ନୂଆଦିଲ୍ଲୀ: ପାରିବାରିକ ପେନସନ ଉପରେ ନିର୍ଭରଶୀଳ ଦିଲ୍ଲୀର ଜନୈକା ବୃଦ୍ଧା ମହିଳା ବ୍ୟାଙ୍କିଙ୍ଗ ତ୍ରୁଟି କାରଣରୁ ଦୀର୍ଘ  ସମୟରୁ  ନିଜ ପେନସନ ଆକାଉଣ୍ଟରୁ ପଇସା କାଟି ଆସୁଥିଲେ। ତେବେ ଦିଲ୍ଲୀ ହାଇକୋର୍ଟ ଏଥିରୁ ତାଙ୍କୁ ଆଶ୍ୱସ୍ତ କରିଛନ୍ତି। ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ଅନୁସାରେ ହାଇକୋର୍ଟ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ(ଏସବିଆଇ)ଙ୍କୁ  ବୃଦ୍ଧାଙ୍କ ଆକାଉଣ୍ଟରୁ ଏ ପର୍ଯ୍ୟନ୍ତ ହୋଇଥିବା କାଟ ବାବଦ ଟଙ୍କା ଫେରାଇବା ସହ ତା ଉପରେ ବାର୍ଷିକ ୬% ସୁଧ ଦିଅନ୍ତୁ  ଓ ପରବର୍ତ୍ତି କାଟିବା ବନ୍ଦ କରନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ମାମଲାରେ ଶୁଣାଣିରେ ବୃଦ୍ଧାଙ୍କୁ ମିଳୁଥିବା ପେନସନରେ ଅତିରିକ୍ତ ଟଙ୍କା ମିଳିବା ତାଙ୍କ ଭୁଲ ଯୋଗୁ ନୁହେଁ ଓ ଏଥି ପାଇଁ ସେ ଦାୟି ନୁହନ୍ତି ବୋଲି କୋର୍ଟ ଜାଣିବାକୁ ପାଇଥିଲେ।

ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ସଞ୍ଜିବ ନରୁଲା ଏହି ଆଦେଶ ଇନ୍ଦିରାଙ୍କ ଦ୍ୱାରା ରୁଜୁ ଆବେଦନ ଉପରେ ଦେଇଛନ୍ତି। ଇନ୍ଦିରାଙ୍କ ମାସିକ ପେସନ ରାଶି ଅଚାନକ ହ୍ରାସ ହୋଇଥିଲା। ତେବେ ବ୍ୟାଙ୍କ ପେନସନ ରେକର୍ଡରେ ଅନ୍ତରୀଣ ତ୍ରୁଟି କାରଣରୁ ତାଙ୍କୁ ଅତିରିକ୍ତ ଧନରାଶି ପୂର୍ବରୁ ଦେଇଥିବା ଦାବି କରିଥିଲା। ବୃଦ୍ଧାଙ୍କୁ ନିୟମିତ ପ୍ରତି ମାସରେ ତାଙ୍କ ବ୍ୟାଙ୍କ ଖାତାରେ ଜମା ହେଉଥିବା ରାଶି କମି ଯିବା ପରି ଲାଗିଲା। ଏ ବାବଦେ ପଚରା ଉଚରା କରିବାରେ ତାଙ୍କୁ କୁହାଯାଇଥିଲା ଯେ ପେନସନ ପ୍ରାଣାଳୀରେ କଥିତ ରୂପେ ବଢିବାର ତାରିଖ କଥିତ ରୂପେ ଭୁଲ ରେକର୍ଡ ହୋଇଯାଇଥିଲା। ଏଥି ପାଇଁ ତାଙ୍କୁ ଅଧିକ ପଇସା ପୈଠ କରି ଦିଆଯାଇଛି। ସେ ବାବଦ ରାଶି ଏବେ ଆକାଉଣ୍ଟରୁ କାଟି ନିଆଯାଉଛି।

ପ୍ରଥମେ ବ୍ୟାଙ୍କ କହିଥିଲା ଯେ ତାଙ୍କ ଆକାଉଣ୍ଟରେ ଅତିରିକ୍ତ ଅଢେଇ ଲକ୍ଷ ଟଙ୍କା ପୈଠ ହୋଇଯାଇଛି। ପରେ ଏସବିଆଇ ତଥ୍ୟ ସଂଶୋଧନ କରି କଥିତ ଅତିରିକ୍ତ ରାଶି ୩ଲକ୍ଷ ୬୦ ହଜାର ବୋଲି କହିଛି। ତେବେ ବୃଦ୍ଧା ବ୍ୟାଙ୍କର ଏପରି କିସ୍ତି କାଟକୁ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏଥିରେ ସେ ତର୍କ ଦେଇଥିଲେ ଯେ ସେ ବ୍ୟାଙ୍କକୁ କେବେବି ଭୁଲ ସୂଚନା ଦେଇ ନଥିଲେ ସେହିପରି ପେନସନ ରାଶି ହିସାବକିତାବ ଅଥବା ପ୍ରସଂସ୍କରଣରେ ତାଙ୍କର କୌଣସି ଭୂମିକା ନାହିଁ। ତେବେ ବ୍ୟାଙ୍କ କୌଣସି ସ୍ପଷ୍ଟିକରଣ ନ ଦେଇ ବିନା ସୂଚନାରେ ଆକାଉଣ୍ଟରୁ ପଇସା କାଟିବା ଆରମ୍ଭ କରିଦେଇଥିଲେ। ଯେଉଁଥିରେ କୋର୍ଟ ସହମତ ହୋଇଛନ୍ତି।

ମାମଲାର ଶୁଣାଣିରେ କୋର୍ଟ ବୃଦ୍ଧାଙ୍କୁ ଆଶ୍ୱସ୍ତ କରି କହିଛନ୍ତି ଯେ ପେନସନଭୋଗୀ ବ୍ୟାଙ୍କିଙ୍ଗ ପ୍ରଣାଳୀରେ କରାଯାଇଥିବା ତ୍ରୁଟି ଜାଣିବାର କୌଣସି ଉପାୟ ନାହିଁ। ସେମାନଙ୍କଠାରୁ ଏହା ଅପେକ୍ଷା ମଧ୍ୟ କରାଯାଏନା। ଏହା ଛଡା ରେକର୍ଡରେ ଏହା କେଉଁଠି ବି ନାହିଁ ଯେ ସେ ଏ ସମ୍ପର୍କରେ ସେ ଆଗରୁ ଜାଣିଥିଲେ ଅଥବା ତାଙ୍କୁ ଯଥୋଚିତ ଭାବେ ଜାଣିବାର ଥିଲା ଯେ ସେ ପାଉଥିବା ପ୍ରାପ୍ୟ ଠାରୁ ଅଧିକ ଗ୍ରହଣ କରୁଛନ୍ତି। ନ୍ୟାୟାଳୟ ଏସବିଆଇଙ୍କୁ ଏ କଥାରେ ବି ସମାଲୋଚନା କରିଛନ୍ତି ଯେ ସେ ମହିଳାଙ୍କୁ କଥିତ ଅତିରିକ୍ତ ପୈଠର ବିବରଣୀ ଅଥବା ତାଙ୍କ ଠାରୁ ପଇସା ଅସୁଲି ନିମନ୍ତେ ତାଙ୍କୁ ଠିକ ଭାବେ ଜଣାଇବା ପୂର୍ବରୁ ତାଙ୍କ ଠାରୁ କିସ୍ତି କାଟିବା ଆରମ୍ଭ କରିଦେଇଥିଲେ।

ଏଣୁ କୋର୍ଟ ସ୍ପଷ୍ଟ ରୂପେ କହିଛନ୍ତି ଯେ ଯେତେବେଳେ ଅଧିକାରୀ ଅଥବା ବ୍ୟାଙ୍କ ଦ୍ୱାରା କରାଯାଇଥିବା ପ୍ରଶାସନିକ ଅଥବା ଟେକନିକ୍ ତ୍ରୁଟି କାରଣରୁ ଅଧିକ ପୈଠ ହୋଇ ଯାଉଛି ଏ କ୍ଷେତ୍ରରେ ପେନସଭୋଗୀଙ୍କ ଉପରେ ଅସୁଲି ଥୋପି ହେବ ନାହିଁ। ଏଣୁ ବ୍ୟାଙ୍କ ମହିଳାଙ୍କ ଆକାଉଣ୍ଟରୁ କଟା ଯାଇଥିବା ରାଶିକୁ ବାର୍ଷିକ ୬% ସୁଧହାରରେ ଫେରାଇବେ। କୋର୍ଟଙ୍କ ଏହି ରାୟକୁ ଏବେ ପେନସନଭୋଗୀଙ୍କ ଲାଗି ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ଯେଉଁମାନେ ମାସ ତମାମ ଖର୍ଚ୍ଚ ପାଇଁ ପେନସନ ଉପରେ ନିର୍ଭର ରହୁଛନ୍ତି।