ମୁମ୍ବାଇ :  ମା’ ହେବା ସହଜ କଥା ନୁହେଁ… ପିଲାଙ୍କୁ ବଡ଼ କରିବା ପାଇଁ ଜଣେ ମା’ ନିଜ ଜୀବନର ଅନେକ ଖୁସି ଏବଂ ଇଛାକୁ ଜଳାଞ୍ଜଳି ଦେଇଥାଏ । ହେଲେ ପିଲାମାନେ ବଡ଼ ହେବା ପରେ ସେହି ମା’କୁ ପର କରିଦିଅନ୍ତି , ତା'ଠାରୁ ଦୂରେଇ ଯାଆନ୍ତି । ମାତୃତ୍ୱର ଏହି କଡ଼ା ସତକୁ ନେଇ ଏବେ ସମସ୍ତଙ୍କୁ ଭାବବିହ୍ୱଳ କରିଛନ୍ତି ଟେଲିଭିଜନ ଅଭିନେତ୍ରୀ ତଥା ରାଜନେତ୍ରୀ ସ୍ମୃତି ଇରାନୀ । ତାଙ୍କ କଥା ଶୁଣି ଇଣ୍ଟରନେଟରେ ଭାବପ୍ରବଣ ହୋଇଛନ୍ତି ଲୋକେ। ମାତୃତ୍ୱର କିଛି ମିଠା-କଡ଼ା ଅନୁଭୂତିକୁ ନେଇ ସ୍ମୃତି ଇରାନୀଙ୍କ ଏକ ମନ୍ତବ୍ୟ ଏବେ ଇଣ୍ଟରନେଟରେ ଭାବପ୍ରବଣତା ସୃଷ୍ଟି କରିଛି।

ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସ୍ମୃତି ଇରାନୀ ଯୋଗ ଦେଇ ନିଜ ମାତୃତ୍ୱ ଅନୁଭୂତି ବିଷୟରେ ଏକ ବାର୍ତ୍ତା ଦେଇଥିଲେ । ସେ କହିଥିଲେ ପିଲାମାନଙ୍କୁ ବଡ଼ କରିବାର ଦାୟିତ୍ୱ ସହ ଏକ ବ୍ୟସ୍ତ ଏବଂ ଚ୍ୟାଲେଞ୍ଜିଂ କ୍ୟାରିୟରକୁ କିପରି ବାଲାନ୍ସ କରି ଚାଲିଥିଲେ, ସେନେଇ ସେ ନିଜ ଅନୁଭୂତି ସେୟାର କରିଥିଲେ। ପ୍ରଥମେ ଜଣେ ଲୋକପ୍ରିୟ ଟେଲିଭିଜନ୍ ଅଭିନେତ୍ରୀ ଭାବେ ଏବଂ ପରେ ରାଜନୀତି କ୍ଷେତ୍ରରେ ଏକ ବଡ଼ ଦାୟିତ୍ୱ ତୁଲାଇବା ସମୟରେ ମା’ ଭାବେ ନିଜ ଦାୟିତ୍ୱକୁ କିପରି ସମ୍ଭାଳିଥିଲେ, ତାହା ଉପରେ ସେ ଆଲୋକପାତ କରିଥିଲେ।

ସୂଚନାନୁଯାୟୀ, ସ୍ମୃତି ଇରାନୀ ହେଉଛନ୍ତି ତିନି ସନ୍ତାନଙ୍କ ମା’। ତାଙ୍କ ଏହି ବ୍ୟକ୍ତିଗତ ଅନୁଭୂତି ମାତୃତ୍ୱର ଭାବନାତ୍ମକ ଏବଂ ବାସ୍ତବ କଥାକୁ ସାମ୍ନାକୁ ଆଣିଛି। ତାଙ୍କ କଥା ଶୁଣି ଅନେକ ଲୋକ ନିଜ ଜୀବନର ଅନୁଭୂତି ସହ ଏହାକୁ ଯୋଡ଼ିଛନ୍ତି ଏବଂ ସୋସିଆଲ୍ ମିଡିଆରେ ଭାବପ୍ରବଣ ପ୍ରତିକ୍ରିୟା ଦେଇଛନ୍ତି। ତାଙ୍କ ମତରେ, ପିଲାଙ୍କୁ ବଡ଼ କରିବାର ଯାତ୍ରାରେ ମା’ ନିଜ ଜୀବନର ଅଧା ସମୟ ଏମିତି ଭାବେ ଦେଇଦିଅନ୍ତି, ଯେ ଜୀବନର ଅନ୍ୟ ଅଧା ସମୟରେ ସେହି ପିଲାମାନେ ତାଙ୍କୁ ଭୁଲିଯିବା ଭଳି ଲାଗେ। ସ୍ମୃତିଙ୍କ ଏହି ଚିନ୍ତା କେବଳ ଜଣେ ମା’ଙ୍କ କାହାଣୀ ନୁହେଁ, ବରଂ ଅନେକ ମା’ଙ୍କ ଜୀବନର ଏକ ନିରାଟ ସତ୍ୟ । ପିଲାଙ୍କ ଲାଳନପାଳନ, ସେମାନଙ୍କ ଭବିଷ୍ୟତ ଏବଂ ପରିବାର ପାଇଁ ମା’ମାନେ ନିଜର ଅନେକ ଇଚ୍ଛାକୁ ପଛରେ ପକାଇଦିଅନ୍ତି । ପିଲାମାନେ ବଡ଼ ହୋଇ ନିଜ ନିଜ ଜୀବନରେ ବ୍ୟସ୍ତ ହୋଇଯିବା ପରେ ଘର ଖାଲି ଖାଲି ଲାଗିବା, ପିଲାଙ୍କୁ ମନେ ପକାଇବା ଏବଂ ସେମାନଙ୍କୁ ଛାଡ଼ି ଦେବାର ଯନ୍ତ୍ରଣା ଏହି ସବୁ ଭାବନାକୁ ସ୍ମୃତିଙ୍କ କଥାରୁ ମନେ ହୋଇଥିଲା ।

ସ୍ମୃତି ଇରାନୀଙ୍କ ଏହି ଭାବପ୍ରବଣ ବାର୍ତ୍ତା ଇଣ୍ଟରନେଟରେ ଅନେକଙ୍କ ହୃଦୟକୁ ଛୁଇଁଛି। ତାଙ୍କ କଥାରେ ନିଜ ମା’ଙ୍କ ଛବି ଦେଖିଛନ୍ତି ଅନେକ ଲୋକ । ଏପରିକି ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ମଧ୍ୟ ସ୍ମୃତିଙ୍କ ଏହି ବାର୍ତ୍ତାରେ ଭାବପ୍ରବଣ ହୋଇଥିବା ଜଣାପଡ଼ିଛି। ମାତୃତ୍ୱର ଏହି ମିଠା-କଡ଼ା ସତକୁ ଶବ୍ଦରେ ବାନ୍ଧି ସ୍ମୃତି ଇରାନୀ ଆଜି ଅନେକ ମା’ଙ୍କ ମନର କଥା କହିଦେଇଛନ୍ତି। ତାଙ୍କ ଏହି ବାର୍ତ୍ତା ଶୁଣି ସୋସିଆଲ୍ ମିଡିଆରେ ଜଣେ ୟୁଜର୍ ପ୍ରତିକ୍ରିୟା ଦେଇ କହିଛନ୍ତି ‘ଆପଣ ଆମକୁ କନ୍ଦାଇଦେଲେ।’