ନୂଆଦିଲ୍ଲୀ ୦୫।୧୦: ବିହାରର ସମସ୍ତିପୁରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲିଉଡ୍ କ୍ରାଇମ୍ ଥ୍ରିଲର ‘ଦୃଶ୍ୟମ୍’କୁ ଦେଖି ଜଣେ ବ୍ୟକ୍ତି ନିଜ ବାପାଙ୍କୁ ହତ୍ୟା ଲାଗି ଯୋଜନା କଲେ । ଏଥିଲାଗି ପ୍ରାୟ ୨୦୦୦ କିଲୋମିଟର ଦୂର ସୁରଟରୁ ଟ୍ରେନ୍ ଧରି ସେ ଘରେ ପହଞ୍ଚିଲେ । ମୁଖ୍ୟ ଦ୍ୱାର ନିକଟରେ ଶୋଇଥିବା ପିତାଙ୍କୁ କୁରାଢ଼ୀରେ ହତ୍ୟା କରି ରାତାରାତି ସୁରଟ ଫେରିଗଲେ । ତାଙ୍କର ଏହି ବର୍ବରକାଣ୍ଡ ବିଷୟରେ କେହି କେବେ ଜାଣିପାରିବେ ନାହିଁ ବୋଲି ସେ ଭାବିଥିଲେ । କିନ୍ତୁ ପତ୍ନୀଙ୍କୁ କରିଥିବା ଏକ ଫୋନ୍ କଲ୍ ତାଙ୍କୁ ଧରା ପକାଇ ଦେଇଛି ।

ହତ୍ୟାକାଣ୍ଡଟି ଜୁଲାଇ ୨୬ ତାରିଖ ବିଳମ୍ବିତ ରାତିର। ସେଦିନ ସମସ୍ତିପୁର ଜିଲ୍ଲାର ଦରୱା ଗାଁରେ ନିଜ ଘର ବାହାରେ ଶୋଇଥିବା ରଘୁବୀରଙ୍କୁ କେହି ଅତି ବୀଭତ୍ସ ଭାବେ ହତ୍ୟା କରିଥିଲେ । ରଘୁବୀରଙ୍କ ମୁଣ୍ଡ ଉପରେ କୁରାଢ଼ୀ ଦ୍ୱାରା ବାରମ୍ବାର ଆକ୍ରମଣ କରାଯାଇଥିଲା । ତାଙ୍କର ମୃତ୍ୟୁ ପରେ ଅଭିଯୁକ୍ତ ସେଠାରୁ ଚମ୍ପଟ ମାରିଥିଲେ । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଶବକୁ ପୋଷ୍ଟମର୍ଟମ ଲାଗି ପଠାଇଥିଲା । ଫରେନସିକ୍ ଟିମ୍ ଘଟଣାସ୍ଥଳର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଥିଲେ । ପ୍ରାଥମିକ ତଦନ୍ତରୁ ଏହି କାଣ୍ଡ ବାହାର ଲୋକ ନୁହଁ, ବରଂ ରଘୁବୀରଙ୍କ କେହି ଘନିଷ୍ଠ ସଂପର୍କୀୟ କରିଥିବା ନେଇ ପୋଲିସ ସନ୍ଦେହ କଲା । ଏହାପରେ ମୃତକଙ୍କ ପରିଜନମାନଙ୍କ ଗତିବିଧି ଉପରେ ନଜର ରଖାଗଲା । ଶେଷରେ ପୁଅ ଶିବଶଙ୍କରଙ୍କ ଉପରେ ପୋଲିସର ସନ୍ଦେହ ଦୃଢ଼ୀଭୂତ ହେଲା । ପୋଲିସ ମୁତାବକ, ପିତାଙ୍କ ସହ ତାଙ୍କର ଜମି ବିକ୍ରିକୁ ନେଇ ବିବାଦ ଥିଲା । ରଘୁବୀର ତାଙ୍କ ପତ୍ନୀଙ୍କୁ ମଧ୍ୟ ଗାଳି ଦେଉଥିଲେ । ସେଥିଯୋଗୁ ବାଧ୍ୟହୋଇ ଶିବଶଙ୍କର ପତ୍ନୀଙ୍କୁ ନେଇ ସୁରଟରେ ଯାଇ ରହୁଥିଲେ । ଏପରିକି ସେ ପିତାଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ବି ସାମିଲ ହୋଇନଥିଲେ । ଏହାପରେ ପୋଲିସ ସନ୍ଦେହ ଆଧାରରେ ଶିବଶଙ୍କରଙ୍କୁ ପଚରାଉଚରା କରିଥିଲା । ଜେରାବେଳେ ସେ ବାପାଙ୍କୁ ହତ୍ୟା କରିଥିବା ସ୍ଵୀକାର କରିଥିଲେ।

ଜଣେ ପୋଲିସ ଅଧିକାରୀ କହିଛନ୍ତି, ସୁରଟରେ ରହଣିବେଳେ ଶିବଶଙ୍କର ‘ଦୃଶ୍ୟମ୍’ ଫିଲ୍ମ ଦେଖିଥିଲେ । ସେଥିରେ ମୁଖ୍ୟ ଚରିତ୍ର ବିଜୟ ସାଲଗାଓଁକର ଏକ ହତ୍ୟା ପରେ ନିଜ ପରିବାରର ସୁରକ୍ଷା ଲାଗି ଘଟଣାର ସମୟସୀମାକୁ ପରିବର୍ତ୍ତନ କରି ପୁଲିସକୁ ଚକ୍ମା ଦେବାରେ ସଫଳ ହୋଇଥିବା ବର୍ଣ୍ଣିତ ହୋଇଛି । ସେଥିରୁ ପ୍ରଭାବିତ ହୋଇ ଶିବଶଙ୍କର ପିତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ । ସେ ଅନୁସାରେ ସୁରଟରୁ ନିଜ ଗାଁ ଅଭିମୁଖେ ପ୍ରାୟ ୨୦୦୦ କିମି ଆସିଥିଲେ । କେହି ଯେପରି ତାଙ୍କର ଲୋକେସନ୍ ଟ୍ରାକ୍ କରି ନ ପାରିବେ ସେଥିଲାଗି ଟ୍ରେନ୍ ଯାତ୍ରା ଆରମ୍ଭ ପୂର୍ବରୁ ନିଜ ମୋବାଇଲ୍ ସ୍ୱିଚ୍ ଅଫ୍ କରିଦେଇଥିଲେ । ହତ୍ୟାକାଣ୍ଡ ଦିନ ଶିବଶଙ୍କର ପ୍ରଥମେ ପାଟ୍ନାରେ ପହଞ୍ଚିଥିଲେ । ସନ୍ଧ୍ୟାରେ ହାଜିପୁରରୁ ଟ୍ରେନ୍ ଧରି ପଟୋରୀ ଷ୍ଟେସନ୍ରେ ଓହ୍ଲାଇଥିଲେ । ସେଠାରୁ ଅଟୋ ନେଇ ଜୋରପୁରା ଏବଂ ଶେଷରେ ୪ କିମି ଚାଲି ରାତି ୧୨ରେ ଘରେ ପହଞ୍ଚିଥିଲେ । ପଛଦ୍ୱାର ଦେଇ ସେ ଘରେ ପଶିଥିଲେ ।

ଏହାପରେ ଏକ କୋଠରୀରୁ କୁରାଢ଼ୀ ବାହାର କରି ବାହାରେ ଶୋଇଥିବା ପିତା ରଘୁବୀର ସାହନିଙ୍କ ଉପରେ ଆକ୍ରମଣ କରିଥିଲେ । ମୁଣ୍ଡ ଉପରେ ବାରମ୍ବାର ଆକ୍ରମଣ କରାଯିବାରୁ କିଛି ସମୟ ମଧ୍ୟରେ ରଘୁବୀରଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଶିବଶଙ୍କର ପୁଣି ପଟୋରୀ ଷ୍ଟେସନ୍ ଅଭିମୁଖେ ବାହାରି ଯାଇଥିଲେ । ତେବେ ଗୋଟିଏ ଭୁଲ୍ ତାଙ୍କର ଏହି ଫିଲ୍ମ ଶୈଳୀର ହତ୍ୟା ଯୋଜନାକୁ ଧରା ପକାଇ ଦେଇଥିଲା । ସେ ପୁଲିସକୁ ଚକ୍ମା ଦେବା ଲାଗି ଯାତ୍ରା ଆରମ୍ଭ ସମୟରୁ ମୋବାଇଲ୍ ସ୍ୱିଚ୍ ଅଫ୍ ରଖିଥିଲେ । କିନ୍ତୁ ପିତାଙ୍କୁ ହତ୍ୟା କରି ପଟୋରୀ ପହଞ୍ଚିବା ପରେ ମୋବାଇଲ୍ ଅନ୍ କରି ପତ୍ନୀଙ୍କ ସହ କଥା ହୋଇଥିଲେ । ଏହା ପୋଲିସ ଲାଗି ଗୁରୁତ୍ୱପୂର୍ଣ୍ଣ ସୁରାକ ପାଲଟିଥିଲା । ଅନ୍ୟପଟେ ବୈଷୟିକ ଯାଞ୍ଚରୁ ହତ୍ୟାଦିନ ରାତିରେ ତାଙ୍କର ମୋବାଇଲ୍ର ଲୋକେସନ୍ ପଟୋରୀ ଷ୍ଟେସନରେ ମିଳିଥିଲା । ଏହାର ପ୍ରାୟ ୩୬ ଘଣ୍ଟା ପରେ ମୋବାଇଲ୍ ଲୋକେସନ୍ ସୁରଟରେ ଦେଖାଇଥିଲା । ପରବର୍ତ୍ତୀ ସମୟରେ ପୁଲିସ ତାଙ୍କର କଲ୍ ଡିଟେଲ ରେକର୍ଡକୁ ଯାଞ୍ଚ କରିଥିଲା । ସେଥିରୁ ପତ୍ନୀଙ୍କ ନିକଟରେ ସେ ହତ୍ୟା ସଂପର୍କରେ କରିଥିବା ସ୍ୱୀକାରୋକ୍ତି ସାମ୍ନାକୁ ଆସିଥିଲା । ସେହି ଆଧାରରେ ପୋଲିସ ଶିବଶଙ୍କରଙ୍କୁ ଗିରଫ କରିଛି ।