ମୁମ୍ବାଇ : ବଲିଉଡର କିଙ୍ଗ ଶାହରୁଖ ଖାନଙ୍କ ଆଗାମୀ ଫିଲ୍ମ ‘କିଙ୍ଗ’କୁ ନେଇ ସବୁଠି ଚର୍ଚ୍ଚା ଓ ଉତ୍ସାହ । ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚା ତାହାଠୁ ଅଧିକ ଚର୍ଚ୍ଚା ନୂଆ ଚେହେରାକୁ ନେଇ । ଫିଲ୍ମରେ ଶାହରୁଖଙ୍କ ସହ ଦେଖିବାକୁ ମିଳିବ ନୂଆ ଚେହେରା । ଫିଲ୍ମରେ ନୂଆ ଚେହେରାଙ୍କୁ ରୋଲ ମିଳିବା ପଛରେ ଶାହରୁଖ ଖାନଙ୍କ ନିଜସ୍ୱ ସୁପାରିଶ ଥିବା ଖବର ସାମ୍ନାକୁ ଆସିଛି। ତେବେ କେମିତି ମିଳିଲା ଅଭୟଙ୍କୁ ‘କିଙ୍ଗ’ରେ ସୁଯୋଗ ? 

ମିଳିଥିବା ସୂଚନା ଅନୁଯାୟୀ, ଫିଲ୍ମ ପାଇଁ ଯେବେ କାଷ୍ଟ ଖୋଜା ଚାଲିଥିଲା ସେବେ ନିଜେ ଶାହରୁଖ କହିଥିଲେ “ମୁଞ୍ଜ୍ୟା ବାଲେ ଲଡ଼କେ କୋ ଲେ ଲୋ…”। ୨୦୨୪ରେ ରିଲିଜ ହୋଇଥିବା ଫିଲ୍ମ ‘ମୁଞ୍ଜ୍ୟା’ରେ ନିଜ ଅଭିନୟର ଯାଦୁ ଦେଖାଇ ଦର୍ଶକଙ୍କ ମନ ଜିତିଥିବା ଅଭୟଙ୍କୁ ନେଇ ଶାହରୁଖଙ୍କ ମୁହଁରୁ ଶୁଣିବାକୁ ମିଳିଛି ପ୍ରଶଂସା । ବଲିଉଡ୍ରେ ଅଭୟ ବର୍ମାଙ୍କ ପରିଚୟ ଧୀରେ ଧୀରେ ମଜବୁତ ହେଉଛି। ବିଶେଷ କରି ‘ମୁଞ୍ଜ୍ୟା’ ଫିଲ୍ମରେ ତାଙ୍କ ଅଭିନୟ ତାଙ୍କୁ ଏକ ନୂଆ ପରିଚୟ ଦେଇଥିଲା। ଏବେ ତାଙ୍କ କ୍ୟାରିୟରରେ ଆଉ ଏକ ବଡ଼ ମାଇଲଷ୍ଟୋନ୍ ଯୋଡ଼ିବାକୁ ଯାଉଛି।

ଶାହରୁଖ ଖାନଙ୍କ ଅପକମିଂ ଫିଲ୍ମ ‘କିଙ୍ଗ’ରେ ଅଭୟଙ୍କୁ ଏକ ବଡ଼ ରୋଲ୍ ମିଳିଛି। ତେବେ ଏହି ରୋଲ୍ ପାଇବା ପଛରେ ଶାହରୁଖ ଖାନଙ୍କଏକ ବଡ଼ ଭୂମିକା ଥିବା କଥା ଅଭୟ ନିଜେ ଶେୟାର କରିଛନ୍ତି। ଅଭୟଙ୍କ କହିବା ଅନୁସାରେ, ତାଙ୍କୁ ଶାହରୁଖଙ୍କ ସାମ୍ନାରେ ନେଇ ଆସିବା ପରେ ଅଭିନେତା ତାଙ୍କ କାମକୁ ଧ୍ୟାନରେ ରଖିଥିଲେ। ଏପରିକି ‘ମୁଞ୍ଜ୍ୟା’ରେ ଅଭୟଙ୍କ ପରଫର୍ମାନ୍ସ ଦେଖି ଶାହରୁଖ ତାଙ୍କୁ ‘କିଙ୍ଗ’ ପାଇଁ ବିଚାର କରିବାକୁ ସୁପାରିଶ କରିଥିବା ଜଣାପଡ଼ିଛି। ଏହି ଘଟଣାକୁ ମନେ ପକାଇ ଅଭୟ କହିଛନ୍ତି ଯେ, ଶାହରୁଖଙ୍କ ଭଳି ଜଣେ ବଡ଼ ଷ୍ଟାର ତାଙ୍କ କାମକୁ ଦେଖି ନିଜେ ସୁପାରିଶ କରିବା ତାଙ୍କ ପାଇଁ ଏକ ବଡ଼ ସମ୍ମାନ।

‘କିଙ୍ଗ’ରେ ଅଭୟଙ୍କ ଭୂମିକା କଣ ହେବ, ସେନେଇ ନିର୍ମାତାଙ୍କ ପକ୍ଷରୁ କୌଣସି ଅପଡେଟ ଦିଆଯାଇନାହିଁ। କିନ୍ତୁ ଫିଲ୍ମରେ ତାଙ୍କୁ ଶାହରୁଖ ଖାନଙ୍କ ସହ ଦେଖିବାକୁ ମିଳିବା ଖବର ତାଙ୍କ ପ୍ରଶଂସକଙ୍କ ଉତ୍ସାହକୁ ଆହୁରି ବଢ଼ାଇଦେଇଛି। ‘ମୁଞ୍ଜ୍ୟା’ରୁ ଲୋକପ୍ରିୟତା ପାଇଥିବା ଅଭୟ ବର୍ମା ଏବେ ଶାହରୁଖ ଖାନଙ୍କ ଭଳି ସୁପରଷ୍ଟାରଙ୍କ ସହ ଏକ ବଡ଼ ପ୍ରୋଜେକ୍ଟରେ କାମ କରିବାକୁ ଯାଉଛନ୍ତି। ତେଣୁ ‘କିଙ୍ଗ’ ତାଙ୍କ କ୍ୟାରିୟରର ଟର୍ଣ୍ଣିଂ ପଏଣ୍ଟ୍ ହେବ ବୋଲି ଅନେକ ଫ୍ୟାନ୍ସ କହିଛନ୍ତି।