ପୁରୀ ୧୧।୬: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ମାସିକ ସମୀକ୍ଷା ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ବିଷୟରେ ନେଇ ଆଲୋଚନା ହୋଇଛି। ମୁଖ୍ୟ ପ୍ରଶାସକ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ହାତକୁ ନିଆଯାଇଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ବିଷୟରେ ସମୀକ୍ଷା ସହ ରଥ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ। ରଥକାଠ ସଂଗ୍ରହ ଓ ପରମ୍ପରା ପ୍ରକାରେ ରଥ ନିର୍ମାଣ ଆଗେଇ ଚାଲିଥିବାରୁ ମୁଖ୍ୟ ପ୍ରଶାସକ ସନ୍ତୋଷ ପ୍ରକାଶ କରିଥିଲେ। କରତ କଳରେ ପହଞ୍ଚିଥିବା ତାଳ କାଠ ଶୀଘ୍ର ଚିରଟ କରି ଅଧିକ ଏକ ସେଟ୍ ଚାର ମାଳ ଗଚ୍ଛିତ ରଖିବାକୁ ମୁଖ୍ୟ ପ୍ରଶାସକ ଆଦେଶ ଦେଇଥିଲେ।

ଶ୍ରୀମନ୍ଦିର ପରିସରରେ ନିର୍ମାଣାଧିନ କୋଇଲି ବୈକୁଣ୍ଠ ଫୁଲ ଗୁନ୍ଥା ଗୃହ ଶୀଘ୍ର ଶେଷ କରିବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମହାପ୍ରଭୁଙ୍କ ବିଭିନ୍ନ ସ୍ଥାନରେ ଥିବା ଜମିର ସୁରକ୍ଷା ପାଇଁ ଯଥୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ।

Also Read:-ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ କଟକ ଡିସିପିଙ୍କ ବଡ଼ ବୟାନ, ପୁରୁଷ ବନ୍ଧୁଙ୍କୁ ଖୋଜୁଛି ପୋଲିସ

ସେହିପରି ଭୁବନେଶ୍ୱର କୋରଡ଼କଣ୍ଟାରେ ମହାପ୍ରଭୁଙ୍କ ମୂଲ୍ୟବାନ ଜମି ଜବରଦଖଲ ମୁକ୍ତ କରାଯାଇଥିବାରୁ ସନ୍ତୋଷ ବ୍ୟକ୍ତ କରି ଅନ୍ୟାନ୍ୟ ଜବରଦଖଲରେ ଥିବା ଜମିକୁ ତୁରନ୍ତ ପ୍ରଶାସନ ଅଧୀନକୁ ଆଣିବାକୁ ଅନୁରୂପ ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ। ଏଥିସହ ଶ୍ରୀମନ୍ଦିର ସମ୍ବନ୍ଧୀୟ ବିଭିନ୍ନ କୋର୍ଟରେ ଥିବା ମାମଲା ଗୁଡ଼ିକର ତାଲିକା ଅଦ୍ୟତନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ।

ବୁଧବାର ଅପରାହ୍ନରେ ମୁଖ୍ୟ ପ୍ରଶାସକ ଅଧିକାରୀମାନଙ୍କ ଗହଣରେ ଶ୍ରୀଗୁଣ୍ଡିଚା ମନ୍ଦିର ଓ ହରଚଣ୍ଡୀ ସାହି ସ୍ଥିତ ସେବାୟତଙ୍କ ବାସଗୃହ ପାଇଁ ନିରୂପିତ ସ୍ଥାନ ପରିଦର୍ଶନ କରିଥିଲେ। ଆଗାମୀ ରଥଯାତ୍ରା ନିକଟତର ହୋଇଆସୁଥିବାରୁ ଗୁଣ୍ଡିଚା ମନ୍ଦିରର ସମସ୍ତ ନିର୍ମାଣାଧିନ କାର୍ଯ୍ୟ ଜୁନ୍ ୨୦ ତାରିଖ ସୁଦ୍ଧା ଶେଷ କରିବାକୁ ବିଭାଗୀୟ ଯନ୍ତ୍ରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ।