ମୁମ୍ଵାଇ ୧୦।୦୯; ବଲିଉଡର ଏମିତି ଅନେକ ଚେହେରା ଅଛି… ଯିଏ ଦୀର୍ଘ ସମୟ ଧରି ଦର୍ଶକଙ୍କ ମନରେ ରାଜ୍ କରନ୍ତି। ଆଉ କେହି ପ୍ରଥମ ଝଲକରେ ହିଁ ଛାପ ଛାଡ଼ି ହଠାତ୍ ଗାଏବ ହୋଇଯାଆନ୍ତି। ଏମିତି ହିଁ ଏକ ସୁନ୍ଦର ଚେହେରା ଥିଲେ ଟୁଲିପ୍ ଯୋଶୀ। ‘ମେରେ ୟାର୍ କି ଶାଦୀ ହୈ’ ଫିଲ୍ମରେ ନିଜ ଅଭିନୟ ଓ ସୌନ୍ଦର୍ଯ୍ୟରେ ଦର୍ଶକଙ୍କ ମନ ଜିଣିଥିବା ଟୁଲିପ୍ ଆଜି ବଲିଉଡ୍ର ଗ୍ଲାମର୍ ଦୁନିଆଠାରୁ ବହୁ ଦୂରରେ। ଟୁଲିପଙ୍କ କାହାଣୀ କେବଳ ଜଣେ ଅଭିନେତ୍ରୀଙ୍କ ନୁହେଁ, ବରଂ ଗ୍ଲାମର୍ ଦୁନିଆରୁ ନିଜ ଇଚ୍ଛାରେ ଅଲଗା ହୋଇ ଏକ ନୂଆ ପରିଚୟ ଗଢ଼ିଥିବା ଜଣେ ମହିଳାଙ୍କ କାହାଣୀ।

ମୁମ୍ବାଇରେ ଜନ୍ମ ହୋଇଥିବା ଟୁଲିପ୍ ଯୋଶୀ। ହିନ୍ଦୁ ବାପା ଏବଂ ଖ୍ରୀଷ୍ଟିଆନ୍ ମାଆଙ୍କ ଝିଅ ଟୁଲିପ୍ ପିଲାଦିନରୁ ହିଁ ମେଧାବୀ ଥିଲେ । ପାଠପଢ଼ା ପରେ କେମେଷ୍ଟ୍ରିରେ ଡିଗ୍ରୀ ହାସଲ କରିଥିଲେ। ହେଲେ ଭାଗ୍ୟ ତାଙ୍କୁ ନେଇଯାଇଥିଲା ଗ୍ଲାମର୍ ଦୁନିଆକୁ। କଲେଜରେ ପଢ଼ୁଥିବା ସମୟରେ ବିଜ୍ଞାପନରେ କାମ କରିବା ପରେ ମିଳିଥିଲା ବଲିଉଡରେ ଏଣ୍ଟ୍ରି କରିବାର ସୁଯୋଗ। ୨୦୦୨ରେ ‘ମେରେ ୟାର୍ କି ଶାଦୀ ହୈ’ ଫିଲ୍ମ ଜରିଆରେ ହୋଇଥିଲା ବଲିଉଡ୍ ଡେବ୍ୟୁ। ଉଦୟ ଚୋପ୍ରା ଓ ଜିମି ସେରଗିଲଙ୍କ ସହ ଅଭିନୟ କରିଥିବା ଟୁଲିପ୍ ନିଜ ପ୍ରଥମ ଫିଲ୍ମରୁ ହିଁ ଦର୍ଶକଙ୍କୁ ଆକୃଷ୍ଟ କରିଥିଲେ। ଏହାପରେ ‘ଦିଲ୍ ମାଙ୍ଗେ ମୋର୍’, ‘ଧୋକା’, ‘ମାତୃଭୂମି’, ‘ଜୟ ହୋ’ ଭଳି ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିଥିଲା ଟୁଲିପଙ୍କ ଅଭିନୟ। କିନ୍ତୁ ଯେଉଁ ଗତିରେ ସେ ବଲିଉଡକୁ ଆସିଥିଲେ, ସେହି ଗତିରେ ଷ୍ଟାରଡମର ଶୀର୍ଷରେ ପହଞ୍ଚି ପାରିନଥିଲେ।

ଆଉ ତା’ପରେ…ହଠାତ୍ ବଲିଉଡର ଚକମକ ଦୁନିଆରୁ ଦୂରେଇଗଲେ ଟୁଲିପ୍। ପ୍ରାୟ ଏକ ଦଶନ୍ଧିରୁ ଅଧିକ ସମୟ ହେଲାଣି ତାଙ୍କୁ ପରଦାରେ ଦେଖିବାକୁ ମିଳିନାହିଁ। ଅଭିନୟ ଛାଡ଼ିବା ପରେ ତାଙ୍କ ଜୀବନ ଅଟକିନଥିଲା। ବରଂ ଆରମ୍ଭ ହୋଇଥିଲା ଏକ ନୂଆ ଯାତ୍ରା। ୨୦୧୭ରେ ସ୍ୱାମୀଙ୍କ ସହ ମିଶି ‘କିମାୟା କନସଲ୍ଟିଂ’ ନାମରେ କମ୍ପାନୀ ମଧ୍ୟ ଆରମ୍ଭ କରିଥିଲେ।ଅଭିନେତ୍ରୀ ଟୁଲିପ୍ ଯୋଶୀଙ୍କର ଆଉ ଏକ ପରିଚୟ ରହିଛି ବୈଦିକ ଜ୍ୟୋତିଷ। ସମ୍ପର୍କ, ସ୍ୱାସ୍ଥ୍ୟ ଓ କ୍ୟାରିୟର ଭଳି ବିଷୟରେ ଲୋକଙ୍କୁ ପରାମର୍ଶ ଦେଉଛନ୍ତି ସେ। ଅର୍ଥାତ୍ ଯେଉଁ ଚେହେରାକୁ ଦିନେ ବଡ଼ ପରଦାରେ ଦେଖିବାକୁ ଦର୍ଶକ ଅପେକ୍ଷା କରୁଥିଲେ, ସେହି ଟୁଲିପ୍ ଆଜି ନିଜ ଜୀବନକୁ ନିଜ ଇଚ୍ଛା ଅନୁସାରେ ଗଢ଼ିଛନ୍ତି।