ପୁରୀ : ହେ ଜଗତର ନାଥ... ଜଗନ୍ନାଥ... କାଳିଆ ସାଆନ୍ତ, ଏତିକି ବିନତୀ ଶୁଣ ହେ ଠାକୁର...ଅବଧୋ ଶିଶୁଟିକୁ ଭଲ କରିଦିଏ। ବଞ୍ଚାଇ ଦିଅ ତାକୁ । କାନି ପାତି ମାଗୁଛି ମାଆ। ଲୁହ ଢଳ ଢଳ ଆଖିରେ ହାତ ଯୋଡ଼ି ପ୍ରାର୍ଥନା କରୁଛି ବାପା।

‘ହେ ଚକା ଆଖି ସବୁତ ଦେଖୁଛ। ତମ ଦୁଆରେ ରାତି ପାହିଲେ ଲକ୍ଷ ଲକ୍ଷ ଭକ୍ତ। ସବୁରି ଡାକ ଶୁଣୁଛ। ଦାସିଆଠୁ ଭକ୍ତ ସାଲବେଗ। ମୃଗୁଣୀରୁ ଗଜରାଜ, ସୁଦାମା ଓ ଦ୍ରୌପଦୀ ଏବେରୁ ପୁରାଣ ସମେତ ଭକ୍ତର ଠାକୁର। ଯିଏ ଡାକେ ତା କଥା ଶୁଣ। ଆମ କଥା ଶୁଣ ହେ ଠାକୁର। ଏଇ ଅବୋଧ ଶିଶୁଟିକୁ କାହିଁକି ଏତେ ଯନ୍ତ୍ରଣା। ଏତେ କଷ୍ଟ, ଏତ ବଡ଼ ରୋଗ। ତମେ କୃପାକର, ପ୍ରଭୁ ତାକୁ ଆରୋଗ୍ୟ କରିଦିଅ। ତମ ସନ୍ତାନ ସେ । ସେ ସଦା ହସ ଖୁସିରେ ବଞ୍ଚିଥାଉ। ଏତିକି ଶୁଣ ପ୍ରଭୁ...। ତମ ପତିତପାବନ ବାନାର ଟେକ ରହିଥାଉ ପ୍ରଭୁ।

ଏତେ ସବୁ କଥା... ମନରେ ଅଭିମାନ ରଖି କାଳିଆ ପାଖରେ ତା ମନର କଥା ରଖି ଦେଇଛି ଜଣେ ମାଆ। କାନ୍ଦି କାନ୍ଦି ବିକଳ ହୋଇ ପୁଅ ଆରୋଗ୍ୟର ଭିକ୍ଷା ମାଗୁଛି। ୬ ବର୍ଷର ପୁଅ...। ଦୁନିଆ କଣ ବୁଝିନି କି ଜାଣିନି। ଖେଳ କୁଦ ଖୁସି କରିବା ସମୟରେ ମାଡ଼ି ବସିଛି କ୍ୟାନ୍ସର ଭଳି ମାରାତ୍ମକ ରୋଗ। ସେଥିପାଇଁ ପୁଅକୁ ଧରି ମହାପ୍ରଭୁଙ୍କ ଶରଣ ପଶିଛନ୍ତି ବାପା ମାଆ। କାନ୍ଦି କାନ୍ଦି ପୁଅର ଆରୋଗ୍ୟ ପାଇଁ ଜଗା ପାଖରେ କରିଛନ୍ତି ଗୁହାରୀ। ଆଖିରେ ଆଖିଏ ଲୁହ କିନ୍ତୁ ଅଟଳ ବିଶ୍ୱାସରେ କାଳିଆ ଠାକୁରଙ୍କୁ ଡାକୁଛି ମାଆ।

୬ ବର୍ଷର ସୋମ୍ୟରଞ୍ଜନ ପଣ୍ଡା। କେନ୍ଦ୍ରାପଡାର ବାସୀନ୍ଦା। କୁନି ବୟସରେ କ୍ୟାନସର ରୋଗରେ ପୀଡିତ ଏହି ଶିଶୁ ଏବେ ମହାପ୍ରଭୁଙ୍କ ଶରଣରେ। ୬ ବର୍ଷରେ ଏତେ ବଡ଼ ରୋଗ ପୁଅକୁ ହୋଇଥିବାରୁ ଚିନ୍ତାରେ ବାପା ମାଆ। ତେବେ ଯେଉଁଠି ଡାକ୍ତରୀ ବିଦ୍ୟା ଫେଲ୍ ମାରିଯାଏ ସେଠାରେ ଏକମାତ୍ର ସାହା ଭରସା ହେଉଛନ୍ତି ମହାପ୍ରଭୁ। ସେହି ମହାପ୍ରଭୁଙ୍କ ଉପରେ ଭରସା ରଖି ପୁରୀ ଆସିଛନ୍ତି ସୋମ୍ୟଙ୍କ ପରିବାର। ଏକ କଦଳୀ ପତ୍ରରେ ପୁଅକୁ ସୁଆଇଦେଇ ମହାପ୍ରଭୁଙ୍କ ସିଂହଦ୍ୱାର ସମ୍ମୁଖରେ ସମର୍ପିତ କରି ସୁସ୍ଥତା କାମନା କରୁଛନ୍ତି। ପୁଅର ଆରୋଗ୍ୟ ପାଇଁ ଆକୁଳ ବାପା ମାଆ। ଛଳ ଛଳ ଆଖିରେ ହାତ ଯୋଡ଼ି କାଳିଆ ଠାକୁରଙ୍କୁ ମିବେଦନ କରୁଛନ୍ତି, ହେ ମହାପ୍ରଭୁ ମୋ ପୁଅ ତୁମକୁ ଲାଗିଲା। ତୁମ ଆଶୀର୍ବାଦ ମିଳିଗଲେ ପୁଅ ମୋର ସୁସ୍ଥ ହୋଇଯିବ। ଏଭଳି ଦୃଶ୍ୟ ଶ୍ରୀମନ୍ଦିର ସିଂହଦ୍ୱାର ଠାରେ ଅନ୍ୟ ଶ୍ରଦ୍ଧାଳୁଙ୍କୁ ବି ବେଶ୍ ଭାବବିହ୍ୱଳ କରି ପକାଇଥିଲା। ସମସ୍ତେ ବି ମନରେ ଛୁଆଟି ପାଇଁ ଡାକିଥିଲେ କାଳିଆ ସାଆନ୍ତକୁ।

ଜଗତର ନାଥ ଜଗନ୍ନାଥ। ବିଶ୍ୱ ନିଅନ୍ତା ସେ, କୁହନ୍ତି ତାଙ୍କ ପାଖରୁ କିଏ କେବେ ଖାଲି ହାତରେ ଫେରିନି। ଯୁଗେ ଯୁଗେ ଏମିତି କେତେ କଥା କେତେ କାହାଣୀ। ଭାବରେ ଡାକିଲେ ସେ ନିଶ୍ଚୟ ଶୁଣିବେ। କୁନି ପୁଅ ଟିର ଦେହ ଭଲ ହୋଇ ଯାଉ, ଜଗା ପାଖରେ ଆମର ଏତିକି ପ୍ରାର୍ଥନା।

Also Read- Bus fare hike: ବସ୍ ଯାତ୍ରୀଙ୍କୁ ଝଟକା ! କିଲୋମିଟର ପିଛା ବଢ଼ିବ ୨ ପଇସା