ନୂଆଦିଲ୍ଲୀ: ଶିକ୍ଷାବିଦ୍ ତଥା ସାମାଜିକ କାର୍ଯ୍ୟକର୍ତ୍ତା ସୋନମ ୱାଙ୍ଗଚୁକ୍ ଚେତାବନୀ ଦେଇଛନ୍ତି ଯେ ‘ଯଦି ସରକାର ଲଦ୍ଦାଖ ସମ୍ପର୍କିତ ପ୍ରସଙ୍ଗରେ ସପ୍ତାହକ ମଧ୍ୟରେ ଦୃଢ ଆଶ୍ୱାସନା ନ ଦିଅନ୍ତି ତେବେ ୧୯ରୁ ୨୪ ସେପ୍ଟେମ୍ବର ମଧ୍ୟରେ ସେ ନୂଆ ଆନ୍ଦୋଳନ ଆରମ୍ଭ କରିବେ’। ଏହି ନିଷ୍ପତ୍ତି ନୂଆଦିଲ୍ଲୀରେ ଅନୁଷ୍ଠିତ ଲଦ୍ଦାଖର ପ୍ରମୁଖ ପ୍ରତିନିଧି ଓ ଗୃମନ୍ତ୍ରାଳୟ ସବକମିଟି ମଧ୍ୟରେ ହୋଇଥିବା ବାର୍ତ୍ତା ବିଫଳ ହେବା ପରେ ନିଆଯାଇଛି। ଲଦ୍ଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଓ ସମ୍ବିଧାନ ସୁରକ୍ଷା ଦାବିକୁ ନେଇ ଗୃହମନ୍ତ୍ରାଳୟ ଦ୍ୱାରା ଆୟୋଜିତ ବୈଠକରେ ୱାଙ୍ଗଚୁକ୍ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସେ ଲେହ ଆପେକ୍ସ ବଡି (ଏଲଏବି) ଓ କାର୍ଗିଲ ଡେମୋକ୍ରାଟିକ୍ ଏଲାଏନ୍ସ (କେଡିଏ) ପକ୍ଷରୁ କହିଛନ୍ତି ଯେ ଆଲୋଚନାରେ କୌଣସି ନୂଆ କଥା ହୋଇ ନାହିଁ। ଏହି କାରଣରୁ କାର୍ଗିଲରୁ ଲେହ ପର୍ଯ୍ୟନ୍ତ ପ୍ରସ୍ତାବିତ ପଦଯାତ୍ରାକୁ ବର୍ତ୍ତମାନ ଲାଗି ଟାଳି ଦିଆଯାଇଛି। ବାର୍ତ୍ତା ବିଫଳ ହେବାରୁ ଏହାକୁ ପୁଣି ଆରମ୍ଭ କରାଯିବ। ଗତବର୍ଷ ସେପ୍ଟେମ୍ବର ମାସରେ ଲଦ୍ଦାଖର ସ୍ୱାୟତତାକୁ ନେଇ ହୋଇଥିବା ହିଂସାତ୍ମକ ପ୍ରଦର୍ଶନ ପରେ ୱାଙ୍କଚୁକଙ୍କୁ ଜାତୀୟ ସୁରକ୍ଷା ଆଇନ (ଏନଏସଏ)ରେ ଅଟକ କରାଯାଇଥିଲା। ସେ ଯୋଦ୍ଧପୁର ଜେଲରେ ୬ ମାସ ବିତାଇଥିଲେ।

ତେବେ ମାର୍ଚ୍ଚ ୨୦୨୬ରେ ଏନଏସଏ ହଟିବା ଓ ସେ ମୁକ୍ତ ହେବା ପରେ ସେ ନିଟ୍ ପରୀକ୍ଷା ତ୍ରୁଟି ବିରୋଧରେ ଛାତ୍ରଙ୍କ ସମର୍ଥନରେ ଜୁନ ମାସରେ ୨୬ ଦିନର ଅନିଶ୍ଚିତ କାଳୀନ ଅନସନ ମଧ୍ୟ କରିଥିଲେ। ୱାଙ୍ଗଚୁକ୍ ଓ ଲେହ ଆପେକ୍ସ ବଡି ସରକାରଙ୍କ ପ୍ରସ୍ତାବିତ ବିଧାନସଭାର ଅଧିକାର ଓ ଶକ୍ତିକୁ ନେଇ ଏକ ବିସ୍ତୃତ ଚିଠା ପ୍ରସ୍ତାବ ପ୍ରସ୍ତୁତ କରିବାକୁ ଦାବି କରୁଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ଯଦି ଲଦ୍ଦାଖ ଲୋକଙ୍କ ସହ ଭେଦଭାବ କରାଯାଏ ତେବେ ସେ ଦେଶବ୍ୟାପୀ ବଡ଼ ଧରଣର ଆନ୍ଦୋଳନ ଆରମ୍ଭ କରିବାକୁ ବାଧ୍ୟ ହେବେ।