ନୂଆଦିଲ୍ଲୀ: ସ୍ପେନ୍‌ରେ ଦୁଇଟି ହାଇସ୍ପିଡ୍‌ ଟ୍ରେନ୍‌ ମଧ୍ୟରେ ଧକ୍କା ହେବା ଫଳରେ ପ୍ରାୟ ୬୮ ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହ ଶତାଧିକ ଆହତ ହୋଇଛନ୍ତି । ଏହି ଦୁଃଖଦ ଦୁର୍ଘଟଣା ପରେ ସରକାର ୩ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ତେବେ ଦେଶରେ ଏଭଳି ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି ଏବଂ ଆନ୍ଦୋଳନ ତୀବ୍ର ରୂପ ନେଇଛି । ଆନ୍ଦୋଳନକାରୀ ଦେଶର ପରିବହନ ମନ୍ତ୍ରଣାଳୟ ବାହାରେ ବିଦ୍ରୋହ କରିଛନ୍ତି । ଫଳ​‌ରେ ପୁଲିସ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାକୁ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି । 

ସ୍ପେନ୍‌ର ରାଜଧାନୀ ମାଦ୍ରିଦ୍‌ସ୍ଥିତ ପରିବହନ ମନ୍ତ୍ରଣାଳୟ ବାହାରେ ଶତାଧିକ ପ୍ରତିବାଦକାରୀ ପରିବହନ ମନ୍ତ୍ରୀ ଓସ୍କାର ପୁଏଣ୍ଟେଙ୍କ ଇସ୍ତଫା ଦାବି କରିଛନ୍ତି। ତେବେ ମାଦ୍ରିଦ୍‌ର ଦକ୍ଷିଣରେ ଥିବା ଟୋଲେଡୋ ପ୍ରଦେଶର ଉର୍ଦା ନିକଟରେ ବୁଧବାର ଦିନ ଏହି ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ଘଟିଥିଲା। ଏହି ଘଟଣା ପରେ ରେଳ ସୁରକ୍ଷା ଏବଂ ସିଗ୍ନାଲିଂ ବ୍ୟବସ୍ଥାରେ ତ୍ରୁଟିକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଆକ୍ରୋଶ ସୃଷ୍ଟି ହୋଇଛି। ଚଳିତ ବର୍ଷ ସ୍ପେନ୍‌ରେ ଏହା ଦ୍ୱିତୀୟ ଭୟଙ୍କର ରେଳ ଦୁର୍ଘଟଣା ଥିଲା । ୨୦୧୩ ପରଠାରୁ ଏହା ୟୁରୋପର ସବୁଠାରୁ ଭୟଙ୍କର ରେଳ ଦୁର୍ଘଟଣା।

ମାଦ୍ରିଦ୍‌ରେ ପୋଲିସ-ବିଦ୍ରୋହୀ ମୁହାଁମୁହିଁ
ପରିବହନ ମନ୍ତ୍ରଣାଳୟ ବାହାରେ ପ୍ରତିବାଦକାରୀ ଓସ୍କାର ପୁଏଣ୍ଟେ ‘ମୃତ୍ୟୁର ମନ୍ତ୍ରୀ’ ନାରା ଦେଇଥିଲେ ।  ଧୀରେ ଧୀରେ ପରିସ୍ଥିତି ଅନିୟନ୍ତ୍ରିତ ହୋଇପଡ଼ିଥିଲା । କିଛି ବିକ୍ଷୋଭକାରୀ ପୁଲିସ ଉପରକୁ କାଚ ବୋତଲ ଫିଙ୍ଗିଥିଲେ । ସ୍ଥିତି ନିୟନ୍ତ୍ରଣ ଲାଗି ପୁଲସ  ଲାଠିଚାର୍ଜ ଏବଂ ଲୁହାବୁହା ଗ୍ୟାସ୍ ପ୍ରୟୋଗ କରିଥିଲା।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ କିଛି ବ୍ୟକ୍ତି ନାଜି ସାଲ୍ୟୁଟ୍ କରୁଥିବା ଦେଖିବାକୁ ମିଳିଛି ।  ସ୍ପେନ୍ ସରକାର ଏହି ପ୍ରତିବାଦକାରୀଙ୍କୁ ‘ଦକ୍ଷିଣପନ୍ଥୀ ଗୋଷ୍ଠୀ’ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ ନଭେମ୍ବର ୨୯ରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଘୋଷଣା କରିଥିବା ବେଳେ ଏହି ଦୁର୍ଘଟଣାକୁ ନେଇ ରାଜନୀତି ଆହୁରି ସରଗରମ ହୋଇଛି।

କିପରି ଘଟିଲା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ?
ଅକ୍ଟୋବର ୨୮ ତାରିଖରେ ଉର୍ଦା ନିକଟରେ ‘ଇରିଓ ୬୦୭୬’ ଏବଂ ‘ରେନ୍‌ଫେ ଏଭିଇ ୨୦୮୦’ ହାଇ-ସ୍ପିଡ୍ ଟ୍ରେନ୍ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା। ଇରିଓ ଟ୍ରେନ୍‌ରେ ଜଣେ ଶିଶୁ ସହ ୧୪୭ ଜଣ ଯାତ୍ରୀ ଥିବା ବେଳେ ରେନ୍‌ଫେ ଟ୍ରେନ୍‌ରେ ୩୯୭ ଜଣ ଯାତ୍ରୀ ଥିଲେ।

ରେଳ ସିଗ୍ନାଲିଂ ପରିଚାଳନାରେ ମାନବୀୟ ତ୍ରୁଟି ଥିବା ସନ୍ଦେହ କରାଯାଉଛି।  ମୁଖ୍ୟ ସିଗ୍ନାଲିଂ ବ୍ୟବସ୍ଥାରେ ଥିବା ତ୍ରୁଟି ସୁଧାରିବା ପାଇଁ ମରାମତି କାମ ଚାଲିଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଅଭିଯୋଗ ହୋଇଛି ଯେ, ଜଣେ କର୍ମଚାରୀ ଆଗରେ ଛିଡ଼ା ହୋଇଥିବା ଇରିଓ ଟ୍ରେନ୍ ବିଷୟରେ ପଛରୁ ଆସୁଥିବା ରେନ୍‌ଫେ ଏଭିଇ ଟ୍ରେନ୍‌କୁ ସୂଚନା ଦେବାରେ ବିଫଳ ହୋଇଥିଲେ। ଫଳରେ ଇରିଓ ଟ୍ରେନ୍‌କୁ ପଛପଟୁ ଧକ୍କା ଦେଇଥିଲା ରେନ୍‌ଫେ ଏଭିଇ ୨୦୮୦ ।