ମୁମ୍ଵାଇ ୧୧।୦୯; ଦକ୍ଷିଣ ଭାରତୀୟ ସିନେମାର ଜଗତର ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ। ତାଙ୍କୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର୍ ଧରିଛି। ନିଜର ବ୍ୟକ୍ତିଗତ ଜୀବନ ଓ କ୍ୟାରିୟରକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ସାମନ୍ଥା ଏବେ ତାଙ୍କ ଜୀବନର ସବୁଠୁ ସୁନ୍ଦର ଅଧାୟ ଅର୍ଥାତ୍ ମାତୃତ୍ୱକୁ ନେଇ ଅତ୍ୟନ୍ତ ଖୁସି ଅଛନ୍ତି।

ଏକ ସାକ୍ଷାତକାରରେ ସାମନ୍ଥା ତାଙ୍କ ଗର୍ଭଧାରଣକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ଏହି ଖବର ତାଙ୍କୁ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ କରିଦେଇଥିଲା। ଏକ ବର୍ଷ ତଳେ ଡିସେମ୍ବରରେ ସମ୍ପର୍କକୁ ସର୍ବସାଧାରଣ କରିଥିବା ଏହି ଦମ୍ପତି, ଚଳିତ ବର୍ଷ ଜୁନ୍ ମାସରେ ପ୍ରଥମ ସନ୍ତାନ ଆଶା କରୁଥିବା ନେଇ ଘୋଷଣା କରିଥିଲେ। ତେବେ ଗର୍ଭଧାରଣ ପୂର୍ବରୁ ସେ ଓ ରାଜ ନିଦିମୋରୁ ଏପରି ଏକ ସ୍ଥିତିରେ ଥିଲେ, ଯେଉଁଠାରେ ସେମାନେ ସନ୍ତାନ ନ ହେବା ନେଇ ମଧ୍ୟ ମନସ୍ଥ କରିସାରିଥିଲେ। ସେହି ସମୟରେ ଗର୍ଭଧାରଣ ହେବା ତାଙ୍କ ପାଇଁ ଏକ ‘ସରପ୍ରାଇଜ୍’ ଥିଲା। ଏବେ ଆସନ୍ତା ପରିବର୍ତ୍ତନକୁ ନେଇ ସେ ବେଶ୍ ଉତ୍ସାହିତ ଥିବା କହିଛନ୍ତି।

ନିଜର ଅନୁଭୂତି ବାଣ୍ଟି ସାମନ୍ଥା କହିଛନ୍ତି ଯେ, ଯେତେବେଳେ ସେ 'ଥାସାଡିଆ' ଗୀତ ସୁଟିଂର ପ୍ରଥମ ଦିନରେ ଥିଲେ ଏବଂ ଅସୁସ୍ଥ ଅନୁଭବ କରୁଥିଲେ, ଠିକ୍ ସେତେବେଳେ ହିଁ ସେ ନିଜ ଗର୍ଭଧାରଣ ବିଷୟରେ ଜାଣିବାକୁ ପାଇଥିଲେ। ଫିଲ୍ମର ପ୍ରମୋସନ ସମୟରେ ଏହି ଖୁସିର ଖବର ସାରା ବିଶ୍ୱ ସାମ୍ନାରେ ରଖିବା ପରଠାରୁ ସେ ନିୟମିତ ଭାବେ ନିଜର ଏହି ସୁନ୍ଦର ଯାତ୍ରାର ଫଟୋ ଏବଂ ଭିଡିଓ ପ୍ରଶଂସକଙ୍କ ସହ ସେୟାର କରୁଛନ୍ତି। ସମସ୍ତେ କୁହନ୍ତି ଯେ ପିଲା ଜନ୍ମ ହେବା ପରେ ଜୀବନ ସମ୍ପୂର୍ଣ୍ଣ ବଦଳିଯାଏ, ଆଉ ସାମନ୍ଥା କହିଛନ୍ତି ଯେ ସେ ଏହି ସୁନ୍ଦର ପରିବର୍ତ୍ତନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।

ସାମନ୍ଥାଙ୍କ ବନ୍ଧୁ ତଥା ‘ମା ଇନ୍ତି ବାଙ୍ଗାରମ୍’ର ନିର୍ଦ୍ଦେଶିକା ନନ୍ଦିନୀ ରେଡ୍ଡିଙ୍କ କହିବା ଅନୁସାରେ, ଫିଲ୍ମର ଅଧିକାଂଶ ଆକ୍ସନ୍ ଦୃଶ୍ୟର ସୁଟିଂ ଶେଷ ହୋଇସାରିଥିଲା। ତେଣୁ ଶେଷ ପର୍ଯ୍ୟାୟର ସୁଟିଂ ସମୟରେ ସାମନ୍ଥାଙ୍କୁ ଯେପରି ଅଧିକ କ୍ଳାନ୍ତି ନହୁଏ, ସେଥିପ୍ରତି ଟିମ୍ ବିଶେଷ ଧ୍ୟାନ ଦେଇଥିଲା। ସୁଟିଂ ସମୟରେ ସାମନ୍ଥାଙ୍କୁ ପର୍ଯ୍ୟାପ୍ତ ବିଶ୍ରାମ ଦେବା ଏବଂ ଅତ୍ୟଧିକ ଖରାରେ ସୁଟିଂ ନକରିବା ଭଳି ସତର୍କତା ଅବଲମ୍ବନ କରାଯାଇଥିଲା ବୋଲି ନନ୍ଦିନୀ କହିଛନ୍ତି।