ନୂଆଦିଳ୍ଲୀ: ଲୋକସଭା ବାଚସ୍ପତି ଓମ୍ ବିର୍ଲା ଶିବସେନା (ୟୁବିଟି)ର ୬ ଜଣ ସାଂସଦଙ୍କୁ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ସହ ମିଶ୍ରଣ ପାଇଁ ଅନୁମତି ଦେଇଥିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଉଦ୍ଧବ ଠାକରେଙ୍କ ଶିବସେନା (ୟୁବିଟି) ଦଳ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଜୁଲାଇ ୧୮ ତାରିଖରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଶିବସେନା (ୟୁବିଟି)ର ୬ ଜଣ ସାଂସଦଙ୍କର ସିନ୍ଦେ ଗୋଷ୍ଠୀ ସହିତ ମିଶ୍ରଣକୁ ସ୍ୱୀକୃତି ପ୍ରଦାନ କରିଥିଲେ।

ଶିବସେନା (ୟୁବିଟି) ପକ୍ଷରୁ ବରିଷ୍ଠ ଆଡଭୋକେଟ୍ ଦେବଦତ୍ତ କାମାତ ପ୍ରଧାନ ବିଚାରପତି (CJI) ସୂର୍ଯ୍ୟ କାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ ବିପୁଲ ଏମ. ପାଞ୍ଚୋଲୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଗରେ ମାମଲାର ଜରୁରୀ ଶୁଣାଣି ପାଇଁ ଅନୁରୋଧ କରିଥିଲେ।
ଶିବସେନା (ୟୁବିଟି) ଆବେଦନ କରି ବୁଧବାର ଦିନ ଜରୁରୀ ଶୁଣାଣି ପାଇଁ ନିବେଦନ କରିଥିବା ବେଳେ ପ୍ରଧାନ ବିଚାରପତି କହିଛନ୍ତି, ‘ଆମେ ଏହାକୁ ଦେଖିବୁ’।

ବରିଷ୍ଠ ଆଡଭୋକେଟ୍ ଦେବଦତ୍ତ କାମାତ ଅଦାଲତଙ୍କୁ ଜଣାଇଥିଲେ ଯେ, ନିର୍ବାଚନରେ ଜିତିବା ପରେ ସାଂସଦମାନେ ଯେଉଁ ଦଳ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ସେହି ଦଳ ସହିତ ମିଶିବା ଆଜିକାଲି ଗୋଟିଏ ନିୟମିତ ପ୍ରକ୍ରିୟା ବା ଜାତୀୟ ଘଟଣାବଳୀରେ ପରିଣତ ହୋଇଗଲାଣି। ଏହା ନିର୍ବାଚନ ମାଣ୍ଡେଟ୍ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥାର ଅବମାନନା କରୁଛି। ଏହି କାରଣରୁ ଲୋକସଭା ବାଚସ୍ପତିଙ୍କ ଏହି ମିଶ୍ରଣ ସ୍ୱୀକୃତି ନିଷ୍ପତ୍ତିକୁ ରଦ୍ଦ କରିବା ପାଇଁ ଉଦ୍ଧବ ଠାକରେଙ୍କ ଦଳ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଛି।