• ସୋନିଆ ତାଙ୍କ ଆରମ୍ଭ ବର୍ଷଗୁଡିକ ଏହି ଗାଁରେ କଟାଇଥିଲେ
  • ସୋନିଆଙ୍କ ପୈତୃକ ଘର ଏବେ ଭାରତରୁ ଆସୁଥିବା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି
  • କାଙ୍ଗ ଏବେ ଏହି ୬ ବଖରିଆ ସମ୍ପତ୍ତିକୁ ସଂଗ୍ରହାଳୟରେ ପରିବର୍ତ୍ତନ କରିବାକୁ ପ୍ରସ୍ତୁତି କରୁଛନ୍ତି

ଅମୃତସର: ସୋନିଆ ଗାନ୍ଧିଙ୍କ ସ୍ମୃତି ପୁସ୍ତକ ‘ବିଲଙ୍ଗିଙ୍ଗ: ଏ ଜର୍ଣ୍ଣି ଅଫ ଲଭ’ ଏବେ ତାଙ୍କ ବ୍ୟକ୍ତିଗତ ଯାତ୍ରା ଓ ପାରିବାରିକ ହିଷ୍ଟ୍ରି ପ୍ରତି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଛି, ଯେଉଁଥିରେ ଏକ ଶିଖ ପରିବାର ତାଙ୍କ ଅତୀତ ସହ ଯୋଡି ହୋଇଯାଇଛନ୍ତି। ସୁଖଦେବ ସିଂହ କାଙ୍ଗ ଦାବି କରନ୍ତି ଯେ ସେ ଇଟାଲୀରେ ମାଇନୋ ପରିବାରର ପୂର୍ବପୁରୁଷଙ୍କ ଭିଟାମାଟି କିଣି ନେଇଛନ୍ତି, ତାଙ୍କ ଅନୁସାରେ ଏହା ସୋନିଆ ଙ୍କ ଜନ୍ମସ୍ଥାନ। ୯ ଡିସେମ୍ବର ୧୯୪୬ରେ ଜନ୍ମିତ ପୂର୍ବତନ କଂଗ୍ରେସ ସଭାପତି ତାଙ୍କ ଆରମ୍ଭ ବର୍ଷଗୁଡିକ ଏହି ଗାଁରେ କଟାଇଥିଲେ ଓ କାଙ୍ଗ ଏବେ ଏହି ୬ ବଖରିଆ ସମ୍ପତ୍ତିକୁ ସୋନିଆଙ୍କ ପରିବାର ଓ ତାଙ୍କ ପ୍ରାରମ୍ଭିକ ଜୀବନ ଲାଗି ସମର୍ପିତ ସଂଗ୍ରହାଳୟରେ ପରିବର୍ତ୍ତନ କରିବାକୁ ପ୍ରସ୍ତୁତି କରୁଛନ୍ତି।

ଇଟାଲୀ ଭେନେଟୋ ଅଞ୍ଚଳ ଭିସେଞ୍ଜା ପ୍ରୋଭିନ୍ସର ଏକ ଗାଁ ଲୁସିୟାନାରେ ଥିବା ଏହି ଘର ଧିରେ ଧିରେ ପର୍ଯ୍ୟଟକ ବିଶେଷ କରି ଭାରତରୁ ଆସୁଥିବା ଲୋକଙ୍କ ଲାଗି ଆଗ୍ରହର ସ୍ଥାନରେ ପରିଣତ ହୋଇଛି। କାଙ୍ଗ ଏହି ପ୍ରପର୍ଟି ବାହାରେ ଏକ ବୋର୍ଡ ଲଗାଇଛନ୍ତି। ଏଥିରେ ଲେଖା ଯାଇଛି ‘ଇଣ୍ଡିଆନ ହାଉସ୍, ଜନ୍ମସ୍ଥାନ ସୋନିଆ ଗାନ୍ଧି’। କାଙ୍ଗ ତାଙ୍କ ପତ୍ନୀ ଓ ଝିଅଙ୍କ ସହ ବ୍ରେସିୟାରେ ରହୁଛନ୍ତି। ଏହା ଲୁସିୟାନାରୁ ପାଖାପାଖି ୧ ଘଣ୍ଟାର ଡ୍ରାଇଭରେ ପଡେ। ସେମାନେ ୨୦୨୦ ମସିହାରେ ଏହି ସମ୍ପତ୍ତି କ୍ରୟ କରିଥିଲେ। ହେଲେ ଏବେ ଏହାକୁ କେତେ ମୂଲ୍ୟରେ କିଣିଥିଲେ କହିବାକୁ ମନା କରୁଛନ୍ତି।

କାଙ୍ଗ କହିଛନ୍ତି ଯେ ପରିବାର ଏହାକୁ ମ୍ୟୁଜିୟମରେ ପରିବର୍ତ୍ତିତ କରିବାକୁ ନିଷ୍ପତ୍ତି ନେଇଥିଲେ, ଏବେ ପ୍ରକଳ୍ପକୁ ଆଗକୁ ବଢାଇବା ପାଇଁ ଆବଶ୍ୟକ ଅନୁମତି ପ୍ରାପ୍ତ କରିଛନ୍ତି। ସୋନିଆଙ୍କ ସମସ୍ମରଣ ପୁସ୍ତକ ଏବେ ଲୋକଙ୍କ ଧ୍ୟାନ ତାଙ୍କ ଜୀବନଯାତ୍ରା ଆଡକୁ ଆକର୍ଷିତ କରୁଛି। ଏଣୁ କାଙ୍ଗ ଭାବୁଛନ୍ତି ଏହି ପ୍ରପର୍ଟିକୁ ମ୍ୟୁଜିୟମ ଭାବେ ବିକଶିତ କରିବାର ଏହା ସଠିକ ସମୟ। ନିକଟରେ କାଙ୍ଗ ଅମୃତସର ଆସିଥିଲେ, ଏହି ସମୟରେ ଟାଇମସ୍ ଅଫ ଇଣ୍ଡିଆକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ ସେ ସୋନିଆ ଗାନ୍ଧି ଓ ତାଙ୍କ ପୁଅ ଝିଅ ରାହୁଲ ଏବଂ ପ୍ରିୟଙ୍କାଙ୍କୁ ଭେଟିବାକୁ ଚାହୁଁଛନ୍ତି, ଯାହାଦ୍ୱାରା ପାରିବାରିକ କାହାଣୀ ସମ୍ପର୍କରେ ଅଧିକ ଜାଣି ପାରିବେ। ସେ କହିଛନ୍ତି ଯେ ଆମେ ଚାହୁଁଛୁ ପରିଦର୍ଶକଙ୍କୁ ସୋନିଆଙ୍କ ପରିବାରର ବ୍ୟାକଗ୍ରାଉଣ୍ଡ ଓ ପ୍ରାରମ୍ଭିକ ଜୀବନର ଏକ ଝଲକ ମିଳୁ।

ଲୁସିୟାନାର ଏକ ସାଧାରଣ ପରିବାରରେ ଜନ୍ମିତ ସୋନିଆଙ୍କ ଜୀବନଯାତ୍ରା ଅତ୍ୟନ୍ତ ଖାସ। କାଙ୍ଗ କହିଛନ୍ତି ଯେ ତାଙ୍କ ପିତା ଷ୍ଟେଫାନୋ ମାଇନୋ ଜଣେ ରାଜମିସ୍ତ୍ରୀ ଓ ବିଲ୍ଡିଂ କଣ୍ଟ୍ରାକ୍ଟର ଥିଲେ ଓ ତାଙ୍କ ପ୍ରାରମ୍ଭିକ ଜୀବନରେ ଏପରି କୌଣସି କଥା ନଥିଲା ଯେଉଁଥିରୁ ଜଣାପଡିବ ସେ ଦିନେ ଭାରତୀୟ ରାଜନୀତିର ଜଣେ ପ୍ରଭାବଶାଳୀ ମହିଳା ହେବେ। ଇଟାଲୀର ଏକ ଛୋଟ ଗାଁରୁ ବାହାରି ସୋନିଆ ରାଜୀବ ଗାନ୍ଧିଙ୍କୁ ବିବାହ କଲେ, ଜଣେ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ହେଲେ ଓ ପରେ ବିଶ୍ୱର ସବୁଠୁ ବଡ଼ ରାଜନୈତିକ ଦଳ ମଧ୍ୟରୁ ଗୋଟିଏ ଭାରତୀୟ ଜାତୀୟ କଂଗ୍ରେସର ନେତୃତ୍ୱ ନେଇଛନ୍ତି। ନେହେରୁ-ଗାନ୍ଧି ପରିବାର ସହ ତାଙ୍କ ସମ୍ପର୍କ ତାଙ୍କୁ ଭାରତର ସବୁଠୁ ପ୍ରଭାବଶାଳୀ ରାଜନୈତିକ ପରିବାର ମଧ୍ୟରେ ଗୋଟିକର କେନ୍ଦ୍ର ସ୍ଥଳରେ ପହଞ୍ଚାଇ ଦେଇଛି। ଏଥିରେ କାଙ୍ଗ କହିଛନ୍ତି ଯେ ସୋନିଆ ଓ ତାଙ୍କ ପୁଅ ଝିଅ ଯଦି ତାଙ୍କ ଘରକୁ ଆସନ୍ତେ ସେମାନେ ବେଶ୍ ଖୁସି ହୁଅନ୍ତେ।