ମୁମ୍ଵାଇ ୧୧।୦୯; ସ୍କୁଲରେ ଚାଲିଥିଲା ପାଠପଢ଼ା… ହଠାତ୍ ଚାରିଆଡ଼େ ଖେଳିଗଲା ନିଆଁ ଆଉ ଧୂଆଁ। ଜୀବନ ବଞ୍ଚାଇବା ପାଇଁ କିଏ ଦୌଡ଼ିଲା ମୁଖ୍ୟ ଦ୍ୱାର ଆଡ଼କୁ, ତ ଆଉ କିଏ ଝରକା ଦେଇ ଡେଇଁବାକୁ କଲା ଚେଷ୍ଟା। ହେଲେ ନିଆଁ ଓ ଦଳାଚକଟା ମଧ୍ୟରେ ଚାଲିଗଲା ୨୬ ନିରୀହ ଛାତ୍ରଛାତ୍ରୀଙ୍କ ଜୀବନ। କଙ୍ଗୋର ବୁକାଭୁରୁ ଆସିଛି ଏଭଳି ଛାତିଥରା ଅଘଟଣ।

କଙ୍ଗୋର ପୂର୍ବତନ ସହର ବୁକାଭୁରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି । ଗୁରୁବାର ସ୍ଥାନୀୟ ଦୁଇଟି ସ୍କୁଲରେ ଭୀଷଣ ନିଆଁ ଲାଗିଯିବାରୁ ୨୬ ଜଣ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ପ୍ରାଦେଶିକ ସରକାରଙ୍କ ସୂଚନା ଅନୁଯାୟୀ, ମୃତକଙ୍କ ମଧ୍ୟରେ ୧୯ ଜଣ ବାଳିକା ଏବଂ ୭ ଜଣ ବାଳକ ରହିଛନ୍ତି । ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ସ୍ଥାନୀୟ ପ୍ରଶାସନର ସୂଚନା ମୁତାବକ, ପ୍ରଥମେ ଏକ ଘରେ ନିଆଁ ଲାଗିଥିଲା ଏବଂ ପରେ ଏହା ପାଖରେ ଥିବା ଦୁଇଟି ସ୍କୁଲକୁ ବ୍ୟାପି ଯାଇଥିଲା । ଏହି ଦୁଇଟି ସ୍କୁଲ ପାଖିପାଖି ରହିଥିଲା । ନିଆଁ ଦ୍ରୁତ ଗତିରେ ବ୍ୟାପିଯିବାରୁ ଛାତ୍ରଛାତ୍ରୀମାନଙ୍କୁ ସମ୍ଭାଳିବାର କୌଣସି ସୁଯୋଗ ମିଳି ନଥିଲା । 'ଫୁରାହା ମାଧ୍ୟମିକ ବିଦ୍ୟାଳୟ' ଏବଂ 'ଉଜାମା ପ୍ରାଥମିକ ବିଦ୍ୟାଳୟ' ରେ ଏହି ଦୁର୍ଘଟଣା ଘଟିଛି । ଅଗ୍ନିକାଣ୍ଡ ସମୟରେ ଅନେକ ଛାତ୍ରଛାତ୍ରୀ ଫୁରାହା ସେକେଣ୍ଡାରୀ ସ୍କୁଲ ଭିତରେ ହିଁ ଫସି ରହିଥିଲେ । ଧୂଆଁରେ ଶ୍ୱାସରୁଦ୍ଧ ହୋଇ କିଛି ଛାତ୍ରଙ୍କର ମୃତ୍ୟୁ ଘଟିଛି ।

ନିଆଁରୁ ବର୍ତ୍ତିବାକୁ ଝରକାରୁ ଡେଇଁଲେ ଛାତ୍ରଛାତ୍ରୀ:

ନିଆଁ ଲାଗିବା ପରେ ସ୍କୁଲ ପରିସରରେ ହାହାକାର ପଡ଼ିଯାଇଥିଲା । ସ୍କୁଲରୁ ବାହାରିବା ପାଇଁ ରାସ୍ତାଟି ବହୁତ ସଂକୀର୍ଣ୍ଣ ଥିଲା । ଅନେକ ଛାତ୍ରଛାତ୍ରୀ ମୁଖ୍ୟ ଦ୍ୱାର ଆଡ଼କୁ ଦୌଡ଼ିଥିବା ବେଳେ କେତେଜଣ ଝରକା ଦେଇ ବାହାରକୁ ଆସିବାକୁ ଚେଷ୍ଟା କରିଥିଲେ । ସ୍ଥାନୀୟ ଅଧିକାରୀ ମୋଇଜ ଲୁବାଲା କହିଛନ୍ତି ଯେ ବାହାରକୁ ବାହାରିବା ସମୟରେ ପିଲାମାନେ ପରସ୍ପର ସହ ଧକ୍କା ହୋଇଥିଲେ । ଅନେକ ପିଲା ତଳେ ପଡ଼ିଯିବାରୁ ତାଙ୍କର ଦଳାଚକଟାରେ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଆହତ ଛାତ୍ରଛାତ୍ରୀମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ନିଆଁ ଲାଗିବାର ସଠିକ୍ କାରଣ ଜଣାପଡ଼ିନାହିଁ ।

ଦୁର୍ଘଟଣାରେ ୨୪ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୯ ଜଣ ଚିକିତ୍ସାଧୀନ ଅଛନ୍ତି । ପ୍ରାଦେଶିକ ସରକାର ମୃତ୍ୟୁସଂଖ୍ୟା ୨୬ ବୋଲି ସ୍ପଷ୍ଟ କରିଛନ୍ତି । କଙ୍ଗୋର ପୂର୍ବ ପ୍ରାନ୍ତରେ ଦୀର୍ଘ ଦିନ ହେବ ଅଶାନ୍ତି ଏବଂ ସଂଘର୍ଷ ଜାରି ରହିଛି । M23 ବିଦ୍ରୋହୀମାନେ ୨୦୨୫ ମସିହା ଫେବୃଆରୀ ମାସରେ ବୁକାଭୁକୁ କବ୍ଜା କରିଥିଲେ । ଏହି ଅଞ୍ଚଳରେ ଅନେକ ସଶସ୍ତ୍ର ଗୋଷ୍ଠୀ ସକ୍ରିୟ ଥିବାରୁ ସ୍ୱାସ୍ଥ୍ୟସେବା ଉପରେ ମଧ୍ୟ ବହୁତ ଚାପ ରହିଛି । ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଉଦ୍ଧାର ଏବଂ ଚିକିତ୍ସା କାର୍ଯ୍ୟ ଜାରି ରହିଛି ।