ଝାଂସୀ: ଯେଉଁ କୋଠରୀରେ ଦୁଇ ଦିନ ପୂର୍ବରୁ ଗୋଟିଏ ନାଗ ସାପକୁ ମରାଯାଇଥିଲା, ସେହି ରୁମରେ ନାଗୁଣୀ ଦୁଇଟି ନିରୀହ ଶିଶୁଙ୍କୁ କାମୁଡ଼ିଛି । ନାଗୁଣୀ ଚୋଟରେ ୭ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ଘଟିଥିବା ବେଳେ ତା’ର ୫ ବର୍ଷର ସାନ ଭଉଣୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛି । ଏହି ଘଟଣା ଝାଂସୀର ହରଦୌଲପୁର ମୁହଲ୍ଲାରେ ଘଟିଛି । ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ଯେ ନାଗର ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ନାଗୁଣୀ ସେହି କୋଠରୀରେ ପିଲାମାନଙ୍କୁ ଦଂଶନ କରିଛି ।

ଅନେକ ଲୋକ ଏହାକୁ କେବଳ ଏକ ସଂଯୋଗ ବୋଲି କହୁଥିବା ବେଳେ ଅନ୍ୟ କେତେକ ଏହାକୁ ସାପ ଯୋଡ଼ିର କାହାଣୀ ବୋଲି କହୁଛନ୍ତି । ଲୋକଙ୍କ ମୁହଁରେ ଗୋଟିଏ ପ୍ରଶ୍ନ - ଏହା କ’ଣ ସେହି ନାଗର ନାଗୁଣୀ ଥିଲା? ପୂରା ଅଞ୍ଚଳରେ ନିରୀହ ଶିଶୁର ମୃତ୍ୟୁ ଯୋଗୁଁ ଶୋକର ଛାୟା ଖେଳିଯାଇଥିବା ବେଳେ ନାଗୁଣୀର ପ୍ରତିଶୋଧ ଚର୍ଚ୍ଚା ଯୋଗୁଁ ଭୟ ଓ ଆତଙ୍କ ସୃଷ୍ଟି ହୋଇଛି ।

ସୂଚନା ଅନୁସାରେ, ହରଦୌଲପୁର ରହସି ପ୍ରଦୀପ କୁଶୱାହା ମଜୁରି କାମ କରି ପରିବାର ପ୍ରତିପୋଷଣ କରନ୍ତି । ରବିବାର ସକାଳେ ସେ ସାଧାରଣ ଦିନ ଭଳି କାମକୁ ଯାଇଥିଲେ । ସବୁକିଛି ସ୍ୱାଭାବିକ ଥିଲା । ପିଲାମାନେ ଖେଳୁଥିଲେ । ସନ୍ଧ୍ୟା ହେବା ପରେ ରାତିରେ ଖାଇସାରି ସମସ୍ତେ ଶୋଇପଡ଼ିଥିଲେ । ବିଳମ୍ୱିତ ରାତିରେ ଶୋଇଥିବା ୭ ବର୍ଷର ପୁଅ ମୟଙ୍କ ଓ ୫ ବର୍ଷର ଝିଅ ପ୍ରଗତି ଚିତ୍କାର କରିବାକୁ ଲାଗିଥିଲେ ।

ପାଟିଶବ୍ଦ ଶୁଣି ମା' ନେହା ଦୌଡ଼ି ଆସି ରୁମରେ ପହଞ୍ଚିଥିଲେ । ସେଠାରେ ଦୁଇ ଶିଶୁଙ୍କୁ ସାପ କାମୁଡ଼ି ସାରିଥିଲା । ଅବସ୍ଥା ବିଗିଡ଼ିବାରୁ ପରିବାର ଲୋକେ ତୁରନ୍ତ ଦୁଇ ଶିଶୁଙ୍କୁ ମେଡିକାଲ କଲେଜ ନେଇଯାଇଥିଲେ, ଯେଉଁଠାରେ ଡାକ୍ତର ମୟଙ୍କକୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ପ୍ରଗତିର ଅବସ୍ଥା ଗୁରୁତର ଥିବାରୁ ତା’ର ଚିକିତ୍ସା ଚାଲିଛି ।

୨ ଦିନ ପୂର୍ବେ ସେହି କୋଠରୀରେ ନାଗକୁ ମାରିଦେଇଥିଲେ ଲୋକେ

ସ୍ଥାନୀୟ କାଉନସିଲର ସୁଶୀଲ କୁମାର କୁଶୱାହାଙ୍କ ସୂଚନା ଅନୁସାରେ, ଦୁଇ-ତିନି ଦିନ ପୂର୍ବରୁ ମଧ୍ୟ ଏହି କୋଠରୀରୁ ଗୋଟିଏ ସାପ ବାହାରିଥିଲା । ଗ୍ରାମବାସୀ ମିଶି ତାକୁ ମାରିଦେଇଥିଲେ । ଏବେ ପୁଣି ସେହିପରି ଅନ୍ୟ ଏକ ସାପ ବାହାରିବା ପରେ ଗାଁରେ ନାନା କଥା ଚର୍ଚ୍ଚା ହେଉଛି । ଅନେକ ଲୋକ ଏହାକୁ ସାପ ଯୋଡ଼ି ଦେଖୁଛନ୍ତି । ତେବେ ବନ ବିଭାଗ କିମ୍ବା କୌଣସି ସରକାରୀ ସଂସ୍ଥା ଏହି ଦୁଇ ସାପ ଯୋଡ଼ି ଥିବା କଥା ସ୍ପଷ୍ଟ କରିନାହାନ୍ତି । ବିଶେଷଜ୍ଞମାନେ ମଧ୍ୟ ସାପ ପ୍ରତିଶୋଧ ନେବା ପରି ଧାରଣାକୁ ବୈଜ୍ଞାନିକ ଭାବେ ସତ ବୋଲି ଗ୍ରହଣ କରନ୍ତି ନାହିଁ । ତଥାପି ଏହି ଘଟଣା ପରେ ଅଞ୍ଚଳବାସୀଙ୍କ ମନରେ ଭୟ ବଢ଼ିବାରେ ଲାଗିଛି ।