ନୂଆଦିଲ୍ଲୀ: ମେଘାଳୟର ରାଜଧାନୀ ଶିଲଂର ଲୋକସଭା ସାଂସଦ ରିକି ଏଜେ ସିଙ୍ଗକନଙ୍କ ପରଲୋକ ହୋଇଛି । ତାଙ୍କର ମୃତ୍ୟରେ ରାଜନୈତିକ ଜଗତରେ ଶୋକର ଛାୟା ଖେଳିଯାଇଛି । ରିକି ଏଜେ ସିଙ୍ଗକନ୍ ଫୁଟବଲ୍ ଖେଳୁଥିବା ସମୟରେ ହଠାତ୍ ହୃଦଘାତର ଶିକାର ହୋଇ ଚେତାଶୂନ୍ୟ ହୋଇ ପଡ଼ିଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା । ଡାକ୍ତରଙ୍କ ପ୍ରୟାସ ସତ୍ତ୍ୱେ ତାଙ୍କ ଜୀବନ ବଞ୍ଚାଯାଇ ପାରିଲା ନାହିଁ ।

ଖବର ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ ଶିଲଂ ନିକଟସ୍ଥ ମାୱଲାଇ ମାୱିଓଙ୍ଗ ଅଞ୍ଚଳର ଏକ ପଡ଼ିଆରେ ରିକି ଏଜେ ସିଙ୍କନ୍ ଫୁଟବଲ୍ ଖେଳୁଥିଲେ । ଖେଳ ସମୟରେ ସେ ହଠାତ୍ ଅଚେତ ହୋଇ ପଡ଼ିଗଲେ । ତୁରନ୍ତ ତାଙ୍କୁ ମାୱିଓଙ୍ଗ କମ୍ୟୁନିଟି ହେଲ୍ଥ ସେଣ୍ଟର (ସିଏଚସି)କୁ ନେଇଯାଇଥିଲେ, କିନ୍ତୁ ସେଠାରେ ଡାକ୍ତର ନ ଥିବାରୁ ତାଙ୍କୁ ତୁରନ୍ତ ଜୟାଉର ଡକ୍ଟର ଏଚ୍. ଗୋର୍ଡନ୍ ରବର୍ଟସ୍ ହସ୍ପିଟାଲକୁ ନିଆଯାଇଥିଲା ।

ରିପୋର୍ଟ ଅନୁଯାୟୀ, ହସ୍ପିଟାଲରେ ଭର୍ତ୍ତି ହେବାର କିଛି ସମୟ ପରେ ରାତି ପ୍ରାୟ ୮ଟା ୪୨ ମିନିଟରେ ତାଙ୍କର ମୃତ୍ୟୁ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଂସଦଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି । ସେ ଏକ୍ସରେ ଲେଖିଛନ୍ତି, "ଶିଲଂର ଲୋକସଭା ସାଂସଦ ଡକ୍ଟର ରିକି ଏ.ଜେ.ସିଙ୍ଗକନଙ୍କ ମୃତ୍ୟୁରେ ଗଭୀର ଦୁଃଖ ଅନୁଭବ କରୁଛି । ମେଘାଳୟର ଲୋକଙ୍କ ପ୍ରତି ତାଙ୍କର ଉତ୍ସର୍ଗୀକୃତ ସେବା ପାଇଁ ତାଙ୍କୁ ସର୍ବଦା ମନେ ରଖାଯିବ । ଏହି କଷ୍ଟକର ସମୟରେ ତାଙ୍କ ପରିବାର, ବନ୍ଧୁ ଏବଂ ସମର୍ଥକଙ୍କ ସହିତ ମୋର ସମବେଦନା । ତାଙ୍କ ଆତ୍ମାକୁ ଶାନ୍ତି ମିଳୁ ।"

ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା ମଧ୍ୟ ସାଂସଦ ସିଙ୍ଗକନଙ୍କ ପରଲୋକ ଖବର ପାଇ ଶୋକ ପ୍ରକାଶ କରିଛନ୍ତି । ଡକ୍ଟର ରିକି ଆଣ୍ଡ୍ରୁ ଜେ. ସିଙ୍ଗକନ ୧୮ତମ ଲୋକସଭା (୨୦୨୪-୨୦୨୬)ରେ ଶିଲଂ ନିର୍ବାଚନମଣ୍ଡଳୀରୁ ସାଂସଦ ଥିଲେ । ଭଏସ୍ ଅଫ୍ ଦି ପିପୁଲ୍ସ ପାର୍ଟି (ଭିପିପି)ର ସାଧାରଣ ସମ୍ପାଦକ ୨୦୨୪ ନିର୍ବାଚନରେ କଂଗ୍ରେସ ଦଳର ତିନିଥର ସାଂସଦଙ୍କୁ ପରାସ୍ତ କରିଥିଲେ ।