ଭୁବନେଶ୍ବର ୨୪।୯: ବର୍ଷାକୁ ଦୃଷ୍ଟିରେ ରଖି ୩ ଜିଲ୍ଲାର ସ୍କୁଲ ଛୁଟି ଘୋଷଣା କରିଛି ପ୍ରଶାସନ । ଗଜପତି ଜିଲ୍ଲା ପ୍ରଶାସନ ଶୁକ୍ରବାର ଛୁଟି ଘୋଷଣା କରିଛନ୍ତି । ସରକାରୀ, ବେସରକାରୀ ସମସ୍ତ ବିଦ୍ୟାଳୟ ୨୫ ତାରଖରେ ଛୁଟି ରହିବ । ସେହିପରି କଳାହାଣ୍ଡି ଜିଲ୍ଲାରେ ଶୁକ୍ରବାର ମଧ୍ୟ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତାକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।

ସେହିପରି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଶୁକ୍ରବାର ପାଇଁ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ସହିତ ସମସ୍ତ ସରକାରୀ, ବେସରକାରୀ ଓ ଏଡେଡ ସ୍କୁଲ ବନ୍ଦ ରହିବା ନେଇ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

Also Read:- ଏତେ ସହଜେ ଛାଡ଼ିବନି ବର୍ଷା ! ୭ ଜିଲ୍ଲାକୁ ଅରେଞ୍ଜ, ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ

ଦକ୍ଷିଣ ଓଡ଼ିଶାରେ ଜାରି ରହିଛି ଗଭୀର ଅବପାତର ପ୍ରକୋପ । ତୁହାକୁ ତୁହା ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । କେଉଁଠି ବ୍ରିଜ ଉପରେ ପାଣି ଚାଲିଛି ତ ଆଉ କେଉଁଠି ପାହାଡ଼ରୁ ଖସୁଛି ବଡ଼ ବଡ଼ ପଥର ଖଣ୍ଡ । ଲଗାଣ ବର୍ଷାରେ କନ୍ଧମାଳ କଳିଙ୍ଗା ଘାଟିରେ ଅନ୍ଧାରୀକୋଟରେ ଭୂସ୍ଖଳନରେ ନବନିର୍ମିତ ଚଉଡ଼ା ରାସ୍ତା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି । ଏଥି ସହ ବନ ଦୁର୍ଗା ମନ୍ଦିର ସମ୍ମୁଖରେ ଚାଲିଥିବା ନବ ନିର୍ମିତ ଗାର୍ଡ଼ ଓ୍ବାଲ୍ ଭାଙ୍ଗିଯାଇଛି । ଫଳରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କଳିଙ୍ଗା ଘାଟିରେ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । କୋରାପୁଟ ଜିଲ୍ଲା କୋଲାବ ଶାଖାନଦୀର ପ୍ରଖର ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି ଜଣେ ଶିକ୍ଷକ । ମାଲକାନଗିରି ଜିଲ୍ଲା ବାୟାପଡ଼ା ଘାଟିରେ ଭୂସ୍ଖଳନ ଯୋଗୁଁ କୁଡ଼ୁମୁଲ୍ଲୁଗୁମ୍ମା ଓ ବାୟାପଡ଼ା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।