ଚେନ୍ନାଇ, ୦୬/୦୫: ସମସ୍ତଙ୍କୁ ଚକିତ କରିଛି ତାମିଲନାଡୁର ଇଲେକ୍ସନ୍ ରେଜଲ୍ଟ୍ । ଏଠାରେ ମାଟି କାମୁଡିଛି ଶାସକ ଡିଏମକେ । ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ବି ହାରିଛନ୍ତି । ଏଆଇଏଡିଏମକେର ସିଟ୍ ବଢିଥିଲେ ବି ୧୦୦ ଛୁଇଁନି । କିନ୍ତୁ ନୂଆ କରି ଗଢିଉଠିଥିବା ବିଜୟଙ୍କ ଟିଭିକେ ୧୦୮ ସିଟ୍ ଜିତିଛି । ଦଳର ମୁଖିଆ ବିଜୟ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଏସବୁ ଭିତରେ ଆଉ ଗୋଟିଏ ନାଁ ଚର୍ଚ୍ଚାକୁ ଆସୁଛି । ତାହା ହେଲା ସାଣ୍ଟିଆଗୋ ମାର୍ଟିନ୍ । ଯିଏକି ଦେଶରେ ଲଟେରି କିଙ୍ଗ୍ ଭାବେ ପରିଚିତ ।

ନିର୍ବାଚନରେ ମାର୍ଟିନଙ୍କ ପରିବାରର ତିନି ଜଣ ନିର୍ବାଚନରେ ଭାଗ୍ୟ ପରୀକ୍ଷା କରିଥିଲେ । ସମସ୍ତେ ବାଜିମାତ୍ କରିଛନ୍ତି । ତାମିଲନାଡୁ ଏବଂ ପୁଡୁଚେରୀରେ ମାର୍ଟିନଙ୍କ ପରିବାର ଲୋକେ ବିଜୟୀ ହୋଇଛନ୍ତି ।

Also Read :- ଖାଲି ମମତା ନୁହେଁ, ହାରିଗଲେ ଟିଏମସିର ୨୨ ମନ୍ତ୍ରୀ : ୫୪ ବର୍ଷ ପରେ ପ୍ରଥମ ଘଟଣା

ପ୍ରଥମେ ନଜର ପକାଇବା ଆଧବ ଅର୍ଜୁନ ରେଡ୍ଡିଙ୍କ ଉପରେ । ସେ ମାର୍ଟିନଙ୍କ ଜ୍ୱାଇଁ ଅଟନ୍ତି । ସେ ଟିଭିକେ ଦଳରୁ ଭିଲିଭାକମ ଆସନରେ ପ୍ରାର୍ଥୀ ହୋଇଥିଲେ । ତାଙ୍କ ବିପକ୍ଷ ପ୍ରାର୍ଥୀଙ୍କୁ ସେ ୧୭୩୦୨ ଭୋଟରେ ପରାସ୍ତ କରିଛନ୍ତି । ଟିଭିକେରେ ସେ ସାଧାରଣ ସମ୍ପାଦକ ଥିବା ବେଳେ ମାର୍ଟିନଙ୍କ କନ୍ୟା ଡେଜିଙ୍କୁ ବିବାହ କରିଛନ୍ତି ।

ସେହିପରି ମାର୍ଟିନଙ୍କ ପତ୍ନୀ ଲିମା ରୋଜ୍ ମଧ୍ୟ ବିଜୟୀ ହୋଇଛନ୍ତି । ତାମିଲନାଡୁର ଲାଲଗୁଡି ଆସନରୁ ତାଙ୍କୁ ଏଆଇଏଡିଏମକେ ପ୍ରାର୍ଥୀ କରିଥିଲା । ସେ ଡିଏମକେ ଏବଂ ଟିଭିକେ ପ୍ରାର୍ଥୀଙ୍କୁ କଡା ଟକ୍କର ଦେଇଥିଲେ । ତଥାପି ୨୫୦୦ ଭୋଟରେ ସେ ବାଜିମାତ୍ କରିଛନ୍ତି ।

ସେହିପରି ସାଣ୍ଟିଆଗୋ ମାର୍ଟିନଙ୍କ ପୁଅ ଜୋସ୍ ଚାର୍ଲସ୍ ପୁଡୁଚେରୀରେ ନିଜର ଦବଦବା ଜାହିର କରିଛନ୍ତି । ପୁଡୁଚେରୀରେ ତାଙ୍କ ଦ୍ୱାରା ନୂଆ କରି ଗଢି ଉଠିଥିବା ଦଳ ଏଲଜେକେପି ଦୁଇଟି ସିଟରେ ଲଢି ଗୋଟିଏରେ ବିଜୟୀ ହୋଇଛି । ଗତବର୍ଷ ଡିସେମ୍ବର ମାସରେ ଏଲଜେକେପିର ଗଠନ ହୋଇଥିଲା । ନିଜେ ଏଥର ଚାର୍ଲସ୍ ଭାଗ୍ୟ ପରୀକ୍ଷା କରିଥିଲେ । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୧୦,୨୦୫ ଭୋଟରେ ପରାସ୍ତ କରିଛନ୍ତି ।