ନୂଆଦିଲ୍ଲୀ: ଭାରତ ଏବଂ ନେପାଳ ମଧ୍ୟରେ ସଂପର୍କ ଆହୁରି ନିବିଡ଼ ହେବାକୁ ଯାଉଛି । ନଭେମ୍ବର ୨୩ ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ ମିଳିତ ଭାବରେ ଉତ୍ତର ପ୍ରଦେଶର ଅଯୋଧ୍ୟା ଧାମ ଏବଂ ନେପାଳର ଜନକପୁର ଧାମ ମଧ୍ୟରେ ଏକ ନୂତନ ଏକ୍ସପ୍ରେସ୍ ଟ୍ରେନ୍ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହି ନୂଆ ରେଳ ସେବା ଦୁଇ ଦେଶର ପ୍ରମୁଖ ଧାର୍ମିକ ସ୍ଥଳ ମଧ୍ୟରେ ଯାତାୟାତକୁ ଅତ୍ୟନ୍ତ ସୁଗମ କରିବା ସହ ଧାର୍ମିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ। ଏହା ସହିତ ଦକ୍ଷିଣ ଏସିଆରେ ଆଞ୍ଚଳିକ ସହଯୋଗ ବୃଦ୍ଧି ଏବଂ ପଡ଼ୋଶୀ ରାଷ୍ଟ୍ର ସହ ରେଳ ଯୋଗାଯୋଗ ବିସ୍ତାର କରିବା ଦିଗରେ ଭାରତର ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ବୋଲି କୁହାଯାଉଛି ।

ଏହି ଟ୍ରେନ୍ ଉତ୍ତର ପ୍ରଦେଶ ଏବଂ ବିହାରର ଏକାଧିକ ଗୁରୁତ୍ୱପୂର୍ଣ୍ଣ ସହର ଦେଇ ଗତି କରିବ। ଯାତ୍ରା ପଥରେ ଏହା ଗୋରଖପୁର, ବସ୍ତି, ରକ୍ସୌଲ, ସୀତାମଢ଼ି, ମଧୁବନୀ ଏବଂ ଜୟନଗର ଭଳି ପ୍ରମୁଖ ଷ୍ଟେସନଗୁଡ଼ିକରେ ରହିବ। ଏହାଦ୍ୱାରା ବିଭିନ୍ନ ଜିଲ୍ଲାର ଯାତ୍ରୀ, ତୀର୍ଥଯାତ୍ରୀ, ପର୍ଯ୍ୟଟକ ଏବଂ ସୀମା ଆରପାରିରେ ରହୁଥିବା ନିଜ ପରିବାର ସଦସ୍ୟଙ୍କୁ ଭେଟିବାକୁ ଯାଉଥିବା ଲୋକମାନଙ୍କ ପାଇଁ ଯାତାୟାତ ବେଶ୍ ସହଜ ହୋଇପାରିବ। ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟା ଏବଂ ମାତା ସୀତାଙ୍କ ଜନ୍ମସ୍ଥାନ ଜନକପୁର ଧାମ ମଧ୍ୟରେ ଦୂରତା କମାଇବ ଏହି ଟ୍ରେନ । ଏହି ରେଳ ସଂଯୋଗ ଦ୍ୱାରା ଉଭୟ ଦେଶର ଲୋକଙ୍କ ମଧ୍ୟରେ ସାମାଜିକ ସମ୍ପର୍କ ଆହୁରି ନିବିଡ଼ ହେବ । 

ଭାରତୀୟ ରେଳବାଇ ପକ୍ଷରୁ ନେପାଳ ସହ ରେଳ ଭିତ୍ତିଭୂମିକୁ ମଜଭୁତ କରିବା ପାଇଁ ଅନେକ ପ୍ରକଳ୍ପ ଉପରେ କାର୍ଯ୍ୟ ଜାରି ରହିଛି। ଜୟନଗର-ବିଜଲପୁରା-ବର୍ଦିବାସ ଏବଂ ଯୋଗବାନୀ-ବିରାଟନଗର ରେଳ ଲିଙ୍କ୍ କାମ ପର୍ଯ୍ୟାୟକ୍ରମେ ଆଗେଇ ଚାଲିଛି । ପ୍ରସ୍ତାବିତ ରକ୍ସୌଲ-କାଠମାଣ୍ଡୁ ରେଳ ଲାଇନ୍ ମଧ୍ୟ ଦୁଇ ଦେଶର ଯୋଗାଯୋଗ ବଢ଼ାଇବା ଯୋଜନାର ଏକ ପ୍ରମୁଖ ଅଂଶ । ଭିତ୍ତିଭୂମି ବିକାଶ ବ୍ୟତୀତ ଭାରତ ନେପାଳର ରେଳବାଇ କ୍ଷେତ୍ରର ଦକ୍ଷତା ବୃଦ୍ଧି ପାଇଁ ମଧ୍ୟ ନିରନ୍ତର ସହାୟତା ଯୋଗାଇ ଦେଉଛି। ବିଗତ କିଛି ବର୍ଷ ମଧ୍ୟରେ ନେପାଳ ରେଳବାଇର ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଗୁଜରାଟର ଭଦୋଦରା ସ୍ଥିତ 'ଗତି ଶକ୍ତି ବିଶ୍ୱବିଦ୍ୟାଳୟ'ରେ ଟ୍ରେନ୍ ପରିଚାଳନାର ବିଭିନ୍ନ ଦିଗ ଉପରେ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଇଛି।