ଭୁବନେଶ୍ୱର: ନିଲମ୍ବିତ ହେଲେ ଡାଇରେକ୍ଟୋରେଟ୍ ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ଟ୍ରେନିଂ (DMET), ଓଡ଼ିଶା କାର୍ଯ୍ୟାଳୟର ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ASO) ଜିତେନ୍ଦ୍ର କୁମାର ପଣ୍ଡା । ବିପିଟି (ଫିଜିଓଗ୍ରାଫି) ପାଠ୍ୟକ୍ରମ ପାଇଁ ନବୀକରଣ ଏନ୍ଓସି (NOC) ପ୍ରଦାନ ନିମନ୍ତେ ଅର୍ଥ ଦାବି କରିଥିବା ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି।

ସୂଚନାଥାଉକି, କଳାହାଣ୍ଡି ଜିଏନ୍ଏମ୍ କଲେଜ, ଭବାନୀପାଟଣା ପକ୍ଷରୁ ବିପିଟି (ଫିଜିଓଗ୍ରାଫି) ପାଠ୍ୟକ୍ରମ ପାଇଁ ଶିକ୍ଷାବର୍ଷ ନିମନ୍ତେ ନବୀକରଣ ଏନ୍ଓସି ପ୍ରଦାନ କରିବା ଲାଗି ସେ ଅର୍ଥ ଦାବି କରିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଆଧାର କରି ଓଡ଼ିଶା ସିଭିଲ୍ ସର୍ଭିସେସ୍ (ସିସିଏ) ନିୟମାବଳୀ, ୧୯୬୨ର ନିୟମ- ୧୨ ଅନୁଯାୟୀ, ନିର୍ଦ୍ଦେଶାଳୟ ପକ୍ଷରୁ ତାଙ୍କୁ ୨୦୨୬ ନଭେମ୍ବର ୨୧ ଠାରୁ ନିଲମ୍ବିତ କରାଯାଇଛି।

Also Read: ଜମି ମାଫିଆଙ୍କୁ ବିରୋଧ କରିବା ପଡ଼ିଲା ମହଙ୍ଗା, RIଙ୍କୁ ଲୁହା ରଡ୍‌ରେ ଆକ୍ରମଣ କଲେ ଦୁର୍ବୃତ୍ତ​​​​​​​

ନିଲମ୍ବନ ଅବଧିରେ ତାଙ୍କର ମୁଖ୍ୟାଳୟ ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍‌ଥ ଆଣ୍ଡ୍ ଫ୍ୟାମିଲି ୱେଲଫେୟାର (SIH&FW), ଓଡ଼ିଶା ଠାରେ ନିର୍ଦ୍ଧାରଣ କରାଯାଇଛି। ସେ ଏହି ଅବଧିରେ SIH&FWର ନିର୍ଦ୍ଦେଶକଙ୍କ ପ୍ରଶାସନିକ ନିୟନ୍ତ୍ରଣରେ ରହିବେ ଏବଂ ନିର୍ଦ୍ଦେଶକଙ୍କ ପୂର୍ବାନୁମତି ବିନା ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ। ନିୟମ ଅନୁଯାୟୀ, ନିଲମ୍ବନ ଅବଧିରେ ସେ ଓଡ଼ିଶା ସର୍ଭିସ୍ କୋଡ୍‌ର ନିୟମ-୯୦ ଅନୁସାରେ ଜୀବିକା ନିର୍ବାହ ଭତ୍ତା ପାଇବାକୁ ହକଦାର ହେବେ।