ନୂଆଦିଲ୍ଲୀ: ମାନବ ସଭ୍ୟତାର ବିକାଶ ଏବଂ ନିଆଁର ବ୍ୟବହାରକୁ ନେଇ ଏକ ଚମକପ୍ରଦ ତଥ୍ୟ ସାମ୍ନାକୁ ଆସିଛି। ବୈଜ୍ଞାନିକମାନଙ୍କର ଏକ ନୂତନ ଗବେଷଣାରୁ ଜଣାପଡ଼ିଛି ଯେ, ନିଆଁ ଲଗାଇବା ଶିଖିବା ପୂର୍ବରୁ ମଧ୍ୟ ଆଦିମ ମାନବମାନେ ପ୍ରାକୃତିକ ନିଆଁକୁ ନିଜ ସାଥୀରେ ବହନ କରି ନେଉଥିଲେ। ଦକ୍ଷିଣ ଆଫ୍ରିକାର 'ୱାଣ୍ଡରୱର୍କ ଗୁମ୍ଫା' (Wonderwerk Cave) ରୁ ମିଳିଥିବା ପ୍ରାୟ ୧୭ ଲକ୍ଷ ବର୍ଷ ପୁରୁଣା ପ୍ରମାଣରୁ ଏହି ବଡ଼ ଖୁଲାସା ହୋଇଛି । ଦକ୍ଷିଣ ଆଫ୍ରିକାର ଚୂନପଥରରେ ନିର୍ମିତ ୱାଣ୍ଡରୱର୍କ ଗୁମ୍ଫାରୁ ମିଳିଥିବା କେତେକ ଛୋଟ ଛୋଟ ହାଡ଼ର ଖଣ୍ଡକୁ ନେଇ ବୈଜ୍ଞାନିକମାନେ ପରୀକ୍ଷା କରିଥିଲେ। ଏକ ସ୍ୱତନ୍ତ୍ର ଆଲୋକ ତରଙ୍ଗ (Wavelength) ମାଧ୍ୟମରେ ଏହି ହାଡ଼ଗୁଡ଼ିକୁ ଯାଞ୍ଚ କରିବା ପରେ ଜଣାପଡ଼ିଥିଲା ଯେ, ଏଗୁଡ଼ିକ ପ୍ରବଳ ଗରମ ବା ନିଆଁର ସଂସ୍ପର୍ଶରେ ଆସିଥିଲା ।

ଏହି ଗବେଷଣା ଅନୁଯାୟୀ, ଏହି ହାଡ଼ଗୁଡ଼ିକ ପ୍ରାୟ ୧୦.୭ ଲକ୍ଷରୁ ୧୭.୯ ଲକ୍ଷ ବର୍ଷ ପୁରୁଣା (Early Pleistocene)। ଏହା ପୂର୍ବରୁ ମିଳିଥିବା ପ୍ରମାଣ ୧୦ ଲକ୍ଷ ବର୍ଷ ତଳର ବୋଲି କୁହାଯାଉଥିଲା, କିନ୍ତୁ ଏହି ନୂଆ ରିପୋର୍ଟ ଇତିହାସକୁ ଆହୁରି ପଛକୁ ନେଇଯାଇଛି ।ଏହି ପୋଡ଼ା ହାଡ଼ଗୁଡ଼ିକ ସେହି ସ୍ତରରୁ ମିଳିଛି ଯେଉଁଠାରେ 'ହୋମୋ ଇରେକ୍ଟସ' (Homo erectus) ବା ସେମାନଙ୍କ ସମସାମୟିକ ମାନବଙ୍କ ଦ୍ୱାରା ବ୍ୟବହୃତ ପଥରର ହାତହତିଆର ମିଳିଥିଲା।

ଗୁମ୍ଫା ଭିତରୁ ମିଳିଲା ସବୁଠାରୁ ବଡ଼ ପ୍ରମାଣ

ଏହି ପୋଡ଼ା ହାଡ଼ଗୁଡ଼ିକ ଗୁମ୍ଫାର ପ୍ରବେଶ ଦ୍ୱାର ପାଖରୁ ନୁହେଁ, ବରଂ ଗୁମ୍ଫାର ପ୍ରାୟ ୩୦ ମିଟର ଭିତରୁ ମିଳିଛି। ଏତେ ଭିତରକୁ ବାହାରର ଜଙ୍ଗଲ ନିଆଁ (Wildfires) କିମ୍ବା ସୂର୍ଯ୍ୟକିରଣ ସହଜରେ ପହଞ୍ଚିବା ଅସମ୍ଭବ। ଏହା ସହ ଗୁମ୍ଫା ଭିତରେ ବାଦୁଡ଼ି ବା ପକ୍ଷୀମାନଙ୍କ ମଳ (Guano) ରୁ ମଧ୍ୟ ଆପେ ଆପେ ନିଆଁ ଲାଗିବାର କୌଣସି ପ୍ରମାଣ ମିଳିନାହିଁ। ଏଥିରୁ ସ୍ପଷ୍ଟ ହେଉଛି ଯେ, ଏହି ନିଆଁ ବାହାରୁ ଗୁମ୍ଫା ଭିତରକୁ ଅଣାଯାଇଥିଲା। ଏହି ଅଧ୍ୟୟନର ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ପରୀକ୍ଷା କରାଯାଇଥିବା ହାଡ଼ଗୁଡ଼ିକ କୌଣସି ଶିକାର କରାଯାଇଥିବା ବଡ଼ ପଶୁର ନଥିଲା। ବରଂ ସେଗୁଡ଼ିକ ଥିଲା ଛୋଟ ମୂଷା ଏବଂ ସରୀସୃପଙ୍କ ହାଡ଼ ।

ପେଚାମାନେ ଗୁମ୍ଫାକୁ ନିଜର ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରୁଥିଲେ

ଯେହେତୁ ଏହି ହାଡ଼ଗୁଡ଼ିକ ବାରମ୍ବାର ପୋଡ଼ି ହେବାର ସଙ୍କେତ ମିଳିଛି, ଏଥିରୁ ଜଣାପଡ଼ୁଛି ଯେ, ଗୁମ୍ଫା ଭିତରେ ମାନବ ଗତିବିଧି ଯୋଗୁଁ ହିଁ ସେଠାରେ ନିଆଁ ବାରମ୍ବାର ଜଳୁଥିଲା । ନିଆଁ ଉପରେ ନଥିଲା ପୂର୍ଣ୍ଣ ନିୟନ୍ତ୍ରଣ, କେବଳ ସାମୟିକ ବ୍ୟବହାର ହେଉଥିଲା । ବୈଜ୍ଞାନିକମାନେ ହାଡ଼କୁ ନଷ୍ଟ ନକରି ଏକ ସ୍ୱତନ୍ତ୍ର ଆଲୋକ ଦ୍ୱାରା ଏହାର ଯାଞ୍ଚ କରିଥିଲେ। ଅତ୍ୟଧିକ ଗରମ ସଂସ୍ପର୍ଶରେ ଆସିଥିବା ହାଡ଼ ଏହି ଆଲୋକରେ ସାମାନ୍ୟ ଚମକିଥାଏ, ଯାହା ଏହି ପ୍ରମାଣକୁ ସୁଦୃଢ଼ କରିଛି। ଗବେଷକଙ୍କ ଅନୁସାରେ, ସେତେବେଳର ଆଦିମ ମାନବ ବା 'ହୋମୋ ଇରେକ୍ଟସ' ନିଆଁ ନିଜେ ତିଆରି କରିବା ଜାଣି ନଥିଲେ। ବଜ୍ରପାତ କିମ୍ବା ପ୍ରାକୃତିକ କାରଣରୁ ଜଙ୍ଗଲରେ ଲାଗୁଥିବା ନିଆଁରୁ ସେମାନେ ଜଳନ୍ତା ଅଙ୍ଗାର ବା କାଠି ସଂଗ୍ରହ କରୁଥିଲେ ଏବଂ ତାକୁ ବହନ କରି ଗୁମ୍ଫା ଭିତରକୁ ଆଣୁଥିଲେ। ସେମାନେ ସେହି ନିଆଁକୁ କିଛି ସମୟ ପାଇଁ ଜଳାଇ ରଖୁଥିଲେ ଏବଂ ତାହା ଲିଭିଯିବା ପରେ ପୁଣି ପ୍ରାକୃତିକ ନିଆଁ ଉପରେ ନିର୍ଭର କରୁଥିଲେ।

ଏହି ଆବିଷ୍କାର ପ୍ରମାଣିତ କରୁଛି ଯେ, ସମ୍ପୂର୍ଣ୍ଣ ଭାବେ ନିଆଁ ଉପରେ ନିୟନ୍ତ୍ରଣ ହାସଲ କରିବା ପୂର୍ବରୁ ମଧ୍ୟ ଆଦିମ ମାନବମାନେ ନିଆଁ ସହିତ ବଞ୍ଚିବା ଏବଂ ନିଜର ସୁରକ୍ଷା ତଥା ଖାଦ୍ୟ ପାଇଁ ଏହାର ସାମୟିକ ବ୍ୟବହାର କରିବା ଶିଖିଯାଇଥିଲେ।