ମୁମ୍ଵାଇ ୧୧।୦୯; ଫିଟନେସ୍ ପାଇଁ ଖାଉଥିଲେ ପ୍ରୋଟିନ୍ ପାଉଡର… କିନ୍ତୁ ଡବା ଖୋଲିବା ପରେ ଯାହା ଦେଖିଲେ, ତାହା ଦେଖି ଚମକିଗଲେ ବଲିଉଡ୍ ଅଭିନେତ୍ରୀ ବିପାଶା ବସୁ। ପ୍ରୋଟିନ୍ ପାଉଡର ଭିତରେ ମିଳିଲା ଛୋଟ ଛୋଟ ପୋକ! ଆଉ ଏହି ଘଟଣାକୁ ନେଇ ଏବେ ସିଧାସଳଖ ମହାରାଷ୍ଟ୍ର FDA କମିଶନର ତୁକାରାମ ମୁଣ୍ଡେଙ୍କ ନିକଟରେ ସାହାଯ୍ୟ ଲୋଡ଼ିଛନ୍ତି ବିପାଶା।

ଗୁରୁବାର ବିପାଶା ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ଏକ ଭିଡିଓ ସେୟାର କରିଛନ୍ତି। ଦାବି ଅନୁସାରେ, ନୂଆ ଖୋଲିଥିବା ଇସୋପ୍ୟୋର ପ୍ରୋଟିନ୍ ପାଉଡର ବକ୍ସ ଭିତରେ ତାଙ୍କୁ ଛୋଟ ଛୋଟ ପୋକ ମିଳିଥିଲା। ଭିଡିଓରେ ପୋକ ଦେଖାଇବା ସହ ବିପାଶା ଏହାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। କହିଛନ୍ତି କି ଏ ଇସୋପ୍ୟୋର ଛୋଟ ଛୋଟ ପୋକରେ ଭର୍ତ୍ତି। ଏଥିରେ ବହୁତ ପୋକ ଅଛି । ଏହା ପୂରାପୁରି ନୂଆ ଡବା, ଯାହାକୁ ଆମେ ଏବେ ହିଁ ଖୋଲିଛୁ, ଦେଖିଲା ବେଳକୟ ଏହା ଭିତରେ ପୋକ ଅଛି। ଏହାପରେ ମହାରାଷ୍ଟ୍ର FDA କମିଶନର ତୁକାରାମ ମୁଣ୍ଡେଙ୍କୁ ଟ୍ୟାଗ୍ କରି ବିପାଶା ଲେଖିଛନ୍ତି— ଆପଣ ଆମର ଶେଷ ଆଶା। କାହିଁକି ନା ଆମେମାନେ ଯେଉଁ ସାମଗ୍ରୀ କିଣୁଛନ୍ତି, ସେଥିରେ ଯେପରି କୌଣସି ଦୂଷିତ କିମ୍ବା ଭେଜାଲ ଜିନିଷ ନଥାଉ।

ତେବେ ତୁକାରାମ ମୁଣ୍ଡେଙ୍କୁ ସାହାଯ୍ୟ ପାଇଁ ଟ୍ୟାଗ୍ କରିବାରେ ବିପାଶା ପ୍ରଥମ ସେଲିବ୍ରିଟି ନୁହନ୍ତି। ପୂର୍ବରୁ ଅଭିନେତ୍ରୀ ଶ୍ୱେତା ତିୱାରୀ ମଧ୍ୟ ଅନଲାଇନ୍ ଗ୍ରୋସରୀ ଅର୍ଡରକୁ ନେଇ ଅଭିଯୋଗ କରିଥିଲେ। ତାଙ୍କ ଦାବି ଅନୁସାରେ, ଇନଷ୍ଟାମାର୍ଟରୁ ଅର୍ଡର କରିଥିବା ସାମଗ୍ରୀ ସହ ତାଙ୍କ ଘରେ ଏକ ଅସରପା ମଧ୍ୟ ମିଳିଥିଲା।

ଏପଟେ ତୁକାରାମ ମୁଣ୍ଡେଙ୍କ ଭେଜାଲ ବିରୋଧୀ ଅଭିଯାନକୁ ନେଇ ଅନେକ ସେଲିବ୍ରିଟି ମଧ୍ୟ ସମର୍ଥନ ଜଣାଇଛନ୍ତି। ପ୍ରୀତି ଜିଣ୍ଟାଙ୍କୁ ‘ଟିମ୍ ତୁକାରାମ ମୁଣ୍ଡେ’ ଲେଖାଥିବା ଟି-ସାର୍ଟରେ ଦେଖିବାକୁ ମିଳିଥିବାବେଳେ, ଟ୍ୱିଙ୍କଲ୍ ଖାନ୍ନା, ଡେଜି ଶାହଙ୍କ ସମେତ ଅନେକ ସେଲିବ୍ରିଟି ତାଙ୍କ କାମକୁ ସମର୍ଥନ କରିଛନ୍ତି। ତେବେ ପ୍ରଶ୍ନ ହେଉଛି ଫିଟନେସ୍ ପାଇଁ ଲୋକେ ଯେଉଁ ପ୍ରୋଟିନ୍ ପାଉଡର ଉପରେ ଭରସା କରୁଛନ୍ତି, ସେଥିରେ ଯଦି ପୋକ ମିଳେ, ତେବେ ଗ୍ରାହକଙ୍କ ସୁରକ୍ଷା କେତେ ଦୂର ସଠିକ ? ବିପାଶାଙ୍କ ଅଭିଯୋଗ ଉପରେ FDA କ’ଣ ପଦକ୍ଷେପ ନେବ— ଏବେ ତାହା ଉପରେ ନଜର।