ମୁମ୍ଵାଇ ୧୧।୦୯; ବଡ଼ ପରଦାରେ ଏବେ ଚାଲିଛି ଆଧ୍ୟାତ୍ମିକତାର ଜ୍ଞାନକେନ୍ଦ୍ର! ସନ୍ଥ ଏବଂ ମହାପୁରୁଷମାନଙ୍କ ଜୀବନୀ ଉପରେ ଚଳଚ୍ଚିତ୍ର ନିର୍ମାଣର ଧାରା ପୁଣିଥରେ ବେଶ୍ ଜୋର ଧରିଛି। ବାବା ନିମ କରୋଲି ମହାରାଜଙ୍କ ଅନୁପ୍ରାଣୀତ ଫିଲ୍ମ 'ହନୁମାନ ଅଂଶ'ର ଅପୂର୍ବ ସଫଳତା ପରେ, ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି ଲୋକପ୍ରିୟ ସନ୍ଥ ପ୍ରେମାନନ୍ଦ ମହାରାଜ!

ବୈଷ୍ଣବ କିନ୍ନର ଆଖାଡ଼ାର ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ହିମାଙ୍ଗୀ ସଖୀ ଘୋଷଣା କରିଛନ୍ତି ଯେ, ସେ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଜୀବନୀ ଉପରେ ଏକ ନୂତନ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି। ଆଉ ଏହି ଫିଲ୍ମର ନାମ ରହିଛି"ରାଧା ଅଂଶ"! ସନ୍ଥ ପ୍ରେମାନନ୍ଦ ମହାରାଜଙ୍କୁ ରାଧାରାଣୀଙ୍କ ଅବତାର ଭାବେ ବିବେଚନା କରାଯାଏ। ତେଣୁ ତାଙ୍କର ଆଧ୍ୟାତ୍ମିକ ଜୀବନ, ଚିନ୍ତାଧାରା ଏବଂ ରାଧାରାଣୀଙ୍କ ପ୍ରତି ଅଟଳ ଭକ୍ତିକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ହିଁ ଏହି ଫିଲ୍ମର ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି ହିମାଙ୍ଗୀ ସଖୀ। ନିର୍ମାତାଙ୍କ ସହ ପ୍ରାରମ୍ଭିକ ଆଲୋଚନା ଶେଷ ହୋଇଥିବାବେଳେ, ଖୁବ୍ ଶୀଘ୍ର ମହାରାଜ ଜୀଙ୍କ ସହିତ ଭେଟି ଅଫିସିଆଲ ଅନୁମତି ନିଆଯିବ।

ଏସବୁ ଭିତରେ ସବୁଠୁ ବଡ଼ ଚର୍ଚ୍ଚା ହେଉଛି କାଷ୍ଟିଂକୁ ନେଇ। କ୍ରିକେଟ୍ ତାରକା ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମା ପ୍ରେମାନନ୍ଦ ମହାରାଜଙ୍କର ବଡ ପ୍ରଶଂସକ ହୋଇଥିବାରୁ, ଫିଲ୍ମରେ ସେମାନଙ୍କ ଅଭିନୟ ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଛି। ତେବେ ଏନେଇ କୌଣସି ଆଧିକାରିକ ସୂଚନା ମିଳିନଥିଲେ ମଧ୍ୟ, ଅନୁମୋଦନ ମିଳିବା ମାତ୍ରେ ଫିଲ୍ମର ପ୍ରୋମୋ ଆସିବ ବୋଲି ଜଣାପଡ଼ିଛି। ଦେଖିବାକୁ ବାକି ରହିଲା, ଏହି ଆଧ୍ୟାତ୍ମିକ ଚଳଚ୍ଚିତ୍ରଟି ଦର୍ଶକଙ୍କ ମନରେ କିପରି ଭକ୍ତିଭାବ ଜାଗ୍ରତ କରୁଛି!