ନୂଆଦିଲ୍ଲୀ: ପାକିସ୍ତାନ ସରକାର ହଜ୍ ପାଇଁ ସାଉଦି ଆରବ ଯାଉଥିବା ନିଜ ନାଗରିକଙ୍କ ପାଇଁ ଏକ Advisory ଜାରି କରିଛନ୍ତି। ଏଥିରେ ସେମାନଙ୍କୁ ସାଉଦି ଆରବରେ ଭିକ୍ଷାବୃତ୍ତି କରିବା, ବେଆଇନ ଭାବରେ ଅର୍ଥ ସଂଗ୍ରହ କରିବା ଏବଂ ଭିସା ନିୟମ ଭଙ୍ଗ ନକରିବା ପାଇଁ ସ୍ପଷ୍ଟ ଚେତାବନୀ ଦିଆଯାଇଛି। ସାଉଦି ଆରବସ୍ଥିତ ପାକିସ୍ତାନ ଦୂତାବାସ ପକ୍ଷରୁ ସେଠାକୁ ଆସୁଥିବା ହଜ୍‌ ଯାତ୍ରୀ ଓ ଶ୍ରମିକଙ୍କ ଉଦ୍ଦେଶ୍ୟରେ ଏକ ଆଞ୍ଚଳିକ ବାର୍ତ୍ତା ଜାରି କରାଯାଇଛି। ଏଥିରେ ପାକିସ୍ତାନୀ ନାଗରିକମାନଙ୍କୁ ସେଠାକାର ଆଇନ ଏବଂ ଭିସା ସର୍ତ୍ତାବଳୀକୁ ମାନିବାକୁ ଅନୁରୋଧ କରାଯାଇଛି। 

ନିୟମ ଉଲ୍ଲଂଘନ କଲେ ଗିରଫଦାରୀ, ଜେଲ୍ ଦଣ୍ଡ ଏବଂ ଦେଶାନ୍ତର ପରି କଠୋର ପରିଣାମ ଭୋଗିବାକୁ ପଡ଼ିପାରେ ବୋଲି ସାବଧାନ କରାଯାଇଛି। ଏହି ସଚେତନତା ପାଇଁ ଦୂତାବାସ ସୋସିଆଲ ମିଡିଆରେ ଏକ AI-ଭିଡିଓ ମଧ୍ୟ ଶେୟାର କରିଛି, ଯାହାର ଶୀର୍ଷକ ରହିଛି "ପାକିସ୍ତାନରୁ ଆସୁଥିବା ସମସ୍ତ ଯାତ୍ରୀ ଓ ଶ୍ରମିକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା"। ଏହି ଭିଡିଓରେ ସାଉଦି କର୍ତ୍ତୃପକ୍ଷ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ଜେଲକୁ ନେଉଥିବାର ଦୃଶ୍ୟ ରହିଛି।

ଦୂତାବାସ ସୂଚନା ଦେଇଛି ଯେ, ବିଶେଷ କରି ମକ୍କା ଏବଂ ମଦିନାର ପବିତ୍ର ସ୍ଥାନଗୁଡ଼ିକ ଆଖପାଖରେ ଭିକ୍ଷାବୃତ୍ତି ଓ ବେଆଇନ ଆର୍ଥିକ କାରବାର ବିରୋଧରେ ସାଉଦି ପ୍ରଶାସନ 'ଜିରୋ ଟଲେରାନ୍ସ' ନୀତି ଆପଣାଇଛି। ପାକିସ୍ତାନୀ ଯାତ୍ରୀମାନଙ୍କୁ କୌଣସି ଅନଧିକୃତ ସ୍ଥାନୀୟ ସେବା ବ୍ୟବହାର ନକରିବାକୁ ଏବଂ ଆର୍ଥିକ କାରବାର କେବଳ ଆଇନଗତ ମାଧ୍ୟମରେ କରିବାକୁ ପରାମର୍ଶ ଦିଆଯାଇଛି। ଏହାସହ, ଭିସାର ଅବଧି ଶେଷ ହେବା ପରେ ବେଆଇନ ଭାବରେ ରହିବା କିମ୍ବା ନିଜ ଭିସା ବାହାରେ ଅନ୍ୟ କୌଣସି କାର୍ଯ୍ୟରେ ନିୟୋଜିତ ନହେବାକୁ ଚେତାବନୀ ଦିଆଯାଇଛି।

ସୂଚନାଯୋଗ୍ୟ, ଗତବର୍ଷ ମୋଟ ୧୬,୭୩,୩୨୦ ଜଣ ହଜ୍ ଯାତ୍ରା କରିଥିଲେ, ଯେଉଁଥିରେ ସାଉଦି ଆରବ ବାହାରୁ ଆସିଥିଲେ ୧୫,୦୬,୫୭୬ ଜଣ ଯାତ୍ରୀ । ଇସଲାମ ଧର୍ମର ପାଞ୍ଚଟି ମୁଖ୍ୟ ସ୍ତମ୍ଭ ମଧ୍ୟରୁ ହଜ୍ ଅନ୍ୟତମ, ଯାହାକୁ ଆର୍ଥିକ ଓ ଶାରୀରିକ ଭାବରେ ସକ୍ଷମ ଥିବା ପ୍ରତ୍ୟେକ ମୁସଲିମ୍ ନିଜ ଜୀବନକାଳ ମଧ୍ୟରେ ଅନ୍ତତଃ ଥରେ ସମ୍ପାଦନ କରିବା ଆବଶ୍ୟକ। ଏହି ଯାତ୍ରାରେ କେତେକ ଧାର୍ମିକ ରୀତିନୀତି ଅନ୍ତର୍ଭୁକ୍ତ, ଯାହା ଅନେକ ଦିନ ଧରି ମୁକ୍ତ ଆକାଶ ତଳେ ପାଳନ କରାଯାଇଥାଏ।