ନୂଆଦିଲ୍ଲୀ, ୧୫|୦୭: ଓମାନ ଉପକୂଳରେ ଇରାନ ଆକ୍ରମଣରେ ପ୍ରାଣ ହରାଇଛନ୍ତି ଭାରତୀୟ ମେରାଇନ୍ ଇଞ୍ଜିନିୟର ହେରମ୍ବ କର୍ମାକର । ସାଇପ୍ରସ୍ ପତାକା ଥିବା ଏକ ଜାହାଜରେ ସେ ଆସୁଥିବା ବେଳେ ଇରାନ ଏୟାରଷ୍ଟ୍ରାଇକ୍ କରିଥିଲା । ଏଥିରେ ଜାହାଜଟି ଧ୍ୱଂସ ହୋଇଯାଇଥିଲା । ଯେଉଁଥିରେ ହେରମ୍ବଙ୍କ ଜୀବନ ଯାଇଛି । ତେବେ ତାଙ୍କୁ କିଛି ଅଘଟଣ ଘଟିବା ନେଇ ପୂର୍ବରୁ ଆଭାସ ମିଳିସାରିଥିଲା । ଷ୍ଟ୍ରେଟ୍ ଅଫ୍ ହର୍ମୋଜ୍ ଅତିକ୍ରମ ବେଳେ ସେ ଚିନ୍ତିତ ହୋଇ ପଡିଥିଲେ । କିନ୍ତୁ ଘରକୁ ସେ ସୁରକ୍ଷିତ ଭାବେ ଗଲଫ୍ ଅତିକ୍ରମ କରିଥିବା ନେଇ ମେସେଜ୍ କରିଥିଲେ । ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆୟାଇଛି ।

୩୦ ବର୍ଷୀୟ ହେରମ୍ବଙ୍କ ଘର ହେଉଛି ମହାରାଷ୍ଟ୍ରର ପୁନେରେ । ସେ ମେରାଇନ୍ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ । ଜିଏଫଏକ୍ସ ଗ୍ୟାଲେକ୍ସିରେ ଆକ୍ରମଣ ପରେ ଅନ୍ୟ ଭାରତୀୟଙ୍କ ସହ ସେ ମଧ୍ୟ ନିଖୋଜ ହୋଇଯାଇଥିଲେ । ଷ୍ଟ୍ରେଟ୍ ଅଫ୍ ହର୍ମୋଜରେ ଥିବା ଓମାନ ଉପକୂଳରେ ଏହି ଅଘଟଣ ଘଟିଥିଲା । ରବିବାର ଘଟିଥିବା ଏହି ଅଘଟଣରେ ୧୧ ଜଣ ଭାରତୀୟ ନିଖୋଜ ହୋଇଯାଇଥିଲେ । ପରେ ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ହେଲେ ହେରମ୍ବଙ୍କ କୌଣସି ପତ୍ତା ମିଳିନଥିଲା ।

ପରିବାରର ଦାବି

ବୁଧବାର ପରିବାର ଲୋକେ ହେରମ୍ବଙ୍କ ମୃତ୍ୟୁ ହୋଇଥିବା ଦାବି କରିଛନ୍ତି । ତାଙ୍କ ପିତା ବିବେକ ଟଣ୍ଡନ୍ କହିଛନ୍ତି ଯେ, ପୁଅ ଆଉ ନାହିଁ । ସେ ମାତ୍ର ୩୦ ବର୍ଷର ହୋଇଥିଲେ । ତାଙ୍କୁ ବେଶି ବୟସ ହୋଇନଥିଲା । ସରକାର କେବଳ ପୁଅର ମୃତଦେହକୁ ପରିବାର ଲୋକଙ୍କୁ ଦେଇଦିଅନ୍ତୁ । ଏତିକି ହିଁ ସରକାରଙ୍କ ପାଖରେ ଅନୁରୋଧ ବୋଲି ବିବେକ କହିଛନ୍ତି ।

ଆହୁରି ମଧ୍ୟ ପରିବାର ଲୋକେ କହିଛନ୍ତି ଯେ, ଅଘଟଣ ପୂର୍ବରୁ ପୁଅ ହେରମ୍ବ ମେସେଜ୍ କରିଥିଲେ । ଜାହାଜଟି ସୁରକ୍ଷିତ ଭାବେ ଷ୍ଟ୍ରେଟ୍ ଅଫ୍ ହର୍ମୋଜ୍ ଅତିକ୍ରମ କରିଥିବା ସେ ପରିବାର ଲୋକଙ୍କୁ ଜଣାଇଥିଲେ । ଏହାର କିଛି ମିନିଟ ପରେ ଯୋଗାଯୋଗ ହୋଇପାରିନଥିଲା । ଯାହା ପରେ ଜାହାଜରେ ବିସ୍ପୋରଣ ଏବଂ ପୁଅର ନିଖୋଜ ଖବର ଆସିଥିଲା ।

Also Read :- ମହାକାଶରେ ଚିନି କଣିକା ଠାବ କଲେ ବୈଜ୍ଞାନିକ ! କିନ୍ତୁ ଆସିଲା କେଉଁଠୁ ? ମହାକାଶଚାରୀ ଆଶ୍ଚର୍ଯ୍ୟ

ଭାରତର ନିନ୍ଦା

ଜାହାଜ ଉପରେ ଆକ୍ରମଣ ଘଟଣାକୁ ଭାରତ ସରକାର ନିନ୍ଦା କରିଛନ୍ତି । ଏହା ଚିନ୍ତାଜନକ ବୋଲି ବୈଦେଶିକ ମନ୍ତ୍ରାଳୟ କହିଛି । ଓମାନ ପ୍ରଶାସନ ସହ ଘଟଣାକୁ ନେଇ ଯୋଗାଯୋଗ କରାଯାଇଛି । ପରିବହନ ଜାହାଜ ଉପରେ ଟାର୍ଗେଟ୍ ଗ୍ରହଣୀୟ ନୁହେଁ ବୋଲି ଭାରତ ସରକାର ପ୍ରକାଶ କରିଛନ୍ତି ।