ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ମଙ୍ଗଳବାର ଦିନ କେରଳର ନାମ ପରିବର୍ତ୍ତନ କରି 'କେରଳମ' କରିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ଏହି ପରିବର୍ତ୍ତନ ଉପରେ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ଶବ୍ଦର ଖେଳରେ ପ୍ରତିକ୍ରିୟା ଦେଇ ପଚାରିଛନ୍ତି ଯେ, ଏବେ ରାଜ୍ୟର ବାସିନ୍ଦାମାନଙ୍କୁ ଆଙ୍ଗ୍ଲୋଫୋନ୍ (ଇଂରାଜୀ କହୁଥିବା ଲୋକେ) କ'ଣ କହିବେ । ତିରୁଅନନ୍ତପୁରମ ସାଂସଦ ଆହୁରି କହିଛନ୍ତି ଯେ, ‘କେରଲାଇଟ୍ ଏବଂ କେରଳନ’ ଭଳି ଶବ୍ଦର କ'ଣ ହେବ ।

କେରଳରୁ କେରଳନ୍ ବୋଲି କୁହାଯାଉଥିଲା । କିନ୍ତୁ ଏବେ ରାଜ୍ୟର ନାମ କେରଳମ୍ ହେବାକୁ ଯାଉଥିବା ବେଳେ, ରାଜ୍ୟର ବାସିନ୍ଦାଙ୍କୁ ଇଂରାଜୀରେ କ’ଣ କୁହାଯିବ । ତାକୁ ନେଇ ଶଶି ଥରୁରୁ ମଜାଳିଆ ଢ଼ଙ୍ଗରେ ପ୍ରଶ୍ନ କରିଛନ୍ତି । ତେବେ ଇଂରାଜୀ ଭାଷାଭାଷୀ ଏବେ କେରଳମର ବାସିନ୍ଦାଙ୍କୁ କେମିତି ସମ୍ବୋଧନ କରିବେ ? କେରଲାଇଟ୍ ଏବଂ କେରଳନ୍ ଶବ୍ଦର ବ୍ୟବହାର ହୋଇପାରିବ କି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି । କେରଳ ଏବେ କେରଳମ ହେଉଥିବାରୁ, ରାଜ୍ୟର ବାସିନ୍ଦାଙ୍କୁ ‘Keralamite, Keralamian’ ବୋଲି କୁହାଯିବ କି ? କେରଳମଲାଇଟ୍ ଏକ ଅଣୁଜୀବ ବୋଲି ଶୁଭୁଥିବା ବେଳେ କେରଳମିୟାନ ରେଆର ଆର୍ଥ ମିନେରାଲ୍ ଭଳି ଲାଗୁଛି ବୋଲି ଶଶି ଥରୁ ଟ୍ବିଟ୍ କରି କହିଛନ୍ତି । ସେ ଆହୁରି ଲେଖିଛନ୍ତି, ରାଜନୈତିକ ଇଚ୍ଛାରୁ ଆସିଥିବା ଏହି ଶବ୍ଦ ଲାଗି CMOKerala ଏକ ପ୍ରତିଯୋଗିତା ଆରମ୍ଭ କରିପାରେ ।

​​​​​​​

ମଙ୍ଗଳବାର ଅନୁଷ୍ଠିତ ଏକ ବୈଠକରେ କେନ୍ଦ୍ର କ୍ୟାବିନେଟ୍ କେରଳ ରାଜ୍ୟର ନାମ ପରିବର୍ତ୍ତନ ପ୍ରସ୍ତାବକୁ ଅନୁମୋଦନ କରିଛି। ଏହି ନିଷ୍ପତ୍ତି ନୂତନ ଭାବରେ ନିର୍ମିତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ କ୍ୟାବିନେଟ୍ ସଚିବାଳୟ କମ୍ପ୍ଲେକ୍ସ, ସେବା ତୀର୍ଥରେ ପ୍ରଥମ ଥର ପାଇଁ ନିଆଯାଇଛି। କେରଳ ବିଧାନସଭା ୨୪ ଜୁନ୍, ୨୦୨୪ ରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ଗୃହୀତ କରିବା ପରେ ଏହି ପଦକ୍ଷେପ ନିଆଯାଇଛି । ବିଧାନସଭା ପୂର୍ବରୁ ଅଗଷ୍ଟ ୨୦୨୩ରେ ସମାନ ସଂକଳ୍ପ ପାରିତ କରିଥିଲା । କିନ୍ତୁ ଗୃହ ମନ୍ତ୍ରଣାଳୟ ବୈଷୟିକ ପରିବର୍ତ୍ତନ ପାଇଁ ପରାମର୍ଶ ଦେଇଥିଲା । ଫଳରେ ରାଜ୍ୟ ସଂଶୋଧନ ସହିତ ଏକ ନୂତନ ପ୍ରସ୍ତାବ ଆଣିବାକୁ ବାଧ୍ୟ ହୋଇଥିଲା।