ଭୁବନେଶ୍ବର ୨୨।୬: ବିଜେଡି ଏବଂ କଂଗ୍ରେସ ବିଧାୟକଙ୍କ ସଦସ୍ୟତା ରଦ୍ଦ ଆବେଦନ ଖାରଜ ପରେ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ବାଚସ୍ପତି କହିଛନ୍ତି, ଦଳ ପକ୍ଷରୁ ହୋଇଥିବା ପିଟିସନ ସଂପୂର୍ଣ୍ଣ ନଥିଲା । ୧୧ ବିଧାୟକ ବିଜେଡିର ୮ ଏବଂ କଂଗ୍ରେସର ୩ ଜଣ ବିଧାୟକଙ୍କ ପାଇଁ ଆବେଦନକୁ ଖାରଜ କରାଯାଇଛି । ତଥ୍ୟ ପ୍ରମାଣ ଅଭାବ ଯୋଗୁଁ ଖାରଜ ହୋଇଛି । ପ୍ରତି ଆବେଦନରେ ଏନକ୍ଲୋଜର ପେପରରେ ଦସ୍ତଖତ ନାହିଁ । ସେହିପରି ଯିଏ ପିଟିସନର ସତ୍ୟପାଠ ଦେବା କଥା କିନ୍ତୁ ତାହା ପ୍ରାପ୍ତ ହୋଇନି । ରୁଲ ୬ର ସବ ରୁଲ ୬ ଏବଂ ୭ ଅନୁସାରେ ପ୍ରୁଫ ଆଉ ଫ୍ୟାକ୍ଟ ନଥିବାରୁ ଖାରଜ ହୋଇଛି ବୋଲି ବାଚସ୍ପତି କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ,ବିଜେଡିର ଅଯୋଗ୍ୟତା ଆବେଦନକୁ ଖାରଜ କରିଥିଲେ ବାଚସ୍ପତି । ଚଳିତ ବର୍ଷ ମାର୍ଚ୍ଚରେ ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ନିର୍ବାଚନ ସମୟରେ ବିଜେଡି ୮ ବିଧାୟକଙ୍କ ବିରୋଧରେ କ୍ରସ୍ ଭୋଟିଂ ଅଭିଯୋଗ ଆଣିଥିଲା । ସୁବାଷିନୀ ଜେନା, ଅରବିନ୍ଦ ମହାପାତ୍ର, ଚନ୍ଦ୍ରମଣି କହଁର, ସନା ମହାକୁଡ଼, ନବ କିଶୋର ମଲ୍ଲିକ, ରମାକାନ୍ତ ଭୋଇ, ଦେବୀ ରଞ୍ଜନ ତ୍ରିପାଠୀ ଓ ସୌଭିକ ବିଶ୍ଵାଳ କ୍ରସ୍ ଭୋଟିଂ କରିଥିଲେ ।

ସେହିଭଳି କଂଗ୍ରେସ ବିଧାୟକ ମାନଙ୍କ ସଦସ୍ୟ ପଦ ରଦ୍ଦ ଆବେଦନ ମଧ୍ୟ ଖାରଜ ହୋଇଥିଲା । ଆବେଦନ ଖାରଜ କରିଥିଲେ ବାଚସ୍ପତି । ରାଜ୍ୟସଭାରେ କ୍ରସ୍ ଭୋଟିଂ ପାଇଁ ୩ ବିଧାୟକଙ୍କ ସଦସ୍ୟତା ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ ଆବେଦନ କରିଥିଲା କଂଗ୍ରେସ । ସୋଫିଆ ଫିର୍ଦ୍ଦୋସ, ରମେଶ ଜେନା, ଦଶରଥୀ ଗମାଙ୍ଗଙ୍କ ସଦସ୍ୟତା ରଦ୍ଦ ପାଇଁ ଆବେଦନ କରିଥିଲା । ବିଜେଡି ସହ କଂଗ୍ରେସର ଆବେଦନକୁ ମଧ୍ୟ ଖାରଜ କରିଥିଲେ ବାଚସ୍ପତି ସୁରମା ପାଢ଼ୀ ।