ମୁମ୍ବାଇ : ଟେଲିଭିଜନ ଜଗତର ଜଣାଶୁଣା ଅଭିନେତା ଶାଲିନ ଭନୋଟ। ଅନେକ ସିରିଏଲ୍ ଓ ରିଆଲିଟି ଶୋରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣିଛନ୍ତି। କିନ୍ତୁ ସେ ନିଜ ପ୍ରଫେସନାଲ୍ ଲାଇଫ ବ୍ୟତୀତ ନିଜ ପର୍ସନାଲ୍ ଲାଇଫକୁ ନେଇ ବେଶି ଚର୍ଚ୍ଚାରେ ରହି ଆସିଛନ୍ତି। ୨୦୦୯ ମସିହାରେ ସେ ଅଭିନେତ୍ରୀ ଦଲଜିତ କୌରଙ୍କୁ ବିବାହ କରିଥିଲେ। କିନ୍ତୁ ୨୦୧୫ରେ ଦୁହିଁଙ୍କର ବିବାହ ବିଚ୍ଛେଦ ହୋଇଥିଲା। ଏହି ବିବାହରୁ ସେମାନଙ୍କର ଜଣେ ପୁଅ ମଧ୍ୟ ଅଛନ୍ତି।

​​​​​​​

ଛାଡ଼ପତ୍ର ପରେ ଶାଲିନ ପୁଣିଥରେ ପ୍ରେମରେ ପଡ଼ିଥିଲେ। ହେଲେ ଏହି ସମ୍ପର୍କ ବି ବେଶି ଦିନ ତିଷ୍ଟି ନଥିଲା। ନିକଟରେ ଏକ ପଡକାଷ୍ଟରେ ଯୋଗ ଦେଇ ଶାଲିନ ନିଜ ପ୍ରେମ ଓ ବ୍ରେକଅପର ଯନ୍ତ୍ରଣା ବିଷୟରେ ଖୋଲାଖୋଲି ଭାବେ ସେଆର କରିଛନ୍ତି। ସେ କହିଛନ୍ତି, ପ୍ରେମ କେବଳ କାହା ସହିତ ଖୁସିରେ ରହିବାର ନାଁ ନୁହେଁ। ବରଂ ସମ୍ପର୍କରେ ସମସ୍ୟା ଆସିଲା ପରେ ମଧ୍ୟ ସେହି ବ୍ୟକ୍ତିର ଭଲ ଚାହିଁବା ହିଁ ପ୍ରକୃତ ପ୍ରେମ। ଯେତେବେଳେ ଜଣେ ଲୋକ କାହାକୁ ଗଭୀର ଭାବରେ ଭଲପାଏ, ସେହି ବ୍ୟକ୍ତି ତାଙ୍କ ଦୈନନ୍ଦିନ ଜୀବନ, ଅଭ୍ୟାସ ଓ ଭବିଷ୍ୟତ ଯୋଜନାର ଏକ ଅଂଶ ହୋଇଯାଏ। ସେଥିପାଇଁ ସମ୍ପର୍କ ଭାଙ୍ଗିଗଲେ ଯନ୍ତ୍ରଣା ମଧ୍ୟ ଅଧିକ ହୁଏ।

 Also Read- Jennifer Winget Wedding : ଦ୍ୱିତୀୟ ବିବାହ କରିବେ ଜେନିଫର ୱିଙ୍ଗେଟ୍ ! ଏହି କୋଟିପତି ବ୍ୟବସାୟୀଙ୍କ ସହ ନେବେ ସାତଫେରା

ଶାଲିନ ଆହୁରି କହିଛନ୍ତି ଯେ, ସେ ନିକଟରେ ଜଣେ ଯୁବତୀଙ୍କୁ ଡେଟ୍ କରୁଥିଲେ। କିନ୍ତୁ କିଛି କାରଣରୁ ସେହି ସମ୍ପର୍କ ଆଗକୁ ବଢ଼ିପାରିଲା ନାହିଁ। ଏହି ବ୍ରେକଅପ୍ ତାଙ୍କୁ ଗଭୀର ଭାବେ ଆଘାତ ଦେଇଥିଲା। ତଥାପି ସେ ବିଶ୍ୱାସ କରନ୍ତି ଯେ, ପ୍ରତ୍ୟେକ ସମ୍ପର୍କ ଜୀବନରେ କିଛି ନା କିଛି ଶିକ୍ଷା ଦେଇଯାଏ। ୪୨ ବର୍ଷୀୟ ଏହି ଅଭିନେତା କେବେ ତାଙ୍କ ସ୍ୱପ୍ନର ସାଥୀଙ୍କୁ ପାଇବେ ଓ ଦ୍ୱିତୀୟ ଥର ପାଇଁ ବିବାହ କରିବେ,  ତାକୁ ଚାହିଁ ରହିଛନ୍ତି ତାଙ୍କ ପ୍ରଶଂସକ।