କୁଆଲଲମ୍ପୁର ୪।୧୨: ବିଶ୍ୱର ସବୁଠୁ ରହସ୍ୟମୟୀ ବିମାନ ଦୁର୍ଘଟଣା ମଧ୍ୟରେ ଅନ୍ୟତମ ମାଲେସିୟା ଏୟାରଲାଇନ ଫ୍ଲାଇଟ୍ ଏମଏଚ୍-୩୭୦କୁ ପୁଣି ଖୋଜାଯିବ। ମାଲେସିୟା ସରକାର ବୁଧବାର ଏହି ଘୋଷଣା କରିଛନ୍ତି। ଆମେରିକୀୟ ମେରିନ ରୋବଟିକ୍ସ କମ୍ପାନୀ ଓସିୟନ ଇନଫିନିଟି ଡିସେମ୍ବର ୩୦ ତାରିଖରୁ ସମୁଦ୍ରର ଅତଳ ଗଭୀରରେ ଏମଏଚ-୩୭୦ ଖୋଜିବା ଲାଗି ଅଭିଯାନ ଆରମ୍ଭ କରିବ। ଏଥର ସନ୍ଧାନ ଅଭିଯାନ ଉନ୍ନତ ଟେକ୍ନୋଲଜି ଓ ବିଶେଷଜ୍ଞ ଟିମ୍ ଦ୍ୱାରା କରାଯିବ।

ଏହି ଅନୁସନ୍ଧାନର କ୍ଷେତ୍ର ପାଖାପାଖି ୧୫ ହଜାର ବର୍ଗ କିଲୋମିଟରରେ ବ୍ୟାପ୍ତ ରହିବ। ଏହି ଅପରେସନ ମୋଟ ୫୫ ଦିନ ପର୍ଯ୍ୟନ୍ତ ଚାଲିବ। ଏମଏଚ-୩୭୦ ଉଡାଣ କରିବାର ୩୯ ମିନିଟ୍ ପରେ ରାଡାରରୁ ଉଭାନ ହୋଇଯାଇଥିଲା। ପାଇଲଟଙ୍କ ଶେଷ ବାର୍ତ୍ତା ଥିଲା ‘ଗୁଡ ନାଇଟ୍, ମାଲେସିୟୀନ ଥ୍ରୀ ସେଭେନ ଜିରୋ’। ଏହା ପରେ ବିମାନ ଭିଏତନାମ ଏୟାରସ୍ପେସ୍ ରେ ଦେଖା ଯାଇ ନଥିଲା ଓ ଟ୍ରାନ୍ସପୋଣ୍ଡର ବନ୍ଦ ହୋଇଯାଇଥିଲା। ମିଲେଟ୍ରି ରାଡାର ବିମାନ ଦିଗବଦଳାଇ ଦକ୍ଷିଣ ଆଡକୁ ମୋଡିଯାଇଥିବା ସୂଚନା ଦେଇଛି।

ସାଟେଲାଇଟ୍ ଡାଟାରୁ ଯାହା ଜଣାପଡେ ବିମାନଟି ଦୀର୍ଘ ଘଣ୍ଟା ଆକାଶରେ ଥିଲା ଓ ସମ୍ଭବତଃ ଇନ୍ଧନ ଶେଷ ହେବା ପରେ ଦକ୍ଷିଣ ହୀନ୍ଦ ମହାସାଗରରେ ପଡିଛି। ପ୍ରଥମ ଅନୁସନ୍ଧାନ ଅଭିଯାନ ଓ ସୀମା ଅନ୍ତର୍ଜାତୀୟ ସ୍ତରରେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଜାରି ଥିଲା। ତେବେ ବିମାନର ମୁଖ୍ୟ ଅବଶେଷ ମିଳି ନାହିଁ। ସାଉଥ ଚାଇନା ସି, ଆଣ୍ଡାମାନ ସାଗର ଓ ଦକ୍ଷିଣ ହୀନ୍ଦ ମହାସାଗରରେ ୧,୨୦,୦୦୦ ବର୍ଘ କିଲୋମିଟରରୁ ଅଧିକ ଅଞ୍ଚଳରେ ଜାହାଜକୁ ଖୋଜା ଯାଇଥିଲା। ତେବେ ୨୦୧୫ ମସିହାରେ ରେୟୁନିୟନ ଦ୍ୱୀପରେ ଫ୍ଲେପରନ ଓ କିଛି ଛୋଟ ଖଣ୍ଡ ଆଫ୍ରିକା ଉପକୂଳରୁ ମିଳିଥିଲା। ହେଲେ ଏଥିରୁ ରହସ୍ୟ ଉଦଘାଟନ ହୋଇ ପାରିନଥିଲା।

୨୦୧୮ ମସିହାରେ ଓସିୟନ ଇନଫିନିଟି ‘ନୋ ଫାଇଣ୍ଡ ନୋ ଫି’ ମଡେଲରେ ଜାହାଜର ଅନୁସନ୍ଧାନ କରିଥିଲା। ହେଲେ ସଫଳତା ମିଳିପାରିନଥିଲା। ଏବେ ନୂଆ କଣ୍ଟ୍ରାକ୍ଟ ଅନୁସାରେ କମ୍ପାନୀକୁ ୭୦ ମିଲିୟନ ଡଲାର ସେତେବେଳେ ଦିଆଯିବ ଯେତେବେଳେ ଅବଶେଷ ମିଳିବ। ଗତ ଏପ୍ରିଲରେ ଏଥି ପାଇଁ ଅଭିଯାନ ଆରମ୍ଭ କରାଯିବାର ଥିଲା। ତେବେ ଖରାପ ପାଗ ଯୋଗୁ ଅଭିଯାନ ଆରମ୍ଭ ହୋଇ ପାରିନଥିଲା। ଏବେ ଡିସେମ୍ବରରେ ଅନୁସନ୍ଧାନ ଅଭିଯାନ ଆରମ୍ଭ ହେବ। ଏମଏଚ-୩୭୦ ଅଦୃଶ୍ୟ ହେବା ନେଇ ଏ ପର୍ଯ୍ୟନ୍ତ ଅନେକ ଥିଓରୀ ସାମ୍ନାକୁ ଆସିଛି। ଏଥିରେ ହାଇଜ୍ୟାକ୍, କ୍ୟାବିନ ଡିପ୍ରେସରାଇଜେସନ, ପାୱାର ଫେଲ୍ୟୋର ଆଦି ଆକଳନ ରହିଛି।

ତେବେ ସବୁଠୁ ରହସ୍ୟମୟ ଘଟଣା ଯାହା ତାହା ହେଉଛି ବିମାନ ନିଖୋଜ ହେବା ପୂର୍ବରୁ ‘ଡିଷ୍ଟ୍ରେସ୍ କଲ ନଦେବା’। ୨୦୧୮ର ଯାଞ୍ଚରେ ଯାତ୍ରୀ ଓ କ୍ରୁଙ୍କୁ କ୍ଲିନ ଚିଟ୍ ଦିଆଯାଇଛି। ହେଲେ ଜାଣିଶୁଣି ଦଖଲଦେବା ଆଶଙ୍କାକୁ ଟଳାଯାଇ ନାହିଁ। ଏହି ବିମାନରେ ୨୨୭ ଜଣ ଯାତ୍ରୀ ଓ ୧୨ ଜଣ ଚାଳକଦଳ ସଦସ୍ୟ ଥିଲେ। ଏଥିରୁ ଅଧିକାଂଶ ଯାତ୍ରୀ ଚୀନ୍ ର ଥିଲେ। ଏମାନଙ୍କ ମଧ୍ୟରେ ୨ ଜଣ ଇରାନୀ ଯାତ୍ରୀ ଚୋରି ପାସପୋର୍ଟରେ ଯାତ୍ରା କରୁଥିଲେ। ୨୦ ଜଣ ଯାତ୍ରୀ ଆମେରିକୀୟ କମ୍ପାନୀ ଫ୍ରିସ୍କେଲ ସେମି କଣ୍ଡକ୍ଟରର କର୍ମଚାରୀ ଥିଲେ।

ଏହି ବିମାନରେ କେତେକ ପୁରା ପରିବାର ଯାତ୍ରା କରୁଥିଲେ। ଏଣୁ ଏହି ଦୁର୍ଘଟଣା ଅନେକ ଘର ଉଜାଡି ଦେଇଛି। ତେବେ ନୂଆ ଟେକ୍ନୋଲଜି ଓ ବିଶେଷଜ୍ଞ ଟିମ୍ ସହିତ ଓସିୟନ ଇନଫିନିଟିର ଏହି ଅଭିଯାନ ବିମାନ ସନ୍ଧାନ ନେଇ ନୂଆ ଆଶା ସଞ୍ଚାର କରୁଛି। ଆଶା କରାଯାଉଛି ଏଥର ଏମଏଚ-୩୭୦ରୁ ରହସ୍ୟ ଉନ୍ମୋଚନ ହୋଇପାରିବ। କମ୍ପାନୀ କହିଛି ଯେ ଅନୁସନ୍ଧାନକୁ ଏପର୍ଯ୍ୟନ୍ତର ସବୁଠୁ ସମ୍ଭାବିତ ଓ ଉନ୍ନତ ଟେକ୍ନୋଲଜିରେ କେନ୍ଦ୍ରିତ କରାଯିବ। ହେଲେ ଏପର୍ଯ୍ୟନ୍ତ କୌଣସି ନୂଆ ସୁରାଗ ସାମ୍ନାକୁ ଆସି ନାହିଁ।