ଗାନ୍ଧୀନଗର, ୦୯/୦୪ : ଗୁଜୁରାଟରେ ବିଜେପିକୁ ବଡ ଝଟକା । ଦଳ ଛାଡିଲେ ଅନେକ ଆଦିବାସୀ ନେତା । ପଦ୍ମ ପୋଖରୀରୁ ଡିଆଁ ମାରି ହାତ ଧରିଲେ । ଏମିତି କିଛି ସମୀକରଣ ରାଜ୍ୟ ରାଜନୀତିକୁ ସରଗରମ କରିଦେଇଛି । 

ରିପୋର୍ଟ ଅନୁସାରେ, ଗୁରୁବାର ଆଦିବାସୀ ସମ୍ପ୍ରଦାୟର ଅନେକ ବିଜେପି ନେତା ଦଳ ପରିତ୍ୟାଗ କରିଛନ୍ତି । ସେମାନେ କଂଗ୍ରେସରେ ସାମିଲ ହୋଇଛନ୍ତି । କଂଗ୍ରେସରେ ସାମିଲ ହୋଇଥିବା ନେତାମାନେ ହେଲେ ଦାହୋଡ ଜିଲ୍ଲା ପଞ୍ଚାୟତ ମେମ୍ବର ମହେଶଭାଇ ମଛର ଏବଂ ପୂର୍ବତନ ସରପଞ୍ଚ ଜୟନ୍ତୀ ଭାଇ । ସେମାନଙ୍କ କିଛି ସହଯୋଗୀ ଏବଂ କର୍ମୀ ମଧ୍ୟ ରାଜୀବ ଭବନରେ ହାତ ଧରିଛନ୍ତି । ଆଦିବାସୀ ପ୍ରସଙ୍ଗରେ ବିଜେପିର କାର୍ଯ୍ୟଧାରାକୁ ସେମାନେ ବିରୋଧ କରି ଦଳ ଛାଡିଥିବା ପ୍ରକାଶ କରିଛନ୍ତି ।

ସେମାନେ ଆହୁରି ଅଭିଯୋଗ କରିଛନ୍ତି ଯେ, ବିଜେପିର ଦୁର୍ନୀତିରେ ସେମାନେ ଅସ୍ତବ୍ୟସ୍ତ ହୋଇ ପଡିଥିଲେ । ଏହାସହ ଆଦିବାସୀ ସମ୍ପ୍ରଦାୟକୁ ବାରମ୍ବାର ଉପେକ୍ଷା କରାଯାଉଛି । ତେବେ କଂଗ୍ରେସ ହିଁ ଆଦିବାସୀଙ୍କ ସମସ୍ୟାର ସମାଧାନ କରିପାରିବ ।

ଦୁଇ ଆଦିବାସୀ ନେତାଙ୍କୁ କଂଗ୍ରେସ ଜୋରଦାର ସ୍ୱାଗତ କରିଛି । ରାଜ୍ୟ କଂଗ୍ରେସର ଗଣମାଧ୍ୟମ ପରାମର୍ଶଦାତା ମନିଷ ଦୋଶୀ କହିଛନ୍ତି ଯେ, ଆଦିବାସୀଙ୍କ ଅଧିକାରକୁ ବିଜେପି ଦୂରେଇ ଦେଇଛି । ସେମାନଙ୍କୁ ଜଙ୍ଗଲ, ଜମିଷ ଶିକ୍ଷା, ରୋଜଗାର ଆଦିରୁ ବଞ୍ଚିତ କରାଯାଉଛି ।

ଅନ୍ୟ ଦିଗରେ କଂଗ୍ରେସ ସରକାର ଏକ ଘୋଷଣାପତ୍ର ଜାରି କରିଛି । ଏହାକୁ ପ୍ରତିଶ୍ରୁତି ପଚ୍ର ଆଖ୍ୟା ଦିଆଯାଇଚଛି । ଏହାକୁ କଂଗ୍ରେସ ଘରକୁ ଘର ବୁଲି ଲୋକଙ୍କ ମତ ନେଇ ପ୍ରସ୍ତୁତ କରିଛି । ସ୍ଥାନୀୟ ଭିତ୍ତିଭୂମି, ସ୍ୱାସ୍ଥ୍ୟ ଏବଂ ଶିକ୍ଷାକୁ ଏଥିରେ ପ୍ରାଧାନ୍ୟ ଦିଆଯାଇଛି ।