ନୂଆଦିଲ୍ଲୀ ୨୯।୧୧; ରାଜଧାନୀ ଦିଲ୍ଲୀରେ ଅଗ୍ନିକାଣ୍ଡର ଭୟାବହ ଘଟଣା। ଘରେ ନିଆଁ ଲାଗି ୪ ଜଣଙ୍କ ଜୀବନ ଯାଇଛି। ଅନ୍ୟ ଦୁଇ ଜଣ ଗୁରୁତର ଭାବେ ପୋଡ଼ି ଯାଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପୂର୍ବ ଦିଲ୍ଲୀର ଶାହଦରା ଅନ୍ତର୍ଗତ ବିଶ୍ୱାସ ନଗରରେ ଘଟିଛି ଏହି ଅଘଟଣ। ପ୍ରାଥମିକ ତଦନ୍ତ ଅନୁସାରେ, ଇ-ରିକ୍ସା ଚାର୍ଜିଂ ପଏଣ୍ଟରେ ସର୍ଟ ସର୍କିଟ୍ କିମ୍ବା ସ୍ପାର୍କିଂ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଦେଖୁ ଦେଖୁ ନିଆଁ ଘରର ପ୍ରଥମ ମହଲାକୁ ବ୍ୟାପି ଯାଇଥିଲା। ଆଉ ସେହି ସମୟରେ ଶୋଇଥିବା ଲୋକଙ୍କୁ ମିଳିପାରି ନଥିଲା ବାହାରିବାର ସୁଯୋଗ।

ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ ଓ ଉଦ୍ଧାରକାରୀ ଟିମ୍। ଚାରି ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆହତ ଦୁଇ ଜଣଙ୍କୁ ହସ୍ପିଟାଲ ନିଆଯାଇଥିଲା। ତେବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ ଶନିବାର ଦିଲ୍ଲୀର କରୋଲ ବାଗ ଅଞ୍ଚଳର କୃଷ୍ଣ ନଗରରେ ଥିବା ଏକ ଗୋଦାମରେ ମଧ୍ୟ ଅଗ୍ନିକାଣ୍ଡ ଘଟିଥିଲା।

ଖବର ପାଇ ଅଗ୍ନିଶମ ବାହିନୀର ଚାରିଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ଅଧ ଘଣ୍ଟାର ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିଥିଲେ। ଏହି ଘଟଣାରେ କୌଣସି ଜୀବନହାନି ହୋଇନାହିଁ। ଲଗାତାର ଅଗ୍ନିକାଣ୍ଡ ଘଟଣା ଦିଲ୍ଲୀରେ ଅଗ୍ନି ସୁରକ୍ଷାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠାଇଛି। ବର୍ତ୍ତମାନ ବିଶ୍ୱାସ ନଗର ଅଗ୍ନିକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ଓ ସମ୍ପୃକ୍ତ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି।