କୋପେନହେଗେନ ୧୦।୧୨: ଏକ ବଡ଼ ଯାଞ୍ଚରୁ ଜଣାପଡିଛି ଯେ ଜଣେ ଅଜ୍ଞାତ ସ୍ପର୍ମ ଡୋନର ଯାହାର ସ୍ପର୍ମରେ କ୍ୟାନସର ବିପଦ ବଢାଉଥିବା ଆନୁବଂଶିକ ମ୍ୟୁଟେସନ ଥିଲା ୟୁରୋପର କେତେକ ଦେଶରେ ୧୯୭ ଜଣ ପିଲାଙ୍କ ବାୟୋଲୋଜିକାଲ ପିତା ପାଲଟି ଯାଇଛି। ଏହି ପିଲାଙ୍କ ମଧ୍ୟରୁ କେତେକଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଯେଉଁ ପିଲାଙ୍କଠାରେ ମ୍ୟୁଟେସନ ମିଳିଛି ସେମାନଙ୍କ ମଧ୍ୟରୁ ଖୁବ କ୍ୱଚିତ ହୁଏତ ସେମାନଙ୍କ ଜୀବନ କାଳରେ କ୍ୟାନସରରୁ ବର୍ତ୍ତି ପାରନ୍ତି।

ଯେଉଁମାନେ ଏହି ସ୍ପର୍ମ ଉପଯୋଗ କରିଥିଲେ ସେହି ପରିବାରଙ୍କୁ ଏବେ ଏ ନେଇ ସୂଚନା ଦିଆଯାଉଛି। ଡେନମାର୍କର ୟୁରୋପିୟନ ସ୍ପର୍ମ ବ୍ୟାଙ୍କ (ଇଏସବି) ପ୍ରଭାବିତ ପରିବାରଙ୍କ ଲାଗି ସହାନୁଭୂତି ବ୍ୟକ୍ତ କରି ସ୍ୱୀକାର କରିଛି ଯେ କିଛି ଦେଶରେ ଏହି ଡୋନରଙ୍କ ସ୍ପର୍ମକୁ ଆବଶ୍ୟକତାଠାରୁ ଅଧିକ ଉପଯୋଗ କରାଯାଇଛି। ଡୋନର ଜଣେ ଅଜଣା ବ୍ୟକ୍ତି ଯିଏ ୨୦୦୫ ମସିହାରେ ଛାତ୍ର ଥିବା ବେଳେ ସ୍ପର୍ମ ଡୋନେଟ ଆରମ୍ଭ କରିଥିଲେ। ତାଙ୍କ ସ୍ପର୍ମ ପାଖାପାଖି ୧୭ ବର୍ଷ ପର୍ଯ୍ୟନ୍ତ ଉପଯୋଗ ହୋଇଛି।

ଡୋନର ନିଜେ ସୁସ୍ଥ ଥିବା ବେଳେ ସବୁ ମେଡିକାଲ ସ୍କ୍ରିନିଂରେ ଉତୀର୍ଣ୍ଣ ହୋଇଥିଲେ। ହେଲେ ତାଙ୍କ ଶରୀରର କିଛି ସେଲରେ TP53 ଜିନର ବିପଦଜନକ ମ୍ୟୁଟେସନ ଥିଲା, ଯାହା କ୍ୟାନସର ରୋକିବାରେ ଗୁରୁତ୍ୱପୂର୍ଣ୍ଣ ହେଲେ ତାଙ୍କର ୨୦ ପ୍ରତିଶତ ସ୍ପର୍ମରେ ଏହି ମ୍ୟୁଟେସନ ମିଳିଛି। ଏପରି ସ୍ପର୍ମରୁ ଜନ୍ମିତ ପିଲାଙ୍କ ଶରୀରର ପ୍ରତ୍ୟେକ ସେଲରେ ଏହି ମ୍ୟୁଟେସନ ମହଜୁଦ ଥାଏ। ଏହାକୁ Li-Fraumeni syndrome କୁହାଯାଏ, ଯେଉଁଥିରେ ପ୍ରାୟ ୯୦ ପ୍ରତିଶତ ପର୍ଯ୍ୟନ୍ତ କ୍ୟାନସର ହେବାର ବିପଦ ଥାଏ। ଏଥିରେ ଖାସ କରି ବାଲ୍ୟାବସ୍ଥାରେ ଟ୍ୟୁମର ଓ ବୟପ୍ରାପ୍ତ କଲେ ବ୍ରେଷ୍ଟ କ୍ୟାନସର ହୋଇଥାଏ।

ଲଣ୍ଡନ ଇନିଷ୍ଟିଟ୍ୟୁଟ ଅଫ କ୍ୟାନସର ରିସର୍ଚ୍ଚର ପ୍ରଫେସର କ୍ଲେୟର ଟର୍ଣ୍ଣବୁଲ କହିଛନ୍ତି ଯେ ଏହା ଏକ ଭୟାନକ ନିଦାନ। ଏହି ଜଟିଳତା ସହିତ ଜୀବନ ବିତାଇବା ଅତ୍ୟନ୍ତ କଷ୍ଟକର। ଏପରି ପିଲାଙ୍କୁ ପ୍ରତିବର୍ଷ ଶରୀର ଓ ମସ୍ତିଷ୍କର ଏମଆରଆଇ, ପେଟର ଅଲ୍ଟ୍ରାସାଉଣ୍ଡ ଓ କେତେକ ମହିଳାଙ୍କୁ ବ୍ରେଷ୍ଟ ହଟାଇବାକୁ ସର୍ଜରି ମଧ୍ୟ କରିବାକୁ ପଡିପାରେ। ୟୁରୋପୀୟ ଜେନେଟିକ୍ ସୋସାଇଟିରେ ଉପସ୍ଥାପନ କରାଯାଇଥିବା ତଥ୍ୟ ଅନୁସାରେ ପ୍ରଥମେ ମିଳିଥିବା ୬୭ ପିଲାଙ୍କ ମଧ୍ୟରୁ ୨୩ ଜଣଙ୍କ ଠାରେ ମ୍ୟୁଟେସନ ମିଳିଛି ଓ ୧୦ ଜଣପିଲାଙ୍କ ଠାରେ କ୍ୟାନସର ପୁଷ୍ଟି ହୋଇସାରିଛି। ତେବେ ତଥ୍ୟ କହୁଛି ଏହିପରି ପ୍ରାୟ ୧୯୭ ଜଣ ପିଲା ଜନ୍ମ ନେଇଛନ୍ତି।

କ୍ୟାନସର ଥିବା ଏହି ସ୍ପର୍ମ ଆଇସଲ୍ୟାଣ୍ଡରୁ ଆରମ୍ଭ କରି ଆଲବାନିଆ ଓ ଏହା ପରେ ମଧ୍ୟ ପ୍ରାୟ ୧୪ ଦେଶରେ ବିକ୍ରି ହୋଇଛି ତଥା ୬୭ଟି ଆଇଭିଏଫ କ୍ଲିନିକ୍ ରେ ଏହାର ଉପଯୋଗ ହୋଇଛି। ଯଦିଓ ବ୍ରିଟେନରେ ଏହି ସ୍ପର୍ମର ସିଧା ଉପଯୋଗ ହୋଇ ନାହିଁ, ତେବେ କିଛି ବ୍ରିଟିଶ ମହିଳା ଡେନମାର୍କରେ ଏହି ସ୍ପର୍ମ ଉପଯୋଗ କରିଛନ୍ତି। ଏଣୁ ଏବେ ଏହି ସବୁ ଦେଶମାନଙ୍କରେ କ୍ୟାନସର ସ୍ପେଶାଲିଷ୍ଟ ଡାକ୍ତରମାନେ ମହିଳାମାନଙ୍କୁ ସେମାନଙ୍କ ଲାଗି ସଠିକ ସ୍ପର୍ମ ଡୋନର ବାଛିବାକୁ ପରାମର୍ଶ ଦେଉଛନ୍ତି।