ନୂଆଦିଲ୍ଲୀ: ପରିବେଶବିତ୍ ସୋନମ ୱାଙ୍ଗଚୁକ୍ ତାଙ୍କ ଅନଶନ ଭାଙ୍ଗିବା ନେଇ ସରକାରଙ୍କ ପାଇଁ ସର୍ତ୍ତ ରଖିଛନ୍ତି । ସେ କହିଛନ୍ତି, ଦିଲ୍ଲୀ ଜନ୍ତରମନ୍ତର ଆନ୍ଦୋଳନରେ ସାମିଲ ଛାତ୍ରଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବନାହିଁ ବୋଲି ସରକାର ଆଶ୍ୱାସନା ଦେଲେ ଅନଶନରୁ ଓହରିବେ ।

କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏବଂ ଜିତେନ୍ଦ୍ର ସିଂହଙ୍କୁ ସମ୍ବୋଧିତ ସୋନମ ୱାଙ୍ଗଚୁକ୍ ଏକ ଚିଠି ଲେଖିଛନ୍ତି । ଏଥିରେ ସେ ମେଦାନ୍ତ ହସ୍ପିଟାଲରେ ତାଙ୍କୁ ସାକ୍ଷାତ କରିଥିବାରୁ ଏବଂ ତାଙ୍କୁ ଅନଶନ ଶେଷ କରିବାକୁ ନିବେଦନ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତେବେ, ଯୁବ ଆନ୍ଦୋଳନକାରୀଙ୍କୁ ଟାର୍ଗେଟ୍ କରାଯିବ ନାହିଁ ବୋଲି ସରକାର ଗ୍ୟାରେଣ୍ଟି ନଦେବା ପର୍ଯ୍ୟନ୍ତ ସେ ଏହା କରିପାରିବେ ନାହିଁ ବୋଲି କହିଛନ୍ତି ।

ୱାଙ୍ଗଚୁକ୍ ଲେଖିଛନ୍ତି, " ମୁଁ ସରକାରଙ୍କଠାରୁ ଏକ ସ୍ପଷ୍ଟ ଆଶ୍ୱାସନା ଅନୁରୋଧ କରୁଛି । ଏହି ଆନ୍ଦୋଳନରେ ଭାଗ ନେବା ପାଇଁ କୌଣସି ଯୁବକ ପ୍ରତିଶୋଧମୂଳକ ଆଇନଗତ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବେ ନାହିଁ । ସେମାନଙ୍କର ଗୋଟିଏ 'ଅପରାଧ' ହେଉଛି ଏକ ସ୍ୱଚ୍ଛ ଏବଂ ଉତ୍ତରଦାୟୀ ଶିକ୍ଷା ବ୍ୟବସ୍ଥା ପାଇଁ ସ୍ୱର ଉଠାଉଠନ୍ତି ।"

 

ସେ ଆହୁରି କହିଛନ୍ତି, "ଯଦି ଏପରି ଆଶ୍ୱାସନା ଦିଆଯାଏ, ତେବେ ସରକାର କେବଳ ମୋର ନିବେଦନ ନୁହେଁ, ବରଂ ଲକ୍ଷ ଲକ୍ଷ ଯୁବ ଭାରତୀୟଙ୍କ ଆକାଂକ୍ଷା ଶୁଣିଛନ୍ତି ବୋଲି ବିଶ୍ୱାସ ରଖି ମୁଁ ମୋର ଅନଶନ ଶେଷ କରିବି । ଏପରି ଆଶ୍ୱାସନା ନମିଳିବା ପର୍ଯ୍ୟନ୍ତ ମୁଁ ମୋର ଅନଶନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରଖିବାକୁ ବାଧ୍ୟ ହେବି ।"

ଉଲ୍ଲେଖଯୋଗ୍ୟ ଯେ, ମନ୍ତ୍ରୀମାନଙ୍କ ଗସ୍ତ ପରେ ବିଭିନ୍ନ ରାଜନୈତିକ ଦଳର ପ୍ରାୟ ୬୫ ଜଣ ସଂସଦ ସଦସ୍ୟ ତାଙ୍କୁ ଚିଠି ଲେଖିଛନ୍ତି । ସେମାନେ ସମସ୍ତେ ସୋନମ ୱାଙ୍ଗଚୁକଙ୍କୁ ଅନଶନ ଭାଙ୍ଗିବା ପାଇଁ ନିବେଦନ କରିଛନ୍ତି । ଦିଲ୍ଲୀ ହାଇକୋର୍ଟ ୱାଙ୍ଗଚୁକଙ୍କୁ ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ଅନୁମତି ଦେବାର ଗୋଟିଏ ଦିନ ପରେ ଏହି ଘଟଣାକ୍ରମ ହୋଇଛି ।