ଭୁବନେଶ୍ବର: ଡିଲିମିଟେସନ ବା ସୀମା ପୁନଃନିର୍ଦ୍ଧାରଣ ବିଲ୍କୁ ନେଇ ଏବେ ରାଜ୍ୟରୁ କେନ୍ଦ୍ର ସବୁଠି ଚର୍ଚ୍ଚା ଜୋର୍ । ବିଲକୁ ଗୋଟିଏ ପରେ ଗୋଟିଏ ବିରୋଧୀ ଦଳ ସମର୍ଥନ କରିବାକୁ ଆଗେଇ ଆସୁଥିବା ଦେଖିବାକୁ ମିଳୁଛି । ଏହିକ୍ରମରେ ଓଡ଼ିଶାରେ ବି ବିଲ୍‌କୁ ନେଇ ବେଶ୍ ସରଗରମ ରହିଛି ରାଜନୀତି । ଓଡ଼ିଶାର ବର୍ତ୍ତମାନ ଲୋକସଭା ଆସନ ସଂଖ୍ୟା ୨୧ ଥିବାରୁ ଏହା ୩୨କୁ ବୃଦ୍ଧି କରାଯାଇପାରେ । ଏସବୁ ଭିତରେ ବିଜେଡି ବିଲ୍‌କୁ ସମର୍ଥନ କରିବ କି ନାହିଁ ? ସେନେଇ ସ୍ପଷ୍ଟ କରିଛନ୍ତି ବିଜେଡି ସଂସଦୀୟ ଦଳ ନେତା (ରାଜ୍ୟସଭା) ମାନସ ମଙ୍ଗରାଜ ।

ସେ କହିଛନ୍ତି, ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗରେ ବିଜେଡି କୌଣସି ସାଲିସ୍ କରିବ ନାହିଁ । ଆସନ୍ତା ୩୦ ତାରିଖରେ ଲୋକସଭାରେ ସୀମା ନିର୍ଦ୍ଧାରଣ ବିଲ୍ ଆଗତ ହେବ ଓ ରାଜ୍ୟସଭାରେ ବିଲ୍ ୨ ତାରିଖରେ ଆଗତ ହେବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଲୋକସଭାରେ ଆମର ପ୍ରତିନିଧିତ୍ୱ ନ ଥିବାରୁ ତରବର ହେବାର କୌଣସି ଆବଶ୍ୟକ ନାହିଁ । ବିଲ୍ ଆଗତ ହେବା ପରେ ଏହାକୁ ପୂରା ଅଧ୍ୟୟନ କରାଯିବ ଓ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ସଂସଦୀୟ ଦଳ କାର୍ଯ୍ୟ କରିବ ।

Also Read: ବିଜେଡି-କଂଗ୍ରେସକୁ ସୁଜିତଙ୍କ ଆହ୍ୱାନ, ଲୋକଙ୍କ ହିତ ଓ ବିକାଶ ପାଇଁ ଆସନ ବୃଦ୍ଧି ଜରୁରୀ...

ମାନସ ମଙ୍ଗରାଜ ଆହୁରି କହିଛନ୍ତି, ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ବିଜେଡି ସର୍ବଦା ପ୍ରାଥମିକତା ଦେଇ ଆସିଛି ଏବଂ ଭବିଷ୍ୟତରେ ବି ଏଥିରୁ ବିଚ୍ୟୁତ ହେବାର ପ୍ରଶ୍ନ ଉଠୁନାହିଁ । ସୀମା ପୁନନିର୍ଦ୍ଧାରଣରେ ଓଡ଼ିଶାର ରାଜନୈତିକ ସ୍ୱାର୍ଥ ଓ ପ୍ରତିନିଧିତ୍ୱ ଯେପରି କ୍ଷୁର୍ଣ୍ଣ ନ ହୁଏ, ସେଥିପ୍ରତି ବିଜେଡି ସର୍ବଦା ଦୃଷ୍ଟି ଦେବ ।