ରାଉରକେଲା: ମାଓବାଦୀଙ୍କ ଯୋଗୁ ଭୟଭୀତ ଅବସ୍ଥାରେ କାଳାତିପାତ କରୁଥିଲେ ଗ୍ରାମବାସୀ । ସାପ୍ତାହିକ ହାଟକୁ ଆସିବା ତ ଦୂରର କଥା ଜଙ୍ଗଲାଜାତ ଦ୍ରବ୍ୟ ସଂଗ୍ରହ କରିବାକୁ ନିରାପଦ ମଣୁ ନ ଥିଲେ । ଦୀର୍ଘ ଅଢ଼େଇ ଦଶନ୍ଧି ଧରି ସଂଘର୍ଷମୟ ଜୀବନ ବିତାଉଥିଲେ। ଶେଷରେ ମାଓମୁକ୍ତ ହୋଇଛି ସରଣ୍ଡା । ଲୋକଙ୍କ ପାଇଁ ଖୋଲିଛି ଜୀବିକାର ବାଟ । ଓଡ଼ିଶା ସୀମାନ୍ତରେ ଥିବା ସାପ୍ତାହିକ ହାଟରେ ଜଙ୍ଗଲାଜାତ ଦ୍ରବ୍ୟ ବିକ୍ରି କରି ଦୁଇ ପଇସା ରୋଜଗାର କରୁଛନ୍ତି ।

ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଥିବା ସରଣ୍ଡା ଜଙ୍ଗଲରେ ରହିଛି ୧୫୦ରୁ ଅଧିକ ଗ୍ରାମ । ଗ୍ରାମବାସୀ ଜଙ୍ଗଲାଜାତ ଦ୍ରବ୍ୟ ଉପରେ ନିର୍ଭର କରିଥାନ୍ତି । ତାହା ବିକ୍ରି କରି ଯାହା ରୋଜଗାର କରନ୍ତି ସେଥିରେ ପରିବାର ଚଳାନ୍ତି । ୨୦୦୦ ମସିହାରେ ମାଓବାଦୀମାନେ ସରଣ୍ଡାରେ ପାଦ ଥାପିବା ପରଠାରୁ ନିରୀହ ଆଦିବାସୀଙ୍କ ରୋଜଗାର ପନ୍ଥା ବନ୍ଦ ହୋଇଯାଇଥିଲା । ବନ୍ଧୁକଧାରୀ ମାଓବାଦୀଙ୍କ ଭୟରେ ଲୋକେ ଜଙ୍ଗଲ ବାଟ ଭୁଲିଗଲେ । କାରଣ ଗାଁ ଗାଁରେ ମାଓବାଦୀମାନେ ଅକ୍ତିଆର ଜମାଇବା ସହ ଲୋକଙ୍କୁ ଭୟଭୀତ କରି ରଖିଥିଲେ । ଗାଁ ବାହାରକୁ ଯିବା କଷ୍ଟକର ହୋଇପଡ଼ିଥିଲା । ସେମାନେ ଗାଁ ବାହାରକୁ ଗଲେ କାଳେ ପୁଲିସକୁ ସୂଚନା ଦେବେ ସେହି ଆଶଙ୍କାରେ ଗାଁ ଲୋକଙ୍କୁ ଧମକାଇ ରଖୁଥିଲେ ମାଓବାଦୀ । ଏପରିକି ଜଙ୍ଗଲ ରାସ୍ତାରେ ମାଓବାଦୀମାନେ ଆଇଇଡି ଓ ଲ୍ୟାଣ୍ଡମାଇନ୍ ବିଛାଇ ଦେଇଥିଲେ । ରୋଜଗାର ପନ୍ଥା ବନ୍ଦ ହୋଇଯାଉ ପରିବାର ଚଳାଇବା ସେମାନଙ୍କ ପାଇଁ କଷ୍ଟକର ହୋଇ ପଡ଼ିଥିଲା । ଗୋଟିଏ ପଟେ ମାଓବାଦୀଙ୍କ ଭୟ ଓ ଅନ୍ୟପଟେ ଗାଁରୁ ବାହାରିଲେ ପୋଲିସ୍ ଆଖିରେ ସନ୍ଦେହ ଜାତ ହେବା ପାଇଁ ଭୟ, ପଦାକୁ ଗୋଡ଼ କାଢ଼ିବାକୁ ଲୋକେ ମନ ବଳାଉ ନଥିଲେ । ଅନେକ ପରିବାରର ଚୁଲି ଜଳିବା ବନ୍ଦ ହୋଇଗଲା । ଓଳିଏ ଖାଇଲେ ଓଳିଏ ଉପାସ ରହୁଥିଲେ । କେବେ ସରଣ୍ଡା ମାଓମୁକ୍ତ ହେବ ତାକୁ ଚାହିଁ ବସିଥିଲେ ଗ୍ରାମବାସୀ । ମାଓବାଦୀଙ୍କ ପାଇଁ ଉଭୟ ଓଡ଼ିଶା ଏବଂ ଝାଡ଼ଖଣ୍ଡ ପୋଲିସର ମୁଣ୍ଡବ୍ୟଥା ଲାଗିରହିଥିଲା ।

ତେବେ ୨୦୦୬ ଜାନୁଆରୀରୁ ଉଭୟ ଝାଡ଼ଖଣ୍ଡ ଏବଂ ଓଡ଼ିଶା ପୋଲିସ ପକ୍ଷରୁ ମିଳିତ କମ୍ବିଂ ଓ ସର୍ଚ୍ଚ ଅପରେସନ ଯୋଗୁ ଅନେକ ମାଓବାଦୀ ଅସ୍ତ୍ରଶସ୍ତ୍ର ଛାଡ଼ି ଆତ୍ମସମର୍ପଣ କରିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଗଲେ । ଯେଉଁମାନେ ଆତ୍ମସମର୍ପଣ ନ କରି ଜଙ୍ଗଲରେ ଲୁଚି ରହି ସୁରକ୍ଷାବଳକୁ ଟାର୍ଗେଟ୍ କରୁଥିଲେ ସେମାନଙ୍କୁ ସୁରକ୍ଷାବଳ ଯବାନମାନେ ଏନ୍କାଉଣ୍ଟର କଲେ । ଯବାନଙ୍କ ଏନକାଉଣ୍ଟରରେ ୨୦ରୁ ଅଧିକ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ମୃତ୍ୟୁ ଘଟିବା ପରେ ଗ୍ରାମବାସୀ ଆଶ୍ବସ୍ତି ପାଇଲେ ।

ଏବେ ସରଣ୍ଡା ମାଓମୁକ୍ତ ହୋଇଥିବା ନେଇ ପୋଲିସ ପକ୍ଷରୁ ଦାବି କରାଯାଉଥିବା ବେଳେ ଗ୍ରାମବାସୀଙ୍କ ରୋଜଗାରର ବାଟ ଫିଟିଛି । ସେମାନଙ୍କ ମଧ୍ୟରେ ନୂଆ ଆଶା ସଞ୍ଚାର ହୋଇଛି । ଯେଉଁ ମହିଳାମାନେ ଘରୁ ଗୋଡ଼ କାଢ଼ିବାକୁ ଭୟ କରୁଥିଲେ ସେମାନେ ଆଜି ଓଡ଼ିଶା ସୀମାନ୍ତବର୍ତ୍ତୀ ସାପ୍ତାହିକ ହାଟକୁ ଆସି ଜଙ୍ଗଲାଜାତ ଦ୍ରବ୍ୟ ବିକ୍ରି କରି ଦୁଇ ପଇସା ରୋଜଗାର କରୁଛନ୍ତି । ସ୍ବପ୍ନା, ପାର୍ବତୀ, ମନ୍ଦାକିନୀ, ରେଖା ଭଳି ଅନେକ ମହିଳା ସିଆଳି ପତ୍ର (ଖାଲି ପତ୍ର), କୁସୁମ ଫଳ, ଝୁଣା, ଲାଖ, ମହୁଲ, ବିଭିନ୍ନ ପ୍ରକାରର ଫଳ, ବାରାଙ୍ଗ ଜରଡ଼ି, କୁଡ଼କେଲି, ଜାମୁକୋଳି, ଛତୁ ଭଳି ବିଭିନ୍ନ ଜଙ୍ଗଲାଜାତ ଦ୍ରବ୍ୟ ଆଣି ବିକ୍ରି କରୁଛନ୍ତି ।

ସୋମବାର ଜରାଏକେଲା ଏବଂ ଶୁକ୍ରବାର ଭାଲୁଲତା ହାଟ ବସିଥାଏ । ସେଠାରୁ ନିର୍ଭୟରେ ପୁରୁଷ ଓ ମହିଳାମାନେ ସାମଗ୍ରୀ ଆଣି ବିକ୍ରି କରୁଛନ୍ତି । ସକାଳ ୭ଟାରେ ସେମାନେ ହାଟରେ ପହଞ୍ଚୁଛନ୍ତି । ସନ୍ଧ୍ୟା ହେବା ପୂର୍ବରୁ ନିଜ ନିଜ ଗାଁକୁ ଫେରିଯାଉଛନ୍ତି । ବର୍ତ୍ତମାନ ଦୁଇ ପଇସା ସେମାନେ ରୋଜଗାର କରୁଥିବା ପ୍ରକାଶ କରିଛନ୍ତି । ଏହି ପ୍ରକ୍ରିୟା ଲାଗି ରହିଲେ ଜୀବିକା ଜନିତ ସମସ୍ୟା ଦୂର ହୋଇଯିବ ବୋଲି ଆଶା କରାଯାଉଛି ।