରେ ଟଙ୍କା ଡବଲ୍' ଲୋଭ ପଡି ୧୨ କୋଟି ହରାଇଲେ ଡାକ୍ତର

ଅଭିଯୋଗକାରୀଙ୍କ ଅନୁସାରେ, ଅଭିଯୁକ୍ତ ନିର୍ଭୟରେ ଏଭଳି କରୁଥିଲା। ସେ ଅବୈଧ କାର୍ଯ୍ୟକୁ ବେଧଡ଼କ କରିବା ପାଇଁ ବରିଷ୍ଠ ପୋଲିସ ଅଧିକାରୀ ଏବଂ ରାଜନେତାଙ୍କ ନାଁ ବ୍ୟବହାର କରୁଥିଲା। ଏମିତିକି ସ୍ଥାନୀୟ ରାଜନେତା ତେଜସ୍ବିନୀ ସତପୁତେ ତାଙ୍କ ଅନୁଗାମୀ ବୋଲି କହୁଥିଲା ଏବଂ ଧମକ ଦେଉଥିଲା ଯେ, କେହି ତାଙ୍କର କୌଣସି କ୍ଷତି କରିପାରିବନାହିଁ।

ତେବେ ତଦନ୍ତକ୍ରମେ ଶନିବାର ତେମ୍ଭୁର୍ନୀ ପୋଲିସ ଆଶ୍ରମ ଉପରେ ରେଡ୍ କରିଥିଲେ। ଆଉ ଶୋଇଥିବା ଅବସ୍ଥାରେ ନନ୍ନା ବିର୍କରକୁ ଉଠାଇ ନେଇଥିଲା। ବାବାଙ୍କ ସହ ତାଙ୍କ ଭାଇଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ସେମାନଙ୍କ ବିରୋଧରେ ମହାରାଷ୍ଟ୍ର ଅନ୍ଧବିଶ୍ବାସ ଏବଂ ଗୁଣିଗାରେଡ଼ି ବିରୋଧୀ ଆକ୍ଟ ସହ ଠକେଇ ଅଭିଯୋଗ ରୁଜୁ ହୋଇଛି। ପୋଲିସ ଘଟଣାରେ ଅଧିକ ତଦନ୍ତ କରୁଛି।