ନୂଆଦିଲ୍ଲୀ ୦୩/୦୧: କେତେ ଆଉ ମରି ମରି ବଞ୍ଚିବି...ତାଠୁ ଭଲ ଚାଲିଯିବା...ରାକ୍ଷସଙ୍କ କବଳରେ ମୋର ତିଷ୍ଠିବା ମୁସ୍କିଲ...ଆଉ ନୁହେଁ ମୋତେ ହାରିବାକୁ ପଡିବ....ମୋ ଧୈର୍ଯ୍ୟର ସବୁ ସୀମା ପାର୍ ହୋଇସାରିଛି...ଆଉ ମୋ ହାତରେ କିଛି ନାହିଁ...ପରିବାର ତତେ ଲାଗିଲା, ମା’ର ଯତ୍ନ ନେବୁ...ଭବିଷ୍ୟତ ଗଢିବୁ....ଜଣେ ଅସହାୟ ବାପାର ଏମିତି ଶେଷ ଚିଠି ପଢିଲେ ଆପଣଙ୍କ ଆଖିରେ ବି ଆସିଯିବ ଲୁହ...ଶେଷ ସମୟ ଆସିଗଲାରେ ବାବୁ...ମୁଁ ଯାଉଛି । 

ଏମିତି ଲେଖି ଜୀବନ ହାରିଛନ୍ତି ହରିୟାଣା ସିରସା ଜିଲ୍ଲା ଜେଲ ୱାର୍ଡେନ ସୁଖଦେବ ସିଂହ ସଲଫା । ମୃତ୍ୟୁ ପୂର୍ବରୁ ସେ ଦୁଇଟି ସୁଇସାଇଡ ନୋଟ୍ ଛାଡିଯାଇଛନ୍ତି । ଯେଉଁଥିରେ ଡିଏସପି ସମେତ ଦୁଇ ଅଧିକାରୀ ତାଙ୍କୁ କାର୍ଯ୍ୟ ପାଇଁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଆହୁରି ବି ସାର୍ବଜନୀନ ଭାବରେ କ୍ଷମା ମାଗିବା ପାଇଁ ଚାପ ପକାଇଥିବା ଅଭିଯୋଗ କରିଛନ୍ତି । ଆଉ ସେହି ଚାପ ସହିନପାରି ଜେଲ ୱାର୍ଡେନ ବିଷ ପିଇ କରିଛନ୍ତି ଆତ୍ମହତ୍ୟା ।

ଆହୁରି ବି ଜେଲ ୱାର୍ଡେନଙ୍କ ପରିବାର ସିରସା ପୋଲିସ ଉପରେ ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ବି ଅଭିଯୋଗ କରିଛନ୍ତି । ତେବେ ଚିଠି ଭାଇରାଲ ହେବା ପରେ ହୁଡା ପୋଲିସ ମାମଲାର ତଦନ୍ତ କରୁଛି । ମୃତକଙ୍କ ପରିବାର ଜେଲ ଡିଏସପି ଏବଂ ଅନ୍ୟ ଦୁଇ ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେମାନେ ଏହା ମଧ୍ୟ ଚେତାବନୀ ଦେଇଛନ୍ତି ଯେ ଯେପର୍ଯ୍ୟନ୍ତ ସିରସା ପୋଲିସ ଅଭିଯୁକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରେ ସେପର୍ଯ୍ୟନ୍ତ ସେମାନେ ମୃତଦେହ ଗ୍ରହଣ କରିବେ ନାହିଁ। 

ଦିନକ ପୂର୍ବରୁ ସମସ୍ତେ ନୂଆ ବର୍ଷର ଉତ୍ସବରେ ମସଗୁଲ୍ ଥିଲେ ସଭିଏଁ । ଏଠି କିନ୍ତୁ ଜଣେ କର୍ତ୍ତବ୍ୟରତ ୱାର୍ଡେନ୍ ବରିଷ୍ଠ ଅଧିକାରୀଙ୍କ 'ଦାଦାଗିରି' ଆଗରେ ଆଣ୍ଠୁ ମାଡ଼ି ବସିଥିଲେ । ହୃଦରୋଗରେ ପୀଡ଼ିତ ହୋଇ ବି କରୁଥିଲେ ଡ୍ୟୁଟି । ରାତି ଡ୍ୟୁଟି କରିବେନି ବୋଲି ନିବେଦନ କରି କରି ଶେଷରେ ନିରାଶ ହୋଇଥିଲେ ସୁଖଦେବ ସିଂହ । ମୃତ୍ୟୁ ପୂର୍ବରୁ ସେ ନିଜ ପରିବାର ଏବଂ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କ ନାମରେ ଲେଖିଥିବା ଚିଠି ଏବେ ପ୍ରଶାସନିକ ବ୍ୟବସ୍ଥାର ଅମାନୁଷିକ ଚେହେରାକୁ ପଦାରେ ପକାଇଛି । ଆତ୍ମହତ୍ୟା ପୂର୍ବରୁ ୱାର୍ଡେନ ନିଜ ପୁଅକୁ ଫୋନ୍ କରି କଥା ହୋଇଥିଲେ । କହିଥିଲେ ଯେ ଦୁଇ ଅଧିକାରୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ମୁଁ ବିଷ ଖାଉଛି । ମୋ ବ୍ୟାଗରେ ଜେଲ୍ ମହାନିର୍ଦ୍ଦେଶକ ଏବଂ ଜେଲ୍ ସୁପରିଟେଣ୍ଡେଣ୍ଟଙ୍କ ନାମରେ ସୁସାଇଡ୍ ନୋଟ୍ ରହିଛି । 

ସୁଖଦେବଙ୍କ ସୁଇସାଇଡ୍‌ ନୋଟ୍‌ରେ ଲେଖା ଅଛି , ମୁଁ ଗତ ୭ ବର୍ଷ ଧରି ସିରସା ଜିଲ୍ଲା ଜେଲ୍‌ରେ ୱାର୍ଡେନ୍ ପଦରେ କାର୍ଯ୍ୟରତ ଅଛି । ମୁଁ ଗତ ୬ ବର୍ଷ ଧରି ହୃଦରୋଗରେ ପୀଡ଼ିତ , ୧୪ ଡିସେମ୍ବରରେ ମୁଁ ପୁଲିସ୍ ଡେପୁଟି ସୁପରିଟେଣ୍ଡେଣ୍ଟଙ୍କୁ ଅନୁରୋଧ କରିଥିଲି ଯେ ମୋର ରାତି ଡ୍ୟୁଟି ନ ଲଗାଯାଉ, ଯେଉଁଥିରେ ସେ ରାଗିଗଲେ ।' ସେମାନେ ଲଗାତାର ୧୫ ଦିନ ଧରି ମୋତେ ହଇରାଣ କଲେ । ୩୧ ଡିସେମ୍ବର, ୨୦୨୫ରେ ପୁଣି ସନ୍ଧ୍ୟା ୬ଟାରେ ସେ ମୋତେ ଗାଳିଗୁଲଜ କଲେ । 

ମୁଁ ନୂଆ ବର୍ଷରେ ଜେଲ୍ ସୁପରିଟେଣ୍ଡେଣ୍ଟଙ୍କ ସାମ୍ନାରେ, ନିଜ ଗାର୍ଡଙ୍କ ସାମ୍ନାରେ କ୍ଷମା ମାଗିଲି । ଏହା ପରେ ଏଲ୍.ଓ ଏବଂ ଡିଏସପି ଆସିଲେ ଏବଂ ସାରା ଦିନ ମୋତେ ଡ୍ୟୁଟିରେ ଠିଆ କରି ରଖିଲେ । ପୁଅ..ମୁଁ ଏହି ରାକ୍ଷସମାନଙ୍କ ପାଖରେ ହାରିଗଲି , ମୋତେ କ୍ଷମା କରିଦେବୁ । ମାଆ ଆଉ ପରିବାରର ଧ୍ୟାନ ରଖିବୁ , ଆଇ ଲଭ୍‌ ୟୁ । ଜୀବନ ହାରିବା ଆଗରୁ ଏମିତି କୋହଭରା ଚିଠି ଲେଖି ଛାଡ଼ିଯାଇଛନ୍ତି ସୁଖଦେବ । ପରିବାର ଲୋକେ ବର୍ତ୍ତମାନ ସଠିକ୍ ତଦନ୍ତ ସହ ନ୍ୟାୟ ଦାବି କରିଛନ୍ତି ।