ଭୋପାଳ: ଝିଅକୁ ହତ୍ୟା କରିଥିବା ଅଭିଯୋଗରେ ବାପ-ଭାଇକୁ ଗିରଫ କରିଥିଲା ପୋଲିସ । କିନ୍ତୁ ସେହି ଝିଅ ନିଜେ ଯାଇ ଥାନାରେ ହାଜର ହେବା ପରେ ପୋଲିସର ନିଦ ହଜିଯାଇଛି। ମୃତ ଯୁବତୀ, ଜୀବିତ ହେଲେ କେମିତି ? ପ୍ରକୃତରେ ଯୁବତୀଙ୍କ ମୃତ୍ୟୁ ହୋଇନଥିଲା ବରଂ ପୋଲିସର ଭୁଲ ତଦନ୍ତ ଯୋଗୁଁ, ଦୁଇ ଜଣ ନୀରିହ ବ୍ୟକ୍ତି ସଜା କାଟୁଛନ୍ତି । ଏହି ଘଟଣା ମଧ୍ୟପ୍ରଦେଶରେ ଘଟିଛି, କିନ୍ତୁ ସାରା ଦେଶରେ ଏହାକୁ ନେ ଆଲୋଚନା ଜାରି ରହିଛି ।

ମଧ୍ୟପ୍ରଦେଶର ବୁରହାନପୁର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏହା ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯେଉଁ ଯୁବତୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହରେ ତାଙ୍କ ବାପା ଓ ଭାଇଙ୍କୁ ଗିରଫ କରି ଜେଲ୍ ପଠାଯାଇଥିଲା, ସେ ନିଖୋଜ ହେବାର ପ୍ରାୟ ଏକ ମାସ ପରେ ହଠାତ୍ ସ୍ଥାନୀୟ ଥାନାରେ ହାଜର ହୋଇଛନ୍ତି। ଏହି ଘଟଣା ପରେ ପୋଲିସର କାର୍ଯ୍ୟାଧାରକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ, ପୁଣି ଥରେ ତଦନ୍ତ ଆରମ୍ଭ ହୋଇଛି।

ମେ ୨୭ ରାତିର ନାଟକୀୟ ଘଟଣା

ମେ ୨୭ ତାରିଖ ବିଳମ୍ବିତ ରାତିରେ ବୁରହାନପୁର ଜିଲ୍ଲାର ଖାକନାର ଥାନାରେ ଏକ ନାଟକୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଶିବାନୀ ନାମକ ଜଣେ ଯୁବତୀ ହଠାତ୍ ଥାନା ଭିତରକୁ ଆସି ପୋଲିସ ଅଧିକାରୀମାନଙ୍କୁ କହିଥିଲେ ଯେ, ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ଜୀବିତ ଅଛନ୍ତି। ଏହା ସହିତ ନିଜ ନିର୍ଦ୍ଦୋଷ ବାପା ଓ ଭାଇଙ୍କୁ ତୁରନ୍ତ ଜେଲ୍ରୁ ମୁକ୍ତ କରିବା ପାଇଁ ସେ ପୋଲିସ ନିକଟରେ ଦାବି କରିଥିଲେ। ଶିବାନୀଙ୍କୁ ଦେଖି ପୋଲିସ ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, କାରଣ ପୋଲିସ ରେକର୍ଡ ଅନୁଯାୟୀ ଶିବାନୀଙ୍କର ପୂର୍ବରୁ ମୃତ୍ୟୁ ହୋଇସାରିଥିଲା।

ପୂରା ଘଟଣାକ୍ରମ

ଗତ ଏପ୍ରିଲ ୨୪ ତାରିଖରେ ଶିବାନୀ ହଠାତ୍ ଘରୁ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ ମେ ୧ ତାରିଖରେ ଥାନାରେ ଏକ ଏତଲା ଦେଇଥିଲେ। ତଦନ୍ତ ସମୟରେ ପୋଲିସ ଜାଣିବାକୁ ପାଇଥିଲା ଯେ, ସେହି ଗ୍ରାମର ଅର୍ଜୁନ ନାମକ ଜଣେ ଯୁବକ ମଧ୍ୟ ସେହି ସମୟରେ ନିଖୋଜ ହୋଇଥିଲେ, ଯାହାଙ୍କର ନିଖୋଜ ରିପୋର୍ଟ ମେ ୯ ରେ ଦାଖଲ ହୋଇଥିଲା। ପରେ ଜଣାପଡ଼ିଥିଲା ଯେ, ଶିବାନୀ ଓ ଅର୍ଜୁନ ଉଭୟ ଲୁଚି ପଳାଇଛନ୍ତି।

ସେପଟେ ଏହି ସମୟ ମଧ୍ୟରେ ମହାରାଷ୍ଟ୍ରର ଜଳଗାଓଁ ଜିଲ୍ଲାର ଜାମୋଦ ଅଞ୍ଚଳରୁ ଜଣେ ଯୁବତୀଙ୍କର ଅର୍ଦ୍ଧଦଗ୍ଧ ଏବଂ ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରାଯାଇଥିଲା। ମହାରାଷ୍ଟ୍ର ପୋଲିସ 'କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଂ ନେଟୱର୍କ ସିଷ୍ଟମ' (CCTNS) ମାଧ୍ୟମରେ ମଧ୍ୟପ୍ରଦେଶ ପୋଲିସ ସହ ଯୋଗାଯୋଗ କରିଥିଲା। ଉଦ୍ଧାର ହୋଇଥିବା ମୃତଦେହଟି ନିଖୋଜ ଶିବାନୀଙ୍କର ହୋଇଥାଇପାରେ ବୋଲି ସନ୍ଦେହ ପ୍ରକାଶ ପାଇଥିଲା।

ଏହି ସନ୍ଦେହ ଆଧାରରେ ବୁରହାନପୁର ପୋଲିସ ତତ୍ପରତା ଦେଖାଇ ଶିବାନୀଙ୍କ ବାପା ବାପୁରାଓ ଏବଂ ଭାଇ ଅଜୟଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରିଥିଲା। ପରେ ଉଭୟଙ୍କୁ ମହାରାଷ୍ଟ୍ରର ବୁଲଢାଣା ଜେଲ୍କୁ ପଠାଇ ଦିଆଯାଇଥିଲା।ଯେତେବେଳେ ଶିବାନୀ ଜାଣିବାକୁ ପାଇଲେ ଯେ, ସେ ପଳାଇଯିବା ପରେ ତାଙ୍କ ବାପା ଓ ଭାଇଙ୍କୁ ହତ୍ୟାକାରୀ ଭାବି ଜେଲ୍ରେ ରଖାଯାଇଛି, ସେ ସ୍ତବ୍ଧ ହୋଇଯାଇଥିଲେ। ସେ ତୁରନ୍ତ ନିଜ ସମ୍ପର୍କୀୟମାନଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ଖାକନାର ଥାନାରେ ଆତ୍ମସମର୍ପଣ କରିଥିଲେ। ସେ ପୋଲିସ ଆଗରେ ସ୍ପଷ୍ଟ କରିଛନ୍ତି ଯେ, ସେ ନିଜ ଇଚ୍ଛାରେ ଅର୍ଜୁନଙ୍କ ସହ ଘରୁ ଯାଇଥିଲେ ଏବଂ ତାଙ୍କୁ କେହି କୌଣସି କ୍ଷତି ପହଞ୍ଚାଇ ନାହାନ୍ତି।

ବୁରହାନପୁର ଏସପି (SP) ଆଶୁତୋଷ ବାଗ୍ରୀ ଏହି ଘଟଣା ସଂପର୍କରେ ସୂଚନା ଦେଇଛନ୍ତି । ସମ୍ପର୍କୀୟ ଏବଂ ସାକ୍ଷୀମାନଙ୍କ ଉପସ୍ଥିତିରେ Thumb Impression ଏବଂ ସରକାରୀ ପରିଚୟ ପତ୍ର ମାଧ୍ୟମରେ ଶିବାନୀଙ୍କ ପରିଚୟ ଯାଞ୍ଚ କରାଯାଇଛି। ନିର୍ଦ୍ଦୋଷ ବାପା ଓ ଭାଇଙ୍କୁ ଜେଲ ମୁକ୍ତ କରିବା ପାଇଁ ପୋଲିସ ଆଇନଗତ ପ୍ରକ୍ରିୟା ଆରମ୍ଭ କରିଦେଇଛି।

ସେହି ମୃତଦେହ କାହାର ?

ଶିବାନୀ ଜୀବିତ ଫେରିବା ପରେ ପରିବାର ଲୋକେ ଆଶ୍ୱସ୍ତ ହୋଇଛନ୍ତି ସତ, କିନ୍ତୁ ଏହି ଘଟଣା ଏବେ ପୋଲିସ ପାଇଁ ଏକ ବଡ଼ ରହସ୍ୟ ହୋଇ ଠିଆ ହୋଇଛି। ଯଦି ଶିବାନୀ ଜୀବିତ ଅଛନ୍ତି, ତେବେ ମହାରାଷ୍ଟ୍ରରୁ ମିଳିଥିବା ସେହି ମୁଣ୍ଡବିହୀନ ଏବଂ ପୋଡ଼ିଯାଇଥିବା ମୃତଦେହଟି କାହାର ଥିଲା ? କିଏ ସେହି ଯୁବତୀ, ଯାହାଙ୍କୁ ଏଭଳି ନିର୍ମମ ଭାବେ ହତ୍ୟା କରାଯାଇଛି ? ଏହି ସବୁ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ପୋଲିସ ଏବେ ପୁଣି ମୂଳରୁ ତଦନ୍ତ ଆରମ୍ଭ କରିଛି।